ଶିମିଳିପାଳରେ ନିଆଁକୁ ନେଇ ସବୁଠି ତାତି, ପ୍ରଭାବିତ ଅଞ୍ଚଳ ଗସ୍ତ କଲେ ପିସିସିଏଫ; ନିଆଁର ପ୍ରକୋପ କମିଥିବା ସୂଚନା
ଶିମିଳିପାଳ ନିଆଁ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି
ବାରିପଦା: ଶିମିଳିପାଳରେ ଲାଗିଥିବା ନିଆଁର ତାତି କିନ୍ତୁ ଏବେ ସବୁଠି ଅନୁଭୁତ ହେଉଛି। ମୟୂରଭଞ୍ଜରେ ଗ୍ରୀଷ୍ମର ତାତି ଯେତେ ବଢ଼ୁଛି ଶିମିଳିପାଳ ଏବଂ ଜିଲ୍ଲାର ଅନ୍ୟାନ୍ୟ ବନାଞ୍ଚଳରେ ଲାଗିଥିବା ନିଆଁର ତାତି ମଧ୍ୟ ଏହାଠାରୁ ଅଧିକ ପରିମାଣରେ କାଟୁଛି। ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ନେଇ ଉଦ୍ବେଗ ପ୍ରକାଶ କରିବା ସହିତ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଲା ପରେ ଏହି ବନାଗ୍ନିର ବହ୍ନି ସବୁଠି ପଡ଼ିଛି। ଏପରିକି ଏହି ବନାଗ୍ନି ସୋସିଆଲ୍ ମିଡିଆରେ ମଧ୍ୟ ଟ୍ରେଣ୍ଡ୍ ହେବାରେ ଲାଗିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଫେସବୁକରୁ ଆରମ୍ଭ କରି ଟୁଇଟର୍ ପର୍ଯ୍ୟନ୍ତ ସବୁଠି ଏହି ପ୍ରସଙ୍ଗ ଭାଇରାଲ୍ ହେବାରେ ଲାଗିଛି। ଏପରି ଅବସ୍ଥାରେ ଆଜି ପିସିସିଏଫ ଶଶୀ ପଲ ମୟୂରଭଞ୍ଜ ଗସ୍ତ କରିଛନ୍ତି। ଠାକୁରମୁଣ୍ଡା, ପୋଡ଼ାଡ଼ିହା ଆଦି ବନାଗ୍ନି ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହିତ ବିଭାଗୀୟ ଅଧିକାରୀଙ୍କ ଆଲୋଚନା କରିଛନ୍ତି। ଏହି ଅବସରରେ କୋର୍ ଏରିଆରେ କିପରି ନିଆଁ ନ ଲାଗିବ ଏବଂ ଲାଗିଥିବା ନିଆଁକୁ ଆୟତ୍ତ କରାଯିବ ସେ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସିଏଫ।
କୋର୍ ଏରିଆରେ ରହୁଥିବା ଜୀବଜନ୍ତୁଙ୍କ ସୁରକ୍ଷା ନେଇ ମଧ୍ୟ ସମସ୍ତେ ଯତ୍ନବାନ ଅଛନ୍ତି। ଶିମିଳିପାଳକୁ ନିଆଁ ଦାଉରୁ ରକ୍ଷା କରିବାକୁ ସବୁପ୍ରକାର ବନ୍ଦୋବସ୍ତ ହୋଇଥିବା କହିଛନ୍ତି ଶ୍ରୀ ପଲ୍। ଫାୟାର୍ ପଏଣ୍ଟ୍ ଚିହ୍ନଟ କରାଯିବା ସହିତ ଫାୟାର୍ ଲାଇନ୍ କଟାଯାଇଛି। ବନବିଭାଗ କର୍ମଚାରୀ ଗାଁ ଲୋକଙ୍କ ସହିତ ମିଶି କାମ କରୁଛନ୍ତି । ତଥାପି କାହିଁକି ଏହି ବ୍ୟବସ୍ଥା ସବୁ କାର୍ଯ୍ୟକାରୀ ହେଲାନାହିଁ, କ’ଣ ପାଇଁ ନିଆଁ ବଢ଼ୁଛି ସେ ନେଇ ତଦନ୍ତ ଜାରି ରହିଛି।
ସେହିପରି ଅନ୍ୟାନ୍ୟ ଅଞ୍ଚଳରେ ଯେଉଁଠି ନିଆଁ ଲାଗିବାର ଆଶଙ୍କା ରହିଛି, ସେଠି କିପରି ନିଆଁ ନ ଲାଗିବ ସେ ନେଇ ବ୍ୟବସ୍ଥା କରିବାକୁ ପିସିସିଏଫ୍ ଶ୍ରୀ ପଲ୍ ଗୁରୁତ୍ବ ଦେଉଛନ୍ତି । ନିଆଁକୁ ଆୟତ କରିବାରେ କର୍ମଚାରୀ ଅଭାବ ବିଷୟକୁ ନେଇ ଶ୍ରୀ ପଲ୍ଙ୍କ ମତ ଅନୁଯାୟୀ ଶିମିଳିପାଳରେ ପ୍ରୋଟେକ୍ସନ୍ ଆସିଷ୍ଟାଣ୍ଟ୍ ଯଥେଷ୍ଟ ସଂଖ୍ୟାରେ ଅଛନ୍ତି। ତଥାପି ଏହି ସଂଖ୍ୟା ବଢ଼ାଇବାକୁ ଆହୁରି ସମୟ ଲାଗିବ। ଯେତେଶୀଘ୍ର ହୋଇପାରିବ ନିଆଁକୁ ଆୟତ୍ତ କରାଯିବ। ତେବେ ପୂର୍ବଦିନ ତୁଳନାରେ ନିଆଁ କମିଥିବା ପିସିସିଏଫ୍ ସୂଚନା ଦେଇଛନ୍ତି। ସାଟେଲାଇଟ୍ ଚିତ୍ରରୁ କରଞ୍ଜିଆ ଆଦି ୩ଟି ପଏଣ୍ଟ୍ରେ ନିଆଁ ଲାଗିଥିବା ଶ୍ରୀ ପଲ୍ କହିଛନ୍ତି।