ପାକିସ୍ତାନକୁ କମଳା ହାରିସ୍ଙ୍କ କଡ଼ା ବାର୍ତ୍ତା
ମୋଦୀଙ୍କ ସହ ଆଲୋଚନା ବେଳେ ହାରିସ ନିଜଆଡ଼ୁ ପାକିସ୍ତାନ ପ୍ରସଙ୍ଗ ଉଠାଇଲେ
ୱାସିଂଟନ୍ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ଉପରାଷ୍ଟ୍ରପତି କମଳା ହାରିସ୍ଙ୍କ ମଧ୍ୟରେ ଗୁରୁବାର ହ୍ବାଇଟ୍ ହାଉସ୍ରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି ଏବଂ ଏହି ଅବସରରେ ହାରିସ୍ ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇଛନ୍ତି। ପାକିସ୍ତାନରେ ଆତଙ୍କବାଦୀ ଗୋଷ୍ଠୀ ଅଧିକ ସକ୍ରିୟ ହେଉଛନ୍ତି ଏବଂ ସେଠାରେ ଆତଙ୍କବାଦକୁ ପ୍ରୋତ୍ସାହନ ମିଳୁଥିବାରୁ ସମସ୍ୟା ଜଟିଳ ହେଉଛି ବୋଲି ହାରିସ୍ କହିବା ସହ ପାକିସ୍ତାନ ଏହାକୁ ଗମ୍ଭୀରତା ସହ ନେବା ଉଚିତ ବୋଲି ଚେତାଇ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ହାରିସ୍ କୋଭିଡ୍ ମହାମାରୀ ସମେତ ବିଭିନ୍ନ ଦ୍ବିପାକ୍ଷିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଆତଙ୍କବାଦୀ କାର୍ଯ୍ୟକଳାପରେ ପାକିସ୍ତାନର ଭୂମିକା ସଂକ୍ରାନ୍ତରେ ଏହି ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆଲୋଚନା ହେବାବେଳେ ହାରିସ୍ ନିଜ ଆଡ଼ୁ ଆତଙ୍କବାଦୀ କାର୍ଯ୍ୟକଳାପରେ ପାକିସ୍ତାନର ଭୂମିକା ପ୍ରସଙ୍ଗ ଉଠାଇଥିଲେ ଏବଂ ଏହାକୁ ନେଇ ଆମେରିକାର ଉଦ୍ବେଗ ଜଣାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ହାରିସଙ୍କୁ ମୋଦୀଙ୍କ ସ୍ବତନ୍ତ୍ର ଉପହାର
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତ ଅବସରରେ ଉପରାଷ୍ଟ୍ରପତି କମଳା ହାରିସ୍ଙ୍କ ସହ ଗତକାଲି ପ୍ରାୟ ୯୦ ମିନିଟ୍ ଆଲୋଚନା କରିଥିଲେ। ଏହି ଅବସରରେ ମୋଦୀ ହାରିସ୍ଙ୍କୁ ଏକ ସ୍ବତନ୍ତ୍ର ଉପହାର ଦେଇଛନ୍ତି। ୫୬ ବର୍ଷୀୟ ହାରିସ୍ଙ୍କୁ ମୋଦୀ ୫ ଦଶନ୍ଧିର ଏକ ସରକାରୀ ବିଜ୍ଞପ୍ତି ଉପହାର ଦେଇଛନ୍ତି। ମୋଦୀ ଉପହାର ଦେଇଥିବା ୧୯୬୬ ମସିହାର ସରକାରୀ ବିଜ୍ଞପ୍ତିରେ ହାରିସ୍ଙ୍କ ଜେଜେବାପା ପିଭି ଗୋପାଳନଙ୍କ ନାମ ଲେଖା ଅଛି। ଏହି ବିଜ୍ଞପ୍ତିକୁ ଏକ କାଠ ଫ୍ରେମ୍ରେ ବନ୍ଧାଇ ଦିଆଯାଇଛି। ପିଭି ଗୋପାଳନ ଜଣେ ଖାତିସଂପନ୍ନ ସରକାରୀ ଅଧିକାରୀ ଥିଲେ। ବିଭିନ୍ନ ବିଭାଗରେ ସେ କାର୍ଯ୍ୟ କରିଛନ୍ତି। ହାରିସ୍ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ଆମେରିକାର ଉପରାଷ୍ଟ୍ରପତି ହୋଇଥିବାରୁ ଏଥିପାଇଁ ଭାରତୀୟମାନେ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ମୋଦୀ ମଧ୍ୟ ଉତ୍ତରପ୍ରଦେଶର ବାରଣାସୀରେ ପ୍ରସ୍ତୁତ ଏକ ଚେସ୍ ସେଟ୍ ତାଙ୍କୁ ଉପହାର ଦେଇଛନ୍ତି। ହାରିସ୍ଙ୍କୁ ସାକ୍ଷାତ କରିବାପରେ ମୋଦୀ କିଛି ଫଟୋ ପୋଷ୍ଟ୍ କରିଛନ୍ତି। ଭାରତ-ଆମେରିକା ସମ୍ପର୍କକୁ ଆହୁରି ଅଧିକ ସୁଦୃଢ଼ କରିବାପାଇଁ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ବୋଲି ମୋଦୀ କହିଛନ୍ତି। ଉଭୟ ଦେଶର ରଣନୀତିକ ସଂପର୍କକୁ ଅଧିକ ସୁଦୃଢ଼ କରିବା ଦିଗରେ ପ୍ରୟାସ ଜାରି ରହିଛି ଏବଂ ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ର ନିଜର ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରୁଛନ୍ତି ବୋଲି ହାରିସ୍ କହିଛନ୍ତି।