ପ୍ରତିଶୋଧ ‌ନେବ ଇସ୍ରାଏଲ: ଟାର୍ଗେଟରେ ଇରାନ

କଟକଣା ଲଗାଇବ ଆମେରିକା

ତେଲ୍‌ ଅଭିଭ୍‌: ଇସ୍ରାଏଲ ଉପରେ ଇରାନର ସିଧାସଳଖ ଆକ୍ରମଣର ଜବାବ ଦେବା ପାଇଁ ପ୍ରତିଶୋଧମୂଳକ ଯୋଜନା ଚୂଡ଼ାନ୍ତ କରିଛି ଇହୁଦୀ ରାଷ୍ଟ୍ର ଇସ୍ରାଏଲ। ତେବେ ଏହି ଆକ୍ରମଣ କେବେ ହେବ ସେ ସଂପର୍କରେ କୌଣସି ସୂଚନା ମିଳିନାହିଁ। ଇତିମଧ୍ୟରେ ଆମେରିକା ଇରାନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଘୋଷଣା କରିଛି, ଯେଉଁଥିରେ ଦେଶର କ୍ଷେପଣାସ୍ତ୍ର ଓ ଡ୍ରୋନ କାର୍ଯ୍ୟକ୍ରମ ମଧ୍ୟ ସାମିଲ ରହିଛି। ଜାତୀୟ ନିରାପତ୍ତା ପରାମର୍ଶଦାତା (ଏନ୍ଏସ୍ଏ) ଜେକ୍ ସୁଲିଭାନ୍ କହିଛନ୍ତି ଯେ ଆମେରିକା ଇରାନ ବିରୋଧରେ ତା’ର ଅପରିଣାମଦର୍ଶୀ କାର୍ଯ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ପଛଘୁଞ୍ଚା ଦେବ ନାହିଁ। ଆଗାମୀ ଦିନରେ ଆମେରିକା ଇରାନ ଓ ଏହାର କ୍ଷେପଣାସ୍ତ୍ର ତଥା ଡ୍ରୋନ୍ କାର୍ଯ୍ୟକ୍ରମକୁ ଟାର୍ଗେଟ କରି ନୂଆ କଟକଣା ଲଗାଇବା ସହ ଇସଲାମିକ ରିଭଲ୍ୟୁସନରୀ ଗାର୍ଡ କର୍ପସ୍ ଓ ଇରାନର ପ୍ରତିରକ୍ଷା ମନ୍ତ୍ରଣାଳୟକୁ ସମର୍ଥନ କରୁଥିବା ସଂସ୍ଥାଗୁଡ଼ିକ ଉପରେ ନୂଆ ପ୍ରତିବନ୍ଧକ ଲଗାଇବ ବୋଲି ସୁଲିଭାନ ମଙ୍ଗଳବାର କହିଛନ୍ତି। ସେ କହିଛନ୍ତି ଯେ ଇରାନର ସାମରିକ କ୍ଷମତା ଏବଂ ଫଳପ୍ରଦତାକୁ ନିୟନ୍ତ୍ରଣ କରିବା ଓ ହ୍ରାସ କରିବା ଏବଂ ଏହାର ସମସ୍ୟାଜନକ ଆଚରଣର ସମ୍ପୂର୍ଣ୍ଣ ମୁକାବିଲା କରିବା ପାଇଁ ଏହି ପ୍ରତିବନ୍ଧକ ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଇସ୍ରାଏଲ ଆକ୍ରମଣ ପରେ ଏହାର ସହଯୋଗୀ ଦେଶମାନେ ମଧ୍ୟ ଖୁବଶୀଘ୍ର ଇରାନ ଉପରେ ନିଜର ପ୍ରତିବନ୍ଧକ ଲଗାଇବେ ବୋଲି ୱାସିଂଟନ ଆଶା କରୁଛି। ଇସ୍ରାଏଲର ସାମରିକ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ହର୍ଜି ହାଲେଭି କହିଛନ୍ତି ଯେ ଇରାନ ଉପରେ ପ୍ରତିଆକ୍ରମଣର ସମୟ ନିଶ୍ଚିତ ହୋଇନାହିଁ। ଇସ୍ରାଏଲ୍ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ସେ ୩୨ଟି ଦେଶକୁ ଚିଠି ଲେଖି ଇରାନର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ରିଭଲ୍ୟୁସନରୀ ଗାର୍ଡ କର୍ପସକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିବାକୁ କହିଛନ୍ତି।

ସମ୍ବନ୍ଧିତ ଖବର