କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ସଢ଼ା ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନାରେ ହୋଇଥିବା ହରିଲୁଟ୍ ସମ୍ପର୍କରେ ରୋଚକ ତଥ୍ୟ ପଦାକୁ ଆସିଛି। ପିଇଓ, ଜିଆର୍ଏସ୍ ଏବଂ ପିଅନଙ୍କ ମୋବାଇଲ ନମ୍ବରକୁ ବ୍ୟବହାର କରାଯାଇ ହରିଶ୍ଚନ୍ଦ୍ର ସହାୟତା ଉଠିଛି। ସେହିପରି ସହାୟତା ରାଶି ପାଇଁ ଜଣକୁ ଦୁଇଥର ଲେଖାଏଁ ମାରି ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସଢ଼ା ଗ୍ରାମର ସୁମା ଜେନାଙ୍କ ପରିବାରକୁ ଦୁଇଥର ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଦିଆଯାଇଛି। ୨୦୨୨ ମାର୍ଚ୍ଚ ୧୩ରେ ସୁମାଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇ ତାଙ୍କ ପରିବାରକୁ ଏପ୍ରିଲ ୨୨ ତାରିଖରେ ୨୦୦୦ ଟଙ୍କା ସହାୟତା ଦିଆଯାଇଥିଲା। ଏହାପରେ ପୁଣିଥରେ ମେ’ ୨୧ରେ ସୁମାଙ୍କ ମୃତ୍ୟୁ ଘଟିଥିବା ଦର୍ଶାଇ ପରିବାର ସଦସ୍ୟଙ୍କୁ ଜୁନ୍ ୭ରେ ଆଉଥରେ ସହାୟତା ଦିଆଯାଇଛି। ପଦାରୁଖା ଗ୍ରାମର କୁଆଁର ମୁର୍ମୁଙ୍କ ୨୦୨୧ ଅକ୍ଟୋବର ୨୦ରେ ମୃତ୍ୟୁ ହୋଇଥିବା ଦର୍ଶାଯାଇ ତାଙ୍କ ପରିବାରକୁ ୨୦୨୧ ଡିସେମ୍ବର ୧୩ରେ ଦୁଇଥର ୨ ହଜାର ଟଙ୍କା ଲେଖାଏଁ ଟଙ୍କା ଦିଆଯାଇଛି। ମଉଦା ଗ୍ରାମର ମଞ୍ଜୁଲତା ବାରିକଙ୍କ ପରିବାରକୁ ଦୁଇଥର ହରିଶ୍ଚନ୍ଦ୍ର ସହାୟତା ଦିଆଯାଇଛି। ପ୍ରଥମେ ୨୦୧୮ ସେପ୍ଟେମ୍ବର ୨୫ରେ ଓ ପରେ ୨୦୧୯ ଅଗଷ୍ଟ ୭ ତାରିଖରେ ସହାୟତା ଦିଆଯାଇଥିଲା। ଏହାପୂର୍ବରୁ ୨୦୧୫ ସେପ୍ଟେମ୍ବର ୨୫ରେ ମଞ୍ଜୁଲତାଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇ ଟଙ୍କା ଦିଆଯାଇଥିଲା। ଜନ୍ତାଳପଡ଼ି ଗ୍ରାମର ଗୋବିନ୍ଦ ପଲତାଙ୍କ ୨୦୧୯ ଜୁଲାଇ ୧ରେ ମୃତ୍ୟୁ ହୋଇଥିବା ଦର୍ଶାଯାଇ ତାଙ୍କ ପରିବାର ସଦସ୍ୟଙ୍କୁ ଅଗଷ୍ଟ ୭ରେ ସହାୟତା ଦିଆଯାଇଥିଲା। ପରେ ପୁଣି ନଭେମ୍ବର ୫ରେ ଆଉଥରେ ଗୋବିନ୍ଦଙ୍କ ମୃ୍ତ୍ୟୁ ଦର୍ଶାଯାଇ ସେହିମାସ ୧୦ ତାରିଖରେ ଟଙ୍କା ଦିଆଯାଇଛି।
ହରିଶ୍ଚନ୍ଦ୍ର ଯୋଜନାରେ କିପରି ହରିଲୁଟ୍ ହେଉଛି ଏହା ହେଉଛି ତା’ର ଗୋଟିଏ ଗୋଟିଏ ଉଦାହରଣ ମାତ୍ର। କିନ୍ତୁ ବାସ୍ତବତା ହେଲା, ଏହି ଯୋଜନାରେ ଏକାଧିକ ମୃତ ବ୍ୟକ୍ତିଙ୍କୁ ପରିବାର ଏଯାଏ ଟଙ୍କାଟିଏ ସହାୟତା ମିଳି ନାହିଁ ବରଂ ସେମାନଙ୍କ ନାମରେ ଟଙ୍କା ଉଠିଛି। ସଢ଼ା ପଞ୍ଚାୟତର ଜିଆର୍ଏସ୍ ଅନନ୍ତ ସ୍ବାଇଁଙ୍କ ମୋବାଇଲ ନମ୍ବରକୁ ବ୍ୟବହାର କରାଯାଇ ୧୦୪ଜଣ, ସମ୍ପୃକ୍ତ ଜିଆର୍ଏସ୍ଙ୍କ ଆଉ ଏକ ମୋବାଇଲ ନମ୍ବରକୁ ବ୍ୟବହାର କରାଯାଇ ୬ଜଣ, ପଞ୍ଚାୟତର ପିଅନ ବାବୁ ଜେନାଙ୍କ ମୋବାଇଲ ନମ୍ବରକୁ ବ୍ୟବହାର ହୋଇ ୧୬ଜଣ, ପିଇଓ ଡମ୍ବରୁଧର ପଟ୍ଟନାୟକଙ୍କ ମୋବାଇଲ ନମ୍ବରକୁ ବ୍ୟବହାର କରାଯାଇ ୧୨ଜଣ ହିତାଧିକାରୀଙ୍କ ନାମରେ ଟଙ୍କା ଉଠିଛି। ସେହିପରି ଆଉ ଏକ ମୋବାଇଲ ନମ୍ବରକୁ ବ୍ୟବହାର କରାଯାଇ ୩୫ଜଣ ଏବଂ ସରପଞ୍ଚଙ୍କ ସ୍ବାମୀଙ୍କ ମୋବାଇଲ ନମ୍ବରକୁ ବ୍ୟବହାର କରାଯାଇ ୩ଜଣଙ୍କ ନାମରେ ଟଙ୍କା ଉଠା ଯାଇଛି।