ଅଦ୍ବିତୀୟା ସରଳା ଦେବୀ

୧୨୦ତମ ଜୟନ୍ତୀ ଉପଲକ୍ଷେ

ନିରଞ୍ଜନ ପଟ୍ଟନାୟକ

ସେଦିନର କଂଗ୍ରେସ ଓ କଂଗ୍ରେସ ନେତାମାନଙ୍କ ତ୍ୟାଗର ପଟାନ୍ତର ନାହିଁ। ଗାନ୍ଧିଜୀଙ୍କ ଆହ୍ବାନକ୍ରମେ ଓଡ଼ିଶାରେ ପଣ୍ଡିତ ଗୋପବନ୍ଧୁ ଦାସ କଂଗ୍ରେସ ଜରିଆରେ ଅହିଂସା ଆନ୍ଦୋଳନକୁ ଜୋରଦାର କରିଥିଲେ। ତାଙ୍କ ସହିତ ଥିଲେ ତାଙ୍କର ଏକାନ୍ତ ଅନୁଗତ ଜଗତସିଂହପୁର ଅନ୍ତର୍ଗତ ଚାଟରା ଗ୍ରାମର ଜମିଦାର ଘରର ଭାଗୀରଥି ମହାପାତ୍ର। ଗୋପବନ୍ଧୁ ପ୍ରାଦେଶିକ ଉତ୍କଳ ବା ଓଡ଼ିଶାର ପ୍ରଥମ ସଭାପତି ଓ ଭାଗୀରଥି ମହାପାତ୍ର ପ୍ରଥମ ସଂପାଦକ। ଭାଗୀରଥି ବାବୁ ସେ‌ତେବେଳେ ‘ଭାଗୁବାବୁ’ ନାମରେ ପରିଚିତ ଥ‌ିଲେ। ସ୍ବାଧୀନତା ଆନ୍ଦୋଳନ ଯୋଗୁଁ ସେ ଦୁହେଁ ସାଙ୍ଗ ହୋଇ ଜେଲ୍ ଯାଇଥିଲେ। ସେମାନଙ୍କୁ ଏବର ଯୁବପିଢ଼ି ଭୁଲିଯିବା ଉଚିତ୍ ନୁହେଁ। ଏହା ପରେ ମୁଁ ସରଳା ଦେବୀଙ୍କ ସଂପର୍କରେ କିଛି ଉଲ୍ଲେଖ କରିବି। ଭାଗୁବାବୁ ଜନ୍ମ ହୋଇଥିଲେ ୧୮୯୩ ମସିହାରେ। ୧୯୧୭ ମସିହାରେ ତାଙ୍କୁ ପ୍ରାୟ ଚବିଶ ବର୍ଷ। ସେତେବେଳେ ସେ ତେର ବର୍ଷ ବୟସର ସରଳାଙ୍କୁ ବାଲ୍ୟାବସ୍ଥାରୁ ବିବାହ କରିଥିଲେ। ସରଳା ଥିଲେ ଜଗତସିଂହପୁର ଅନ୍ତର୍ଗତ ବାଲିକୁଦା ଥାନା ନରିଲୋ ଗ୍ରାମର। ତାଙ୍କର ପାଳିତ ପିତା ଥିଲେ ବାଳ ମୁକୁନ୍ଦ କାନୁନଗୋ। ବାଳମୁକୁନ୍ଦ ବାବୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ମ୍ୟ‌ାନେଜର ଥିଲେ।

ସରଳା ଦେବୀ ପିଲାଟି ଦିନରୁ ସାହସୀ ଥିଲେ। ପ୍ରଚଳିତ କୁସଂସ୍କାର ଓ ନାରୀଙ୍କ ଦୁର୍ଦ୍ଦଶା ବିଷୟରେ ସେ ସଚେତନ ଥିଲେ। ତେଣୁ ସେ ସବୁ ବିଷୟରେ ସ୍ବର ଉତ୍ତୋଳନ କରିଆସୁଥିଲେ। ୧୯୨୦ ମସିହାରେ ମହାତ୍ମା ଗାନ୍ଧୀଙ୍କ ଡା‌କରାରେ ସେ କଂଗ୍ରେସରେ ଯୋଗଦେଇ ସ୍ବାଧୀନତା ଆନ୍ଦୋଳନ କାର୍ଯ୍ୟରେ ସାମିଲ ହୋଇଥିଲେ। ୧୯୨୧ ରେ କରାଚୀଠାରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ସେ ଓଡ଼ିଶାରୁ ପ୍ରଥମ ମହିଳା ଭାବେ ପ୍ରତିନିଧିତ୍ବ କରିବାର ସୁଯୋଗ ଲାଭ କରିଥିଲେ। କଂଗ୍ରେସ ନେତାମାନଙ୍କ ଭାଷଣ ଶୁଣି ସେ ମୁଗ୍ଧ ହେଉଥିଲେ ଏବଂ ୧୯୨୪ରେ କଟକରେ ଅନୁଷ୍ଠିତ ଏକ ବ୍ରିଟିଶ୍ ବି‌େରାଧୀ ସଭାରେ ବକ୍ତୃତା ଦେବାର ସୁଯୋଗ ପାଇଥିଲେ ଓ ତାଙ୍କର ଓଜସ୍ବିନୀ ବକ୍ତୃତା ସେଠାରେ ଉପସ୍ଥିତ ଜନତାଙ୍କୁ ମୁଗ୍ଧ କରିଦେଇଥିଲା। ୧୯୩୦ରେ ସେ ପ୍ରାଦେଶିକ କଂଗ୍ରେସର ସାଧାରଣ ସଂପାଦିକା ହେବା ପରେ ଗାନ୍ଧିଜୀଙ୍କ ଆ‌ହ୍ବାନକ୍ରମେ ଲବଣ ସତ୍ୟାଗ୍ରହରେ ଯୋଗଦେଇ କାରାବରଣ କରିଥିଲେ। ତାଙ୍କୁ ଓଡ଼ିଶାରେ ସମସ୍ତେ ବିପ୍ଳବିନୀ ସରଳା ଦେବୀ ବୋଲି ଜାଣିଥିଲେ।

କାଲି ପରି ମନେ ପଡୁଛି। ଅଶୀ ଦଶକରେ ସ୍ବର୍ଗୀୟ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ମୁଁ ମନ୍ତ୍ରୀ ହୋଇଥାଏ। କଟକରେ ମାରୁତି ମଣ୍ଡପ ନିକଟରେ ଅନୁଷ୍ଠିତ ଏକ ସଭାରେ ‌ଯୋଗଦେବାକୁ ଆସି ମଞ୍ଚାସୀନ ହୋଇଥିଲି। ସଭା ଅ‌ାରମ୍ଭ ହେଉଥାଏ। ଏହି ସମୟରେ ଜଣେ ବୃଦ୍ଧା ସଭାସ୍ଥଳରେ ଉପସ୍ଥିତ ହୋଇ ମଞ୍ଚ ଉପରକୁ ଚଢ଼ି ଆସିଲେ। ଆୟୋଜକମାନେ ତାଙ୍କୁ ଦେଖି ମଞ୍ଚ ଉପରେ ଆଉ ଗୋଟାଏ ଚେଆର ପକାଇବାକୁ ଉଦ୍ୟମ କଲେ। ବୃଦ୍ଧା ଜଣକ ନାହିଁ କଲେ ଏବଂ ମଞ୍ଚ ଉପରକୁ ଆସି ମନ୍ତ୍ରୀ କିଏ ବୋଲି ପଚାରିଲେ। ମୁଁ ତାଙ୍କ ସହ କଥା ହେବା ପୂର୍ବରୁ ପ୍ରଣାମ କଲି। ସେ କହିଲେ ତୁ ଦେବେନ୍ଦ୍ରର(ବାଲିକୁଦା ଅଞ୍ଚଳର ଦେବେନ୍ଦ୍ର ଦାସ) ଜୋଇଁ ବୋଲି ତୋତେ ମୁଁ ଦେଖିବାକୁ ଆସିଲି। ସେ ମୋତେ ଦେଖି ଖୁସି ହୋଇଗଲେ। ମାତ୍ର ସଭା କାର୍ଯ୍ୟରେ ବାଧା ନ ଦେଇ ସେହି ସ୍ଥାନ ଛାଡ଼ି ଚାଲିଗଲେ। ତାହା ହିଁ ତା‌ଙ୍କ ସହିତ ମୋର ପ୍ରଥମ ସାକ୍ଷାତ। ସେ ଯେ ମୋର ସଂପର୍କୀୟା, ଏହା ଜାଣି ମୋ ମନ କୁଣ୍ଢେମୋଟ ହୋଇ ଯାଇଥିଲା ସେଦିନ।
ସରଳା ଦେବୀ ଓ ଭାଗୁ ବାବୁଙ୍କ ଏକମାତ୍ର ପୁତ୍ର ଥିଲେ ଅମିତାଭ ମହାପାତ୍ର। ସେ ମଧ୍ୟ ଜେଲ୍‌ରେ ଜନ୍ମ ହୋଇଥିଲେ ଓ ସ୍ବାଧୀନତା ସଂଗ୍ରାମରେ ଯୋଗଦେଇ କାରାବରଣ କରିଥିଲେ। ପରେ କଟକରେ ଜଣେ ଆଇନଜୀବୀ ଭାବେ ସେ ପ୍ରତିଷ୍ଠିତ ହେବା ପରେ କଟକ ନଗର କଂଗ୍ରେସ କମିଟିର ସେ ସଭାପତି ମଧ୍ୟ ଥିଲେ। ମୁଁ ମନ୍ତ୍ରୀ ଥିବାବେଳେ ଅନେକ ସମୟରେ ସେ ଆସି ମୋ ସହିତ ଲୋକଙ୍କ ସମସ୍ୟା ସଂପର୍କରେ ଆଲୋଚନା କରି ସମାଧାନର ରାସ୍ତା ବାହାର କରୁଥିଲେ।

ସରଳା ଦେବୀ ତାଙ୍କ ସମୟରେ ଜଣେ ସମ୍ମାନାସ୍ପଦ ମହିଳା ଥିଲେ। ଓଡ଼ିଶାର ପ୍ରଥମ ମହିଳା ସ୍ବାଧୀନତା ସଂଗ୍ରାମୀ ଓ ବିଧାୟିକା ଭାବେ ସେ ଖୁବ୍ ସୁନାମ ଅର୍ଜନ କରିଥିଲେ। ଓଡ଼ିଆ ସାହିତ୍ୟ ‌କ୍ଷେତ୍ରରେ ମଧ୍ୟ ତାଙ୍କର ଯଥେଷ୍ଟ ଅବଦାନ ଥିଲା। ୧୯୨୧ ମସିହା ମାର୍ଚ୍ଚ ୨୩ ରେ ଗୋପବନ୍ଧୁଙ୍କ ନିମନ୍ତ୍ରଣ ପାଇ ଗାନ୍ଧିଜୀ ଯେତେବେଳେ ପ୍ରଥମେ ଓଡ଼ିଶା ଗସ୍ତରେ ଆସି କଟକରେ ରହିଲେ, ଗାନ୍ଧିଜୀ ସରଳା ଦେବୀଙ୍କୁ ଖୋଜିଥିଲେ। ନାରୀମାନଙ୍କ ସମସ୍ୟା ବିଷୟରେ ଜାଣି ସେମାନଙ୍କୁ ଉପଦେଶ ଦେବାକୁ ଗାନ୍ଧିଜୀ ସରଳା ଦେବୀଙ୍କ ସହଯୋଗ ଲୋଡ଼ିଥିଲେ। କଟକ ସହରର ଟାଉନ୍ ହଲ୍‌ରେ ମହିଳାମାନଙ୍କ ସଭାରେ ଗାନ୍ଧିଜୀଙ୍କ ବକ୍ତୃତାକୁ ତତ୍‌କ୍ଷଣାତ୍ ଓଡ଼ିଶାରେ ଅନୁବାଦ କରି ସରଳା ଦେବୀ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲେ। ତାଙ୍କର ସ୍ମୃତିରକ୍ଷା ପାଇଁ ଏବେ ଭୁବନେଶ୍ବରରେ ଏକ ରାଜ୍ୟସ୍ତରୀୟ ଟ୍ରଷ୍ଟ ଗଠନ କରାଯାଇ ତାଙ୍କର ପବିତ୍ର ଜନ୍ମ ଦିବସ ଅଗଷ୍ଟ ନଅ ତାରିଖରେ ତାଙ୍କର ଜୟନ୍ତୀ ଉତ୍ସବ ପାଳନ କରୁଥିବା ଓ ଜଣେ ଲେଖିକା ଡକ୍ଟର ସଂଘମିତ୍ରା ମିଶ୍ରଙ୍କୁ ପୁରସ୍କାର ଦିଆଯାଉଥିବା ଆନନ୍ଦର ବିଷୟ। ଏଥିରେ ତାଙ୍କର ପରିବାରବର୍ଗ ଓ ଅନ୍ୟମାନେ ଆଗେଇ ଆସି ଏହି କାର୍ଯ୍ୟକ୍ରମ କରୁଥିବାରୁ ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି।
ପୂର୍ବତନ ମନ୍ତ୍ରୀ
ଭୁବନେଶ୍ବର

ସମ୍ବନ୍ଧିତ ଖବର