ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟେଷ୍ଟ: କୁଲଦୀପଙ୍କ ସ୍ଥାନରେ ଅକ୍ଷର
ବେଙ୍ଗାଲୁରୁ: ପୁଣି ଥରେ ଫିଟ୍ ହୋଇ ଅଲ୍ରାଉଣ୍ଡର ଅକ୍ଷର ପଟେଲ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଶନିବାରଠୁ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଭାରତୀୟ ଦଳରେ ସେ ବାମହାତୀ କଚଟି ସ୍ପିନର କୁଲଦୀପ ଯାଦବଙ୍କ ବଦଳରେ ସ୍ଥାନ ପାଇଛନ୍ତି। ଅକ୍ଷରଙ୍କୁ ସ୍ଥାନ ମିଳିବା ପରେ କୁଲଦୀପଙ୍କୁ ଦଳୀୟ ମ୍ୟାନେଜ୍ମେଣ୍ଟ୍ ମୁକ୍ତ କରିଛନ୍ତି। ଅକ୍ଷର ଆଘାତ ସମସ୍ୟା ଯୋଗୁଁ ଦକ୍ଷିଣ ଆଫ୍ରିକା ଗସ୍ତ ଏବଂ ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ ଟି-୨୦ ଶୃଙ୍ଖଳାରୁ ବାଦ୍ ପଡ଼ିଥିଲେ। ନିକଟରେ ମଧ୍ୟ ସେ କୋଭିଡ ଆକ୍ରାନ୍ତ ହୋଇଥିଲେ। ‘‘ଅକ୍ଷର ପ୍ରଥମ ପସନ୍ଦ ଥିଲେ। ଆହତ ଯୋଗୁଁ କୁଲଦୀପଙ୍କୁ ନିଆଯାଇଥିଲା। ଏବେ ଅକ୍ଷର ଫିଟ୍ ହୋଇ ଫେରିବାରୁ କୁଲଦୀପଙ୍କୁ ମୁକ୍ତ କରାଯାଇଛି’’ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ ଯେ ପ୍ରଥମ ଟେଷ୍ଟ୍କୁ ଭାରତ ପାଳି ଓ ୨୨୨ ରନ୍ରେ ଜିତି ନେଇଥିଲା।