ଭୁବନେଶ୍ବର: ରାଜ୍ୟରେ ଟେଷ୍ଟ ତୁଳନାରେ କମିଲା ଆକ୍ରାନ୍ତ ସଂଖ୍ୟା । ଗୋଟିଏ ଦିନରେ ରେକର୍ଡ଼ ସଂଖ୍ୟକ ୮ ହଜାର ୯୬ ଟେଷ୍ଟ ହୋଇଥିଲା । ହେଲେ ସେଥିରୁ ୪୯୪ ଜଣଙ୍କ ନମୁନାରୁ କରୋନା ଭୂତାଣୁ ଚିହ୍ନଟ ହୋଇଛି ଏବଂ କରୋନା ସଂକ୍ରମଣରେ ୨ ଜଣଙ୍କ ଜୀବନ ଯାଇଛି । ଏହି ଦୁଇ ମୃତକ ଗଂଜାମ ଜିଲ୍ଲାରୁ ବୋଲି ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୭୯କୁ ବଢିଯାଇଛି । ସେପଟେ ରାଜ୍ୟରେ ୧୫ ହଜାର ଟପିଛି ଆକ୍ରାନ୍ତ ସଂଖ୍ୟା ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ୨୪ ଘଣ୍ଟାରେ ୪୯୪ ନୂଆ ଆକ୍ରାନ୍ତ ଚିହ୍ନଟ ପରେ ୧୫ ହଜାର ୩୯୨କୁ ବଢି ଯାଇଛି ମୋଟ୍ ଆକ୍ରାନ୍ତ ସଂଖ୍ୟା । ୪୯୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୨୨ ଜଣ ସଂଗରୋଧ କେନ୍ଦ୍ରରୁ , ୧୭୨ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ୨୩ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଏହି ଆକ୍ରାନ୍ତ । ଆଜି ଗଂଜାମ ଜିଲ୍ଲାରୁ ସର୍ବାଧିକ ୨୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ରାଜ୍ୟରୁ ୬୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୧୦ ହଜାର ୪୭୬କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ଆକ୍ଟିଭ୍ ମାମଲା ସଂଖ୍ୟା ୪ ହଜାର ୮୧୩ ରହିଛି । ଗତ ୧୪ ତାରିଖରେ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୧୪ ହଜାର ପାର୍ କରିଥିଲା । ଏବେ ୩ ଦିନରେ ଏହା ୧୫ ହଜାର ସଂଖ୍ୟା ଅତିକ୍ରମ କରିଛି ।