ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଆଜି ପ୍ରଚାର ଶେଷ ହୋଇଛି। ନିର୍ବାଚନୀ ଇସ୍ତାହାର ଓ ଲୋଭନୀୟ ପ୍ରତିଶ୍ରୁତିଗୁଡ଼ିକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ଓ କଂଗ୍ରେସ ମଧ୍ୟରେ ବାକ୍ଯୁଦ୍ଧ ଦେଖିବାକୁ ମିଳୁଛି। କଂଗ୍ରେସ ବିଜେପିର ‘ସଂକଳ୍ପ ପତ୍ର’ ବା ‘ମୋଦୀ କି ଗ୍ୟାରେଣ୍ଟି’ ଶୀର୍ଷକ ଇସ୍ତାହାରକୁ ‘ ‘ଫମ୍ପା ପ୍ରତିଶ୍ରୁତି’ ବୋଲି ଅଭିହିତ କରିଛି। ୨୦୧୯ରେ ବାର୍ଷିକ ୨ କୋଟି ନିଯୁକ୍ତି ଏବଂ କୃଷକଙ୍କ ଆୟ ଦ୍ୱିଗୁଣିତ କରିବାକୁ ପ୍ରତିଶ୍ରୁତି ଦେଇଥିବା ବିଜେପି ଅଦ୍ୟାବଧି ଏହା ପୂରଣ କରିନାହିଁ ବୋଲି ଦଳ ଅଭିଯୋଗ କରିଛି। ଅପରପକ୍ଷେ କଂଗ୍ରେସର ଇସ୍ତାହାର ‘ଘର ଘର ଗ୍ୟାରେଣ୍ଟି’କୁ ‘ଲାଞ୍ଚ ଭଳି ଦୁର୍ନୀତି’ ବୋଲି କହି ବିଜେପି ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ କଂଗ୍ରେସ ଯେଉଁ ଗ୍ୟାରେଣ୍ଟି ଘୋଷଣା କରିଥିଲା, ତାକୁ ବିଜେପି ତୁରନ୍ତ ‘ମାଗଣା ବଣ୍ଟନ’ ବୋଲି କହିଥିଲା। ରାଜ୍ୟରେ କଂଗ୍ରେସର ବିଜୟ ପାଇଁ ଏହି ଗ୍ୟାରେଣ୍ଟିକୁ ମୁଖ୍ୟତଃ ଶ୍ରେୟ ଦିଆଯାଇଥିଲା। ନିର୍ବାଚନ କମିସନଙ୍କ ନିକଟରେ ବିଜେପି ଦାବି କରିଛି ଯେ କମିସନ ତୁରନ୍ତ କଂଗ୍ରେସକୁ ଏପରି ଗ୍ୟାରେଣ୍ଟି କାର୍ଡ କିମ୍ବା ମାଗଣା ବଣ୍ଟନର ପ୍ରତିଶ୍ରୁତି ଉପରେ ରୋକ୍ ଲଗାନ୍ତୁ, ଯାହା କି ନିର୍ବାଚନୀ ଲାଞ୍ଚ ସଦୃଶ ଏବଂ ଯାହା ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଉଦ୍ଦିଷ୍ଟ। ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରି ବିଜେପି କହିଛି ଯେ ପ୍ରତିଶ୍ରୁତି ଦିଆଯାଇଥିବା ସୁବିଧା ପାଇଁ ଆବେଦନ ଫର୍ମ ସହିତ ତଥାକଥିତ ଗ୍ୟାରେଣ୍ଟି କାର୍ଡ ପ୍ରତି ପରିବାରକୁ ବଣ୍ଟନ କରାଯାଉଛି। ନିର୍ବାଚନ ଆୟୋଗ କହିଛନ୍ତି, କେବଳ ସେହି ପ୍ରତିଶ୍ରୁତି ଉପରେ ଭୋଟରଙ୍କ ଆସ୍ଥା ଲୋଡାଯିବା ଉଚିତ, ଯାହା ପୂରଣ ହେବା ସମ୍ଭବ। ଇସ୍ତାହାର ଜାରି କରିବା ରାଜନୈତିକ ଦଳଗୁଡ଼ିକର ଅଧିକାର ହୋଇଥିଲେ ମଧ୍ୟ ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ଏବଂ ସମସ୍ତ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ପାଇଁ ସମାନ ସୁଯୋଗ ବଜାୟ ରଖିବା ଉପରେ କେତେକ ପ୍ରତିଶ୍ରୁତିର ଅବାଞ୍ଛିତ ପ୍ରଭାବକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ଆୟୋଗ କହିଛନ୍ତି।