ରଙ୍ଗରାଜନ୍ଙ୍କ ପରେ ନିତି ଆୟୋଗ ସିଇଓ ମାନିଲେ, ୫ ଟ୍ରିଲିଅନ ଅର୍ଥନୀତି ଲକ୍ଷ୍ୟ ହାସଲ କଷ୍ଟସାଧ୍ୟ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫ବର୍ଷ ମଧ୍ୟରେ ଭାରତର ଅର୍ଥନୀତିକୁ ୫ ଟ୍ରିଲିଅନ ଡଲାରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ଏହି ଲକ୍ଷ୍ୟକୁ ନେଇ ଏବେ ପ୍ରଶ୍ନ ଉଠିଲାଣି। ଗତକାଲି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ସି. ରଙ୍ଗରାଜନ୍ ଏହି ଲକ୍ଷ୍ୟ ହାସଲ ସମ୍ଭବ ନୁହେଁ ବୋଲି କହିବା ପରେ ଆଜି ନିତି ଆୟୋଗ ସିଇଓ ଅମିତାଭ କାନ୍ତ ମଧ୍ୟ ଏଭଳି ଆଶଙ୍କା ବ୍ୟକ୍ତ କରିଛନ୍ତି। ସଂସଦର ଅର୍ଥ ସଂକ୍ରାନ୍ତ ସ୍ଥାୟୀ କମିଟି ସମ୍ମୁଖରେ ନିତି ଆୟୋଗ ସିଇଓ ଉପସ୍ଥାପନ କରିଥିବା ଏକ ସନ୍ଦର୍ଭରେ ଏହି ଆଶଙ୍କା ବ୍ୟକ୍ତ କରିଛନ୍ତି ବୋଲି ଜଣାଯାଇଛି। ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ଅର୍ଥନୀତିର ବାର୍ଷିକ ନୋମିନାଲ ଜିଡିପି ଅଭିବୃଦ୍ଧି ହାର ୧୨.୪ ପ୍ରତିଶତ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ୨୦୨୫ ସୁଦ୍ଧା ଭାରତକୁ ୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବା କ୍ଷେତ୍ରରେ ଅନେକ ପ୍ରତିବନ୍ଧକ ରହିଛି ବୋଲି ସେ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଦେଶର ନୋମିନାଲ ଜିଡିପି ଅଭିବୃଦ୍ଧି ୮ ପ୍ରତିଶତ ରହିଥିଲା ବୋଲି ସେ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସର ଜିଡିପି ଅଭିବୃଦ୍ଧି ରିପୋର୍ଟ ସରକାର ଚଳିତମାସ ଶେଷ ଆଡକୁ ପ୍ରକାଶ କରିବେ। କିନ୍ତୁ ପ୍ରଥମ ତ୍ରୟମାସ ତୁଳନାରେ ଦ୍ବିତୀୟ ତ୍ରୟମାସର ଜିଡିପି ଅଭିବୃଦ୍ଧି କମ୍ ରହିବ ବୋଲି ବିଶେଷଜ୍ଞମାନେ ପୂର୍ବରୁ ଆକଳନ କରିଛନ୍ତି। ଉଭୟ ବାସ୍ତବ ଏବଂ ନୋମିନାଲ ଜିଡିପି କମିବ ବୋଲି କୁହାଯାଇଛି। କମିଟି ସମ୍ମୁଖରେ ଶ୍ରୀ କାନ୍ତ ତାଙ୍କ ତଥ୍ୟ ଉପସ୍ଥାପନାରେ କହିଛନ୍ତି, ଅର୍ଥନୀତିର ନିରନ୍ତର ତ୍ବରିତ ବିକାଶ ପାଇଁ ଘରୋଇ ନିବେଶ ଏବଂ ବ୍ୟୟ ହେଉଛି ଦୁଇଟି ନିର୍ଭରଯୋଗ୍ୟ ମାଧ୍ୟମ। କିନ୍ତୁ ନିବେଶରେ ହ୍ରାସ ଦୃଶ୍ୟମାନ ହେଉଛି। ମୁଖ୍ୟତଃ ପାରିବାରିକ କ୍ଷେତ୍ରରେ ଏହି ହ୍ରାସ ପରିଲକ୍ଷିତ ହୋଇଛି। ଏହାର ଏକ ପ୍ରମୁଖ କାରଣ ରିଅଲ ଇଷ୍ଟେଟ ବୋଲି ସେ ମତ ଦେଇଛନ୍ତି।
ଶ୍ରୀ କାନ୍ତ ତାଙ୍କ ତଥ୍ୟରେ ଦର୍ଶାଇଛନ୍ତି, ବାସସ୍ଥାନ, ଅନ୍ୟାନ୍ୟ କୋଠା ଆଦି ନିର୍ମାଣ କ୍ଷେତ୍ରର ଯୋଗଦାନ ୨୦୧୧-୧୨ରେ ଜିଡିପିର ୧୨.୮ ପ୍ରତିଶତ ଥିବାବେଳେ ୨୦୧୭-୧୮ରେ ଏହା ୬.୯ ପ୍ରତିଶତକୁ ଖସିଆସିଛି। ଘରୋଇ କ୍ଷେତ୍ରରେ ମାନ୍ଦାବସ୍ଥାର ଅନ୍ୟତମ କାରଣ ହେଲା ବ୍ୟାଙ୍କ ଗୁଡ଼ିକରେ କମ୍ ପରିମାଣର ପୁଞ୍ଜି ଉପଲବ୍ଧତା। ବଡ଼ ଶିଳ୍ପ ଏବଂ ଭିତ୍ତିଭୂମି ପ୍ରକଳ୍ପର ଏନ୍ପିଏ ଯୋଗୁ ବ୍ୟାଙ୍କଗୁଡ଼ିକ ନିକଟରେ ସ୍ବଳ୍ପ ପୁଞ୍ଜି ଉପଲବ୍ଧ ହେଉଛି। ଶ୍ରୀ କାନ୍ତ କହିଛନ୍ତି, ଶକ୍ତି କ୍ଷେତ୍ରରେ ଲୋକମାନଙ୍କୁ କମ୍ ମୂଲ୍ୟରେ ବିଜୁଳି ଯୋଗାଇ ଦେବା ପାଇଁ ବିପୁଳ ରିହାତି ପ୍ରଦାନ କରାଯାଉଛି। ଫଳରେ ଏହି ରିହାତି ଜନିତ ବୋଝ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକୁ ବହନ କରିବାକୁ ପଡ଼ୁଛି। ଭାରତରେ ବିଜୁଳି ଶକ୍ତିର ସଞ୍ଚରଣ ଏବଂ ବଣ୍ଟନ କ୍ଷତି ୧୯ ପ୍ରତିଶତ ସ୍ତରରେ ରହିଛି। ଏହା ବାଂଲାଦେଶ ଏବଂ ଭିଏତ୍ନାମଠାରୁ ଅଧିକ ବୋଲି ସେ କହିଛନ୍ତି। ଭାରତ ବର୍ତ୍ତମାନ ଅନେକ ମୌଳିକ ସାମଗ୍ରୀ ବିଦେଶକୁ ରପ୍ତାନି କରୁଛି। ଏହା ପରିବର୍ତ୍ତେ ଉଚ୍ଚମୂଲ୍ୟର ପ୍ରଯୁକ୍ତି ଏବଂ ନିର୍ମାଣ ସାମଗ୍ରୀ ରପ୍ତାନି କରିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। ଉଦାହରଣ ଦେଇ କହିଛନ୍ତି, ଭାରତ ରପ୍ତାନି କରୁଥିବା ମୋବାଇଲ ଫୋନ୍ର ୯୮ ପ୍ରତିଶତ କମ୍ ମୂଲ୍ୟ ବର୍ଗର। ମଧ୍ୟ ପ୍ରାଚ୍ୟ ଏବଂ ଆଫ୍ରିକାକୁ ଭାରତ ଏହି ଫୋନଗୁଡ଼ିକୁ ରପ୍ତାନି କରୁଛି। ୨୦୧୭ ପରଠାରୁ ଭାରତର ବୟନ ସାମଗ୍ରୀର ରପ୍ତାନି ବହୁମାତ୍ରାରେ ହ୍ରାସ ପାଇଛି। ୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଘୋଷିତ ବିମୁଦ୍ରୀକରଣ ପଦକ୍ଷେପ ଯୋଗୁ ବୟନ ଶିଳ୍ପ ଖରାପ ସ୍ଥିତି ଦେଇ ଗତି କରୁଛି ବୋଲି ଅନେକ ବିଶେଷଜ୍ଞ ମତ ଦେଉଛନ୍ତି।