ଲଜ୍ଜା: ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିବା ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା
ପ୍ରଥମ ଘଟଣାଟି ଉତ୍ତରପ୍ରଦେଶରେ ଘଟିଥିବା ବେଳେ ଦ୍ୱିତୀୟଟି ଘଟିଛି ଛତିଶଗଡ଼ରେ
ନୂଆଦିଲ୍ଲୀ: କଠୁଆ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତାତି ଦେଶରୁ ଥମି ନଥିବା ବେଳେ, ଗତ ଗୁରୁବାର ରାତରେ ଘଟିଯାଇଥିବା ଆଉ ଦୁଇଟି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି। ପ୍ରଥମ ଘଟଣାଟି ଉତ୍ତରପ୍ରଦେଶରେ ଘଟିଥିବା ବେଳେ ଦ୍ୱିତୀୟଟି ଘଟିଛି ଛତିଶଗଡ଼ରେ। ଗତ ଗୁରୁବାର ରାତିରେ ଉତ୍ତରପ୍ରଦେଶ ଓ ଛତିଶଗଡ଼ରେ ଦୁଇଟି ପୃଥକ ପୃଥକ ଘଟଣାରେ ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିବା ଦୁଇଜଣ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ସେମାନଙ୍କୁ ହତ୍ୟା କରିଛନ୍ତି ଅଭିଯୁକ୍ତ।
Sambad is now on WhatsApp
Join and get latest news updates delivered to you via WhatsApp
ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ପ୍ରଥମ ଘଟଣାଟି ଘଟିଛି ଏବେ ଦୁଷ୍କର୍ମକାରୀଙ୍କ ପାଇଁ ଭୂସ୍ୱର୍ଗରେ ପରିଣତ ହୋଇଥିବା ଉତ୍ତରପ୍ରଦେଶର ଇଟଓ୍ଵା ଜିଲ୍ଲାରେ। ଏକ ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିବା ଜନୈକା ୯ ବର୍ଷ ବୟସ୍କା ନାବାଳିକାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଛି, ସେହି ବିବାହ ଉତ୍ସବରେ ରୋଷେଇ କରିବାକୁ ଆସିଥିବା ପିଣ୍ଟୁ କୁମାର ନାମକ ଜନୈକ ୨୫ ବର୍ଷ ବୟସ୍କ ରୋଷେୟା।
ପୁଲିସ୍ ଅଭିଯୁକ୍ତ ଦୁଷ୍କର୍ମକାରୀ ରୋଷେୟା ପିଣ୍ଟୁ କୁମାରକୁ ଗିରଫ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତରାତିରେ ଘଟିଥିବା ଏହି ଲଜ୍ଜାଜନକ ଘଟଣାର ଠିକ୍ ତିନିଦିନ ପୂର୍ବରୁ ସେଠାରୁ ୫୦ କିଲୋମିଟର ଦୂର ଅନ୍ୟ ଏକ ସ୍ଥାନରେ ଠିକ୍ ସମାନ ଢ଼ଙ୍ଗରେ ଓ ସମାନ ଘଟଣାକ୍ରମରେ ଅନ୍ୟଜଣେ ନାବାଳିକାକୁ ଦୁଷ୍କର୍ମ କରାଯିବା ସହ ହତ୍ୟା କରା ଯାଇଥିଲା।
ସେହିପରି, ଦ୍ୱିତୀୟ ଘଟଣାଟି ଘଟିଛି ଛତିଶଗଡ଼ର କବିରଧାମ ଜିଲ୍ଲାରେ। ସେଠାରେ ମଧ୍ୟ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିବା ଅନ୍ୟଜଣେ ୧୦ ବର୍ଷ ବୟସ୍କା ନାବାଳିକାକୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା କରାଯାଇଛି। ଏହି ଘଟଣାରେ ବରର ଜନୈକ ସାଙ୍ଗ ଉତ୍ତମ ସାହୁ ସଂପୃକ୍ତା ୧୦ ବର୍ଷ ବୟସ୍କା ନାବାଳିକାକୁ ଅପହରଣ କରିନେଇ ଦୁଷ୍କର୍ମ କରିବା ପରେ ପଥରରେ ଛେଚି ହତ୍ୟା କରିଥିବା ଜଣାପଡ଼ିବା ପରେ ପୁଲିସ୍ ଅଭିଯୁକ୍ତ ଉତ୍ତମକୁ ଗିରଫ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।