ଏନ୍ଏସ୍ଜିର ଐତିହ୍ୟସ୍ଥଳି ସୁରକ୍ଷା ଚିନ୍ତା: ଶ୍ରୀଲିଙ୍ଗରାଜ ମନ୍ଦିର ଯାଞ୍ଚ କଲା ଗୁଇନ୍ଦା ବିଭାଗ
ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବାକୁ ୨୦୨୧ ମାର୍ଚ୍ଚ ୧୬ରେ ନ୍ୟାସ୍ନାଲ୍ ସିକ୍ୟୁରିଟି ଗାର୍ଡ (ଏନ୍ଏସ୍ଜି) ଆସିଥିଲା। ଠିକ୍ ବର୍ଷକ ପରେ ଆଜି କେନ୍ଦ୍ର ଗୁଇନ୍ଦା ବିଭାଗର ଜଣେ ବରିଷ୍ଠ ଅଧିକାରୀ ଅସିତ୍ ମହାନ୍ତି ଶ୍ରୀଲିଙ୍ଗରାଜ ମନ୍ଦିରକୁ ଆସିଥିଲେ। ତାଙ୍କ ସହ ଥିଲେ ରାଜ୍ୟ ଗୁଇନ୍ଦା ବିଭାଗର ଜୋନାଲ୍ ମୁଖ୍ୟ ଜ୍ଞାନ ମହାପାତ୍ର। ସେମାନେ ମନ୍ଦିର ଭିତରେ ଓ ଚତୁଃପାର୍ଶ୍ବସ୍ଥ ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରିଛନ୍ତି। ଏହି ଅବସରରେ ସେମାନେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ମନ୍ଦିର ସୁରକ୍ଷା ପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମନ୍ଦିରର ସୁରକ୍ଷା ବ୍ୟବସ୍ଥା କଣ ରହିଛି, ସ୍ବତନ୍ତ୍ର ଯାତ୍ରା ଓ ଭିଡ଼ ବେଳେ କଣ ଅଧିକ ବ୍ୟବସ୍ଥା ହୁଏ, ମନ୍ଦିର କର୍ମଚାରୀ ଓ ସେବାୟତ କେତେ ଜଣ ରୁହନ୍ତି, ସେନେଇ ପଚାରି ବୁଝିଥିଲେ। ମନ୍ଦିରର କେତୋଟି ପ୍ରବେଶ ପଥ ରହିଛି, କେଉଁ ସମୟରେ କେତେ କେତେ ଭକ୍ତ ଆସୁଛନ୍ତି, କେତୋଟି ସିସିଟିଭି କ୍ୟାମେରା ଲାଗିଛି, ଓଡ଼ିଶା ପୁଲିସ କେତେ ଜଣ ଡ୍ୟୁଟି କରୁଛନ୍ତି, ରାତିରେ କିପରି ଡ୍ୟୁଟି କରାଯାଉଛି, ତାହା ତଦାରଖ କରିଥିଲେ। ସେହିପରି ମେଟାଲ୍ ଡିଟେକ୍ଟର ଅଛି କି ନାହିଁ ଓ ୱାର୍ଚ ଟାୱାର୍ ସମ୍ପର୍କରେ ପଚାରି ବୁଝିଥିଲେ। ମନ୍ଦିରର ପାଚେରି କେତେ ଉଚ୍ଚା, ମନ୍ଦିରରୁ ବାହାରିବା ପରେ କେଉଁ ଦିଗରେ ରାସ୍ତାଗୁଡ଼ିକ ଅଛି, ସେବିଷୟରେ ବି ବୁଝିଥିଲେ। ସେମାନେ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ମନ୍ଦିର ଭିତରେ ରହି ସବୁ ତଦାରଖ କରିଥିଲେ। ହଠାତ୍ ଆତଙ୍କୀ ଆକ୍ରମଣ ହେଲେ, ମନ୍ଦିରକୁ କିଭଳି ସୁରକ୍ଷା ଦିଆଯିବ, ସେନେଇ ତଥ୍ୟ ହାସଲ କରାଯାଇଥିବା କୁହାଯାଇଛି।