ବାଗ୍‌ଦେବୀ ସାହିତ୍ୟ ମହୋତ୍ସବ, ସାହିତ୍ୟରେ ସମସାମୟିକ ଅବସ୍ଥାକୁ ଚିତ୍ରଣ କରାଯାଉ

ମନୋଜ ଦାସଙ୍କୁ ବାଗ୍‌ଦେବୀ ସାହିତ୍ୟ ସମ୍ମାନ

ଭୁବନେଶ୍ବର: ସମସାମୟିକ ଅବସ୍ଥାକୁ ଚିତ୍ରଣ କରାଯାଉ ନ ଥିବାରୁ ବହି ପଢ଼ିବା ହ୍ରାସ ପାଉଛି। ଏପରିକି ଓଡ଼ିଶା‌ରେ ପ୍ରକାଶିତ ପୁସ୍ତକର ବିକ୍ରି ସଂଖ୍ୟା ଆଖିଦୃଶିଆ ହୋଇପାରୁନାହିଁ। ତେଣୁ ଲେଖାରେ ନୂତନତ୍ବ ରହିବା ଓ ସମସାମୟିକ ବ୍ୟବସ୍ଥାର ଚିତ୍ରଣ ସମେତ ଲୋକଙ୍କୁ ଯୋଡ଼ାଯିବା ଉଚିତ୍‌ ବୋଲି କହିଛନ୍ତି ବିଶିଷ୍ଟ ସାମ୍ବାଦିକ ତଥା ‘ଆଉଟ୍‌ଲୁକ୍‌’ ପତ୍ରିକାର ମୁଖ୍ୟ ସମ୍ପାଦକ ରୁବେନ ବାନାର୍ଜୀ। ଭଂଜ କଳାମଣ୍ଡପରେ ଆୟୋଜିତ ଦ୍ବିତୀୟ ‘ବାଗ୍‌ଦେବୀ ସାହିତ୍ୟ ମହୋତ୍ସବ’ରେ ମୁଖ୍ୟ ଅତିଥି ଭାବେ ‌ଯୋଗଦେଇ ସେ ଏହା କହିଛନ୍ତି।

ଏଥିରେ ବିଶିଷ୍ଟ କବି ପ୍ରତିଭା ଶତପଥୀ ଅତିଥି ଭାବେ ଯୋଗଦେଇ କହିଲେ, କବି ଲେଖା ମାଧ୍ୟମରେ ମଣିଷ ଜୀବନର ଋତୁ ବଦଳାଇ ଦେଇପାରେ। ଦୈନନ୍ଦିନ ଜୀବନର ସଂକୀର୍ଣ୍ଣତାକୁ ଆନନ୍ଦମୟ ଜୀବନରେ ରୂପାନ୍ତରିତ କରିପାରେ। ନୂତନ ଆଲୋକିତ ରାସ୍ତାକୁ ପାଦ ଦେଖାଇଥାଏ। ବିଶିଷ୍ଟ କବି ଡ.ଫନି ମହାନ୍ତି କହିଲେ, ବହୁ ସଂଖ୍ୟାରେ ସାରସ୍ବତ ଉତ୍ସବ ଓ ବହି ମେଳା ଅନୁଷ୍ଠିତ ହେଉଛି। ମାତ୍ର ମାନ ଅଭିବୃଦ୍ଧି ପାଇଁ ସେପରି ବିଚାର ବିମର୍ଶ ହେଉନାହିଁ। ୧୦-୧୫ଟି ବହି ଛାପିଦେଇ ଉନ୍ମୋଚନ କରାଇ ଦେଲେ କିମ୍ବା ରାଜା ରାମମୋହନ ରାୟ ପାଠାଗାର ପାଇଁ ଆବଶ୍ୟକ ବହି ଛାପି ଦେଲେ ସାହିତ୍ୟର ଗୁଣାତ୍ମକ ଅଭିବୃଦ୍ଧି ହେବ ନାହିଁ। ବହୁ ବିଶିଷ୍ଟ ଲେଖକଙ୍କ ସାହିତ୍ୟ କୃତି ଓଡ଼ିଶାର ସୀମା ଡେଉଁନାହିଁ। ଅନୁବାଦର ଘୋର ଅଭାବ ହିଁ ଏଥିରେ ସମସ୍ୟା ସୃଷ୍ଟି କରିଛି ବୋଲି ସେ କହିଥିଲେ। ବିଶିଷ୍ଟ କଥାକାର ଗୌରହରି ଦାସ କହିଲେ, ବହି ଓ ସାହିତ୍ୟ ଭିନ୍ନ। ବହି ହୁଏତ ମରି ଯାଇପାରେ କିନ୍ତୁ ସାହିତ୍ୟ ମରିବ ନାହିଁ। ତେବେ ବୌଦ୍ଧିକ ବଳୟ ସଂପ୍ରସାରିତ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ବିଜୟ ନାୟକ କହିଲେ, ଏବେ ବି ଅନେକ ଲୋକ ଅଛନ୍ତି ଯେଉଁମାନେ ‌ବହି ପଢ଼ୁଛନ୍ତି। କବି ତଥା ପ୍ରଶାସକ ପ୍ରଦୀପ ବିଶ୍ବାଳ କହିଲେ, ଏହି ଉତ୍ସବ ଭାଷା ଓ ସାହିତ୍ୟର ସମୃଦ୍ଧି‌ରେ ସହାୟକ ହୋଇପାରି‌ବ। ଏହି ଅବସରରେ ବିଶିଷ୍ଟ ଔପନ୍ୟାସିକ ଡ.ମନୋଜ ଦାସଙ୍କୁ ୨୫ ହଜାର ଟଙ୍କାର ଅର୍ଥରାଶି ସହ ବାଗ୍‌ଦେବୀ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ଡ.ଦାସଙ୍କ ଅନୁପସ୍ଥିତିରେ ସଂଘମିତ୍ର ଦାସ ଏହି ସମ୍ମାନ ଗ୍ରହଣ କରିଥିଲେ। ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବାଗ୍‌ଦେବୀ ସୃଜନୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଉତ୍ସବରେ ମେଘ ମହ୍ଲାର, କବିତା ବାଗ୍‌ଦେବୀ, କଥା ବାଗ୍‌ଦେବୀ ଓ ସ୍ମରଣିକା ‘ଅକ୍ଷରା’ ପୁସ୍ତକ ଲୋକାର୍ପିତ ହୋଇଥିଲା। ବାଗ୍‌ଦେବୀ ସାହିତ୍ୟ ମହୋତ୍ସବର ନିର୍ଦେଶିକା ମମତା ତ୍ରିପାଠୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ମତ ରଖିଥିବା ବେଳେ ଆଲୋକ କାନୁନ୍‌ଗୋ ବକ୍ତବ୍ୟ ରଖିଥିଲେ। ଇତିଶ୍ରୀ ସାହାଣୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସନ୍ଧ୍ୟାରେ ପଦ୍ମଶ୍ରୀ ସ‌ୁରେନ୍ଦର ଶର୍ମା ହାସ୍ୟରସ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର