ପାଇଲଟ୍ ଅଭିନନ୍ଦନ ପାକ୍ କବ୍ଜାରେ ଥିବା ବେଳେ ଭାଙ୍ଗି ପଡ଼ି ନ ଥିଲେ ପତ୍ନୀ ତନ୍ବୀ, ଚା’ର ସ୍ୱାଦ ବିଷୟରେ ପଚାରି ପ୍ରସ୍ତୁତି ପ୍ରଣାଳୀ ବୁଝି ଆସିବାକୁ କହିଥିଲେ
ନୂଆଦିଲ୍ଲୀ : କିଛି ମାସ ତଳେ ଭାରତ-ପାକ୍ ମଧ୍ୟରେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା, ତାହାର ସମାଧାନ ଏ ପର୍ଯ୍ୟନ୍ତ ହୋଇ ପାରି ନାହିଁ । ଏବେ ବି ଦୁଇ ଦେଶ ମଧ୍ୟ ଗୋଳାବର୍ଷଣ ଜାରି ରହିଛି । ଫେବୃଆରି ୧୪ରେ ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ଏହାର ପ୍ରତିଶୋଧ ନେଇଥିଲା ଭାରତୀୟ ବାୟୁସେନା । ପାକ୍ ସୀମା ପାର୍ କରି ବାଲାକୋଟ୍ରେ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା । ଯାହା ଦ୍ୱାରା ପାକିସ୍ତାନରେ ରହୁଥିବା ଜୈସ୍-ଇ-ମହମ୍ମଦର ୩୦୦ଆତଙ୍କବାଦୀ ନିହତ ହୋଇଥିଲେ ବୋଲି ଦାବି କରାଯାଇଥିଲା । ଏ ଖବର ସାରା ଦେଶବାସୀଙ୍କୁ ଖୁସି କରାଇଥିବା ବେଳେ ଭାରତୀୟ ଉଇଙ୍ଗ୍ କମାଣ୍ଡର ଅଭିନନ୍ଦନ ପାକ୍ କବ୍ଜା ଚାଲିଯିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିଲା। ପାଇଲଟ୍ ଅଭିନନ୍ଦନଙ୍କୁ ନେଇ ସାରା ଦେଶ ଚିନ୍ତାରେ ଥିବା ବେଳେ ତାଙ୍କ ପରିବାର ଦମ୍ଭ ଧରି ରହିଥିବା ଜଣାପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ପାଇଲଟ୍ ଅଭିନନ୍ଦନ ପାକ୍ କବ୍ଜାକୁ ଯିବା ପରେ ତାଙ୍କର ଏକ ଚା’ ପିଉଥିବାର ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ପାଇଲଟ୍ ଅଭିନନ୍ଦନ ଚା’ର ପ୍ରଶଂସା କରୁଥିବା ଦେଖା ଯାଇଥିଲା । ଏହାର କିଛି ସମୟ ପରେ ପାକ୍ ସେନା ପାଇଲଟ୍ ଅଭିନନ୍ଦନଙ୍କ ବିଶ୍ୱାସ ଜିତି ତାଙ୍କଠାରୁ ଗୁପ୍ତ ସୂଚନା ସଂଗ୍ରହ କରିବା ପାଇଁ ପତ୍ନୀ ତନ୍ବୀଙ୍କ ସହ କଥା ହେବା ପାଇଁ ଅନୁମତି ଦେଇଥିଲେ । ପାଇଲଟ୍ ଅଭିନନ୍ଦନ ପତ୍ନୀ ତନ୍ବୀଙ୍କ ସହ କଥା ହେବା ପରେ ତନ୍ବୀ ପାକ୍ ସେନାର ଚାଲ ବୁଝି ପାରି କୌଣସି ଗୁପ୍ତ ସୂଚନା ବିଷୟରେ ଆଲୋଚନା କରି ନ ଥିଲେ । କେବଳ ଚା’ କିପରି ବୋଲି ପଚାରିବା ପରେ ପାଇଲଟ୍ ଅଭିନନ୍ଦନ ଚା’ର ଖୁବ୍ ପ୍ରଶଂସା କରିବା ସହ ତୁମ ଚା’ଠାରୁ ମଧ୍ୟ ବହୁତ ଭଲ ଥିଲା ବୋଲି କହିଥିଲେ । ଏହା ଶୁଣି ତନ୍ବୀ, ଆସିବା ସମୟରେ ଚା’ର ପ୍ରସ୍ତୁତି ପ୍ରଣାଳୀ ସିଖି ଆସିବ ବୋଲି କହିଥିବା ଜଣା ପଡ଼ିଛି । ପ୍ରତିରକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସାକ୍ଷାତକାରରେ ଏହି ସୂଚନା ଦେବା ପରେ ଖବରଟି ସାମ୍ନାକୁ ଆସିଛି ।