ଶ୍ରୀରାମଚନ୍ଦ୍ର ଭଞ୍ଜ ଚିକିତ୍ସା ମହାବିଦ୍ୟାଳୟ (ଏସ୍ସିବି)ରେ ୨୦୨୪ ଏପ୍ରିଲ୍ ୩ ତାରିଖରେ କରାଯାଇଥିବା ଯକୃତ (ଲିଭର୍) ପ୍ରତିରୋପଣ ଓଡ଼ିଶାର ସ୍ୱାସ୍ଥ୍ୟସେବା ମାନକୁ ସମଗ୍ର ଭାରତରେ ଏକ ଉଲ୍ଲେଖନୀୟ ସ୍ଥାନ ପ୍ରଦାନ କରିଛି। ଲିଭର୍ ଶରୀରର ସବୁଠାରୁ ବଡ଼ ଗ୍ରନ୍ଥି। ଏହା ପାଚନ ପ୍ରକ୍ରିୟାରେ ସହାୟକ ଏକାଧିକ ପାଚକରସ ସୃଷ୍ଟି କରିବା ସହ ଶରୀରକୁ ବିଷମୁକ୍ତ (ଡିଟକ୍ସିଫିକେସନ୍) କରିଥାଏ। ଖାଦ୍ୟ, ଔଷଧ ଓ ବିଭିନ୍ନ ହରମୋନ୍ ଇତ୍ୟାଦି ଯକୃତରେ ହଜମ ହୋଇଥାଏ। ଯକୃତ ପିତ୍ତରସ କ୍ଷରଣ କରେ, ଯାହା ଚର୍ବି ଓ ଭିଟାମିନ୍ ହଜମରେ ସାହାଯ୍ୟ କରେ। ଶରୀରର ସମସ୍ତ ପ୍ରୋଟିନ୍ ଯକୃତରେ ତିଆରି ହୁଏ। ରୋଗ ପ୍ରତିରୋଧ ଶକ୍ତି ନିୟନ୍ତ୍ରଣରେ ଯକୃତର ପ୍ରମୁଖ ଭୂମିକା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
କେଉଁ କ୍ଷେତ୍ରରେ ପ୍ରତିରୋପଣ ଜରୁରି?
ଅତ୍ୟଧିକ ମଦ୍ୟପାନ, ହେପାଟାଇଟିସ୍ ବି ଓ ସି ସଂକ୍ରମଣ, ଶିରା-ପ୍ରଶିରାରେ ରକ୍ତ ସଞ୍ଚାଳନ ରୁଦ୍ଧ ହେବା, ଫେଟି ଲିଭର, ବିଲିଆରି ସିରୋସିସ୍, ସ୍କ୍ଲେରୋଜିଂ କୋଲାଞ୍ଜାଇଟିସ୍, ଅଟୋଇମ୍ୟୁନ୍ ଲିଭର ସଂକ୍ରମଣ, ବିଲିୟାରି ଏଟ୍ରେସିଆ, ହେପାଟୋବ୍ଲାଷ୍ଟୋମା ଓ ଲିଭର କ୍ୟାନସର ଇତ୍ୟାଦି କାରଣରୁ ଲିଭର କ୍ଷତିଗ୍ରସ୍ତ ହୋଇଥାଏ। ଯେତେବେଳେ ଯକୃତ ଅକର୍ମଣ୍ୟ ହୋଇଯାଏ ସେତେବେଳେ ପ୍ରତିରୋପଣ ଆବଶ୍ୟକ ହୋଇଥାଏ। ଲିଭର ସିରୋସିସ୍ ଓ ଲିଭର କ୍ୟାନସରରୁ ଆରୋଗ୍ୟ ନିମିତ୍ତ ପ୍ରତିରୋପଣ ଏକାନ୍ତ ଆବଶ୍ୟକ।
ଲିଭର ହେଉଛି ଶରୀରର ଏକମାତ୍ର ଗ୍ରନ୍ଥି ଯାହାର ଅସାଧାରଣ ରିଜେନେରେଟିଭ (ବୃଦ୍ଧି) ଶକ୍ତି ରହିଛି। ତେଣୁ ଲିଭରର ଅର୍ଦ୍ଧେକ ଅଂଶ ଦାନ କରାଯାଏ। ୧-୨ ମାସ ମଧ୍ୟରେ ଉଭୟ ଗ୍ରହୀତା ଓ ଦାତାଙ୍କ ଶରୀରରେ ଏହା ବୃଦ୍ଧି ପାଇ ସାଧାରଣ ଅବସ୍ଥାକୁ ଆସିଯାଇଥାଏ
ଅର୍ଦ୍ଧେକ ଅଂଶ କାହିଁକି?
ଲିଭର ହେଉଛି ଶରୀରର ଏକମାତ୍ର ଗ୍ରନ୍ଥି ଯାହାର ଅସାଧାରଣ ରିଜେନେରେଟିଭ (ବୃଦ୍ଧି) ଶକ୍ତି ରହିଛି। ତେଣୁ ଲିଭରର ଅର୍ଦ୍ଧେକ ଅଂଶ ଦାନ କରାଯାଏ। ଏହା ୧-୨ ମାସ ମଧ୍ୟରେ ଉଭୟ ଗ୍ରହୀତା ଓ ଦାତାଙ୍କ ଶରୀରରେ ବୃଦ୍ଧି ପାଇ ସାଧାରଣ କର୍ମଦକ୍ଷତାକୁ ଫେରିଆସେ।
କିଏ ଦେଇପାରିବେ ଯକୃତ?
ସାଧାରଣତଃ ନିଜ ପରିବାର ବା ରକ୍ତ ସମ୍ପର୍କୀୟମାନେ ଯକୃତ ଦାନ କରିଥାନ୍ତି। ବିଶେଷ କ୍ଷେତ୍ରରେ ଅନ୍ୟମାନେ ମଧ୍ୟ ଲିଭର ଦାନ କରିପାରନ୍ତି ଯଦି ତାଙ୍କର ରକ୍ତଗ୍ରୁପ୍ ସହ ରୋଗୀର ରକ୍ତଗ୍ରୁପ୍ ମେଳ ଖାଏ। ଉଭୟ ଦାତା ଓ ଗ୍ରହୀତାଙ୍କର ବିଭିନ୍ନ ପ୍ରକାର ପରୀକ୍ଷା କରାଯାଏ। ଯକୃତର ପରିମାଣ ମାପିବା ପାଇଁ ଏମ୍.ଆର୍.ଆଇ. ପରୀକ୍ଷା ହୁଏ। ଯଦି କୌଣସି ବ୍ୟକ୍ତିର ଜୀବାଣୁ ସଂକ୍ରମଣ, ହୃତ୍ପିଣ୍ଡ, କିଡ୍ନି, ଫୁସ୍ଫୁସ୍ ରୋଗ ବା କ୍ୟାନସର ଇତ୍ୟାଦି ରୋଗ ଥାଏ ସେ ପ୍ରତିରୋପଣ ପାଇଁ ଉପଯୁକ୍ତ ହୁଅନ୍ତି ନାହିଁ। ଯେଉଁ ରୋଗୀମାନେ ମଦ୍ୟପାନ କରନ୍ତି ଅନ୍ତତଃ ୬ ମାସ ମଦ୍ୟପାନରୁ ନିବୃତ୍ତ ହେବା ଆବଶ୍ୟକ।
ପ୍ରତିରୋପଣ ପ୍ରକ୍ରିୟା
ପ୍ରତିରୋପଣ ସମୟରେ ସାଧାରଣତଃ ପ୍ରତିରୋପଣ କରୁଥିବା ସର୍ଜନ, ଲିଭର ବିଶେଷଜ୍ଞ, ରେଡିଓଲୋଜିଷ୍ଟ, ପାଥୋଲୋଜିଷ୍ଟ, ବାଓକେମିଷ୍ଟ୍ରି ବିଶେଷଜ୍ଞ, ଟ୍ରାନ୍ସଫ୍ୟୁଜନ୍ ବିଶେଷଜ୍ଞ, ମାଇକ୍ରୋବାୟୋଲୋଜିଷ୍ଟ, କ୍ରିଟିକାଲ କେୟାର ସ୍ପେସାଲିଷ୍ଟ, ପଲ୍ମୋନାରି ବିଶେଷଜ୍ଞ ଓ ଆନାନ୍ଥେସିଆ ବିଶେଷଜ୍ଞ ଉପସ୍ଥିତ ଥାଆନ୍ତି। ସେମାନେ ସମ୍ମିଳିତ ଉଦ୍ୟମରେ ଏହି ପ୍ରକ୍ରିୟାକୁ ଆଗେଇ ନିଅନ୍ତି। ଉଭୟ ଦାତା ଓ ଗ୍ରହୀତାଙ୍କର ଏକ ସାଙ୍ଗରେ ୨ଟି ଟେବୁଲରେ ଅସ୍ତ୍ରୋପଚାର କରାଯାଏ।
ଅସ୍ତ୍ରୋପଚାର କକ୍ଷରେ ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଦାତାଙ୍କ ଦେହରୁ ଯକୃତର ଅର୍ଦ୍ଧେକ ଅଂଶ କାଟି ବାହାର କରନ୍ତି। ଆଉ ଏକ ଟିମ୍ ରୋଗୀର ଦେହରୁ ରୋଗଗ୍ରସ୍ତ ଲିଭରକୁ କାଢ଼ିଦିଅନ୍ତି। ତା’ପରେ ନୂଆ ଯକୃତ ରୋଗୀର ଦେହରେ ଲଗାଯାଇ ତା’ର ରକ୍ତନଳୀ, ପିତ୍ତନଳୀ ଓ ଅନ୍ୟାନ୍ୟ ରକ୍ତ ଶିରା ସହିତ ସଂଯୁକ୍ତ କରାଯାଏ, ଯାହାଫଳରେ ନୂଆ ଲିଭରକୁ ରକ୍ତ ସଞ୍ଚାଳନ ଭଲ ଭାବରେ ହୋଇଯାଏ।
ପ୍ରତିରୋପଣ ପରବର୍ତ୍ତୀ ଯତ୍ନ
ଅପରେସନ୍ ପରେ ରୋଗୀ ସାଧାରଣତଃ ୧ ସପ୍ତାହ ଆଇସିୟୁରେ ୨୪ ଘଣ୍ଟା କଡ଼ା ପର୍ଯ୍ୟବେକ୍ଷଣ ଭିତରେ ରହେ। ଧୀରେଧୀରେ ରୋଗୀ ଭେଣ୍ଟିଲେଟରରୁ ବାହାରି ଆସେ ଓ ଆରୋଗ୍ୟ ଲାଭ କରେ।
ପ୍ରତିରୋପଣ ପରେ ରୋଗୀର ହୁଏତ ସଂକ୍ରମଣ, ରକ୍ତକ୍ଷରଣ, ପିତ୍ତକ୍ଷରଣ, ଶିରାରେ ରକ୍ତ ପ୍ରବାହିତ ନହେବା ବା ରିଜେକ୍ସନ୍ ଇତ୍ୟାଦି ଜଟିଳତା ଦେଖା ଦେଇପାରେ। କିନ୍ତୁ ଠିକ୍ ସମୟରେ ଚିକିତ୍ସା କଲେ ଅନ୍ତତଃ ୯୦ ଶତାଂଶ ରୋଗୀ ୧ ବର୍ଷ ଓ ୭୫ ଶତାଂଶ ରୋଗୀ ୧୦ ବର୍ଷ ପର୍ଯ୍ୟନ୍ତ ସୁସ୍ଥ ଜୀବନଯାପନ କରନ୍ତି। ବହୁ ଦାତା ଓ ଗ୍ରହୀତା ଏହି ଟ୍ରାନ୍ସପ୍ଲାଣ୍ଟ୍ ମାଧ୍ୟମରେ ସୁସ୍ଥ ଜୀବନଯାପନ କରୁଛନ୍ତି।