ମାଲକାନଗିରି: ଜିଲ୍ଲାର ଦୁଇଟି ଆସନ ମଧ୍ୟରୁ ମାଲକାନଗିରି ନିର୍ବାଚନ ମଣ୍ଡଳୀର ତିନୋଟି ପ୍ରମୁଖ ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରିସାରିଥିଲେ ମଧ୍ୟ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଓ ବିଜେପି ନିଜ ନିଜ ପ୍ରାର୍ଥୀ ଘୋଷଣା କରିବାରେ ବିଳମ୍ବ କରୁଥିଲେ। ମଙ୍ଗଳବାର ବିଜେପି ଡମ୍ବରୁ ଶିଶାଙ୍କୁ ଟିକଟ ପ୍ରଦାନ କରିଥିବା ବେଳେ ଆଜି ବିଜେଡି ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଟିକଟ ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ କିଛି ଦିନ ହେଲା ବିଜେଡିର ଗୋଷ୍ଠୀ କନ୍ଦଳକୁ ନେଇ ବିଜେଡି ଟିକଟ କାହାକୁ ଦେବ ସେନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିଥିବା ବେଳେ ଶେଷ ମୂହର୍ତ୍ତରେ ଲକ୍ଷ୍ମୀପ୍ରିୟାଙ୍କୁ ବିଜେଡି ଟିକଟ ଦେଇଛି। ଲକ୍ଷ୍ମୀପ୍ରିୟାଙ୍କ ଭାଇ ଓ ଦାଦା ତାଂକୁ ଟିକଟ ଦେଲେ ସମର୍ଥନ ଏକ ପ୍ରକାର ନକରିବା ପାଇଁ ସଫା ସଫା କହିଥିବା ବେଳେ ଭାଇ ମହେଶ ବାକା ଦଳରୁ ଇସ୍ତଫା ଦେଇଥିଲେ। ଲଗାତାର ଲକ୍ଷ୍ମୀପ୍ରିୟାଙ୍କ ନାମକୁ ନେଇ ଚର୍ଚ୍ଚା ହେବାରୁ ତାଂକ ବିରୋଧରେ କିଛି ଗୋଷ୍ଠୀ ଘନ ଘନ ବୈଠକ କରି ବିରୋଧ କରିଚାଲିଥିଲେ। କିନ୍ତୁ ଶେଷରେ ଲକ୍ଷ୍ମୀପ୍ରିୟା ହିଁ ଟିକଟ ପାଇ ସମସ୍ତଙ୍କୁ ଚକିତ କରିଛନ୍ତି।
ଲକ୍ଷ୍ମୀଙ୍କ ନାମକୁ ପ୍ରଥମେ ବିଜେଡି ଫାଇନାଲ କରିଥିବା ବେଳେ ବିରୋଧ ପରେ ଏହା ଅଟକି କିଛି ପୁଲିସ ଅଧିକାରୀଙ୍କ ନାମ ଯୋଡି ହୋଇଥିଲା। ପର ମୁହର୍ତ୍ତରେ ପୁଣି ଲକ୍ଷ୍ମୀ ଭୁବନେଶ୍ବରସ୍ଥିତ ଶଂଖ ଭବନ ଛାଡ଼ି ନଥିବା ବେଳେ ତାଂକୁ ଟିକଟ ଦେବା ନେଇ ଜବରଦସ୍ତ ଲବି କରିଥିଲେ। ଫଳରେ ଲକ୍ଷ୍ମୀଙ୍କ ସମର୍ଥକ ଓ ବିରୋଧୀଙ୍କୁ ଡାକି ଶଂଖ ଭବନରେ ବୁଝାସୁଝା କରାଯାଇଥିବା ଜଣାପଡିଥିଲା। ଗତ ତିନି ତଳୁ ହିଁ ଲକ୍ଷ୍ମୀଙ୍କ ନାମ ନିଷ୍ପତ୍ତି ହୋଇସାରିଥିବା ମାଲକାନଗିରିରେ ଚର୍ଚ୍ଚା ଜୋର ଧରିଥିଲା। ବିଜେଡି ତାଂକ ନାମକୁ ଘୋଷଣା କରି ସମସ୍ତ ଆଲୋଚନାର ପୂର୍ଣ୍ଣଛେଦ ପକାଇଛି। ବର୍ତ୍ତମାନ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ବିଜେଡିର ଲକ୍ଷ୍ମୀପ୍ରିୟା, ବିଜେପିର ଡମ୍ବରୁ ଶିଶା ଏବଂ କଂଗ୍ରେସର ମଙ୍ଗୁ ଖିଲଙ୍କ ମଧ୍ୟରେ ଜୋରଦାର ଟକ୍କର ହେବ ବୋଲି କୁହାଯାଇଛି।