ଏଆଇ ସୌନ୍ଦର୍ଯ୍ୟ ପ୍ରତିଯୋଗିତା: ବିଶ୍ୱର ପ୍ରଥମ, ‘ଓସ୍କାର’ ଭଳି ହେବ

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏବେ ଦୁନିଆକୁ ଦଖଲ କରିବାକୁ ବସିଲାଣି। ଏହି ପରିପ୍ରେକ୍ଷୀରେ ଏବେ ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ବିଶ୍ୱର ପ୍ରଥମ ଏଆଇ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଆରମ୍ଭ କରିଛି, ଯେଉଁଠାରେ ସମ୍ପୂର୍ଣ୍ଣ ନକଲି ମଡେଲମାନେ ମୋଟ ୧୬,୦୦୦ ପାଉଣ୍ଡ (୨୦,୦୦୦ ଡଲାର) ମୂଲ୍ୟର ପୁରସ୍କାର ରାଶି ଜିତିବାର ସୁଯୋଗ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଆସନ୍ତା ମାସରେ ହେବାକୁ ଥିବା ଏକ ଅନ୍‌ଲାଇନ୍ କାର୍ଯ୍ୟକ୍ରମରେ ଭବିଷ୍ୟବାଦୀ ଫ୍ୟାନଭ୍ୟୁ ୱାର୍ଲଡ ଏଆଇ କ୍ରିଏଟର ଆୱାର୍ଡ (ଡବ୍ଲ୍ୟୁଏଆଇସିଏ) ଦ୍ବାରା କମ୍ପ୍ୟୁଟର-ନିର୍ମିତ ବ୍ୟକ୍ତିବିଶେଷଙ୍କ ସୌନ୍ଦର୍ଯ୍ୟ, ବୈଷୟିକତା ଓ ସୋସିଆଲ ମିଡିଆର ଦବଦବା ଉପରେ ବିଚାର କରାଯିବ। ୧୦,୦୦୦ ଏଆଇ ମଡେଲ ଏବେ ଇଣ୍ଟରନେଟ୍‌ରେ ଝଡ଼ ସୃଷ୍ଟି କରୁଥିବା ବେଳେ ଏହି ସମାରୋହ ଟେକ୍ନୋଲୋଜି ଜଗତର ‘ଓସ୍କାର’ ହୋଇପାରେ ବୋଲି ନିର୍ମାତାମାନେ କହିଛନ୍ତି। ଏହାର ଶ୍ରେଷ୍ଠ ୧୦ ଜଣ ଫାଇନାଲିଷ୍ଟଙ୍କ ନାମ ଆସନ୍ତା ମାସ ଶେଷରେ ହେବାକୁ ଥିବା ଚୂଡ଼ାନ୍ତ ସମାରୋହ ପୂର୍ବରୁ ମେ ୧୦ରେ ଘୋଷଣା କରାଯିବ। ଏଣ୍ଟ୍ରିଗୁଡିକ ସମ୍ପୂର୍ଣ୍ଣ ଭାବରେ ଏଆଇ-ଜେନେରେଟେଡ୍ ହେବା ଆବଶ୍ୟକ, ଡିପ୍‌ଫେକ୍‌ ଚଳିବନି। ମିସ୍ ଏଆଇ ବିଜେତାଙ୍କୁ ନଗଦ ୪,୦୦୦ ପାଉଣ୍ଡ (୫,୦୦୦ ଡଲାର) ସହ ମେଣ୍ଟରସିପ ବାବଦରେ ୨,୦୦୦ ପାଉଣ୍ଡ ମିଳିବ। ଉପବିଜେତାଙ୍କୁ ୧,୬୦୦ ପାଉଣ୍ଡ ମୂଲ୍ୟର ଏକ ପ୍ରମୋସନାଲ ପ୍ୟାକେଜ୍ ଏବଂ ଏକ ସ୍ୱତନ୍ତ୍ର କ୍ରିଏଟର କୋର୍ସର ଆକ୍‌ସେସ୍ ମିଳିବ। ତୃତୀୟ ସ୍ଥାନର ବିଜେତା ଫ୍ୟାନଭ୍ୟୁ ସହିତ ଏକ କନ୍ସଲଟାନ୍ସି କଲ୍ ଏବଂ ୪୦୦ ପାଉଣ୍ଡ ପ୍ରମୋସନାଲ ପ୍ୟାକେଜ୍ ପାଇବେ।

ସମ୍ବନ୍ଧିତ ଖବର