ମାଲକାନଗିରି :ବେଳେବେଳେ ମାନବିକତା ହରାଇଥିବା ମଣିଷର ଶିକାର ହୁଅନ୍ତି ନିରୀହ ଜୀବଜନ୍ତୁ। ଲୋଭଗ୍ରସ୍ତ ମଣିଷ ପାଇଁ ବଳିପଡେ ସେମାନଙ୍କ ଜୀବନ। ହେଲେ ମଣିଷ ଚଞ୍ଚକତାର ଶୀକାର ହୋଇ ଜୀବଜନ୍ତୁ ଥାନା ହାଜତରେ ଦିନ କାଟିବା କଥା ଟିକେ ନିଆରା। ୨ଟି ଗଞ୍ଜା କୁକୁଡା ୨୫ଦିନ ହେଲା ପୋଲିସ ହେପାଜତରେ ରହିଛନ୍ତି। କେହି ଦାବିଦାର ମୁକୁଲାଇବା ପାଇଁ ଆସୁ ନଥିବାରୁ କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛି ସ୍ଥାନୀୟ ପୁଲିସ।ଏହି ଖବର ଯେତିକି କୌତୁହଳ ସୃଷ୍ଟି କରିଛି ସେତିକି ଉଦ୍ବେଗ ମଧ୍ୟ ପ୍ରକାଶ ପାଇଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାରେ ଦେଖିବାକୁ ମିଳିଛି ଏପରି ଅଜବ ଘଟଣା।
Sambad is now on WhatsApp
Join and get latest news updates delivered to you via WhatsApp
ତେଲେଙ୍ଗାନା ରାଜ୍ୟ ଖମାମ ଜିଲ୍ଲା ଅନ୍ତର୍ଗତ ବାନାପୁର ଗାଁରେ ମକର ସଂକ୍ରାନ୍ତି ତଥା ପୋଙ୍ଗଲ ଉପଲକ୍ଷେ କୁକୁଡ଼ା ଗାଲି (ଗଞ୍ଜା ଲଢ଼େଇ)ର ଆୟୋଜନ କରାଯାଇଥିଲା। ଟଙ୍କା ବାଜି ଲଗାଇ ଏହି ଲଢ଼େଇ ହେଉଥିବାରୁ ମୁଦିଗୋଣ୍ଡା ଥାନା ପୁଲିସ ଜାନୁଆରି ମାସ ୧୦ତାରିଖ ଦିନ ଚଢ଼ାଉ କରିଥିଲା। ବହୁ ସଂଖ୍ୟାରେ ଜୁଆଡ଼ିଙ୍କୁ ପୁଲିସ ଗିରଫ କରିବା ସହ ଲଢ଼େଇ କରୁଥିବା ଦୁଇ ଗଞ୍ଜାଙ୍କୁ ଉଦ୍ଧାର କରିଥିଲା। ପୁଲିସ ମାମଲା ରୁଜୁ କରି ଜୁଆଡ଼ିଙ୍କୁ କୋର୍ଟଚାଲାଣ କରିଥିଲା। ଉଦ୍ଧାର ଦୁଇ ଗଞ୍ଜାଙ୍କୁ ନିଜ ହେପାଜତରେ ରଖିଥିଲା। ବାହାରେ ଛାଡ଼ିଲେ କେଉଁ ଆଡ଼େ ଚାଲିଯିବାର ଆଶଙ୍କା ରହିଥିବାରୁ ସେମାନଙ୍କୁ ହାଜତରେ ରଖିଥିଲା ପୁଲିସ। ଅନ୍ୟପକ୍ଷେ କୋର୍ଟରେ ଜାମିନ ମିଳିଯିବାରୁ ସମସ୍ତ ଜୁଆଡ଼ି ମୁକୁଳି ଯାଇଥିଲେ। ହେଲେ ଗଞ୍ଜାମାନଙ୍କୁ ମୁକୁଳାଇବାକୁ ଭୁଲିଗଲେ। ତେଣୁ ଥାନା ହାଜତରେ କଏଦୀଙ୍କ ଭଳି ରହିଛନ୍ତି ଦୁଇ ଗଞ୍ଜା। ପୁଲିସ ବି ମାମଲା ରୁଜୁ କରି ସାରିଥିବାରୁ ଏବେ ସେମାନଙ୍କୁ ଛାଡ଼ିପାରୁ ନଥିବା ଜଣାପଡ଼ିଛି। ବିଡ଼ମ୍ବନାର ବିଷୟ ନିରୀହ ପକ୍ଷୀଙ୍କ ମଧ୍ୟରେ ଲଢ଼େଇ କରି ଟଙ୍କା ରୋଜଗାର କରୁଥିବା ଆୟୋଜକ ଏମାନଙ୍କୁ ଆଲୋଡ଼ା ଭାବେ ଛାଡ଼ି ଯାଇଛନ୍ତି। ଏପରିସ୍ଥିତିରେ ପୁଲିସ କୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛି। କୋର୍ଟ ନିର୍ଦ୍ଦେଶ ଦେଲେ ଉଭୟ ଗଞ୍ଜାଙ୍କୁ ନିଲାମ କରାଯିବ। ଅଧିକ ଟଙ୍କା ଯିଏ ଦେବ ତାଙ୍କୁ ଗଞ୍ଜା ଦିଆଯିବ ଏବଂ ଆଦାୟ ଟଙ୍କା ସରକାରଙ୍କ ତହବିଲକୁ ଯିବ ବୋଲି ପୁଲିସ କହିଛି।