ନାଗପୁରରେ ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍ର ପ୍ରଥମ ଦିବସରେ ୩ ୱିକେଟ୍ ଦଖଲ କରିଥିଲେ ଭାରତୀୟ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ। ଏଥି ସହିତ ସେ ଟେଷ୍ଟ୍ରେ ୪୫୦ ୱିକେଟ୍ ପୂରଣ କରିବାର ମାଇଲଖୁଣ୍ଟ ଛୁଇଁଥିଲେ। ଆଉ ଏହି ଅବସରରେ ଅଶ୍ବିନ ମଧ୍ୟ ୪୫୦ ଟେଷ୍ଟ୍ ୱିକେଟ୍ ନେବାରେ ଦ୍ରୁତତମ ଭାରତୀୟ ବୋଲର ହୋଇଯାଇଛନ୍ତି। ଏହିକ୍ରମରେ ସେ ଅନିଲ କୁମ୍ବଲେଙ୍କ ୧୮ ବର୍ଷ ତଳର ରେକର୍ଡକୁ ଟପି ଯାଇଛନ୍ତି। ୨୦୦୫ ମସିହା ମାର୍ଚ୍ଚ ୮ ତାରିଖରେ ପାକିସ୍ତାନ ବିପକ୍ଷ ମୋହାଲି ଟେଷ୍ଟ୍ରେ କୁମ୍ବଲେ ତାଙ୍କ କ୍ୟାରିୟରର ୯୩ତମ ମ୍ୟାଚ୍ରେ ୪୫୦ ୱିକେଟ୍ ଦଖଲ କରିଥିଲା ବେଳେ ଅଶ୍ବିନଙ୍କୁ ଏହି ମାଇଲଖୁଣ୍ଟରେ ପହଞ୍ଚିବା ପାଇଁ ୮୯ ଟେଷ୍ଟ୍ ଖେଳିବାକୁ ପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅଷ୍ଟ୍ରେଲୀୟ ୱିକେଟ୍ରକ୍ଷକ ଆଲେକ୍ସ କାରି ଅଶ୍ବିନଙ୍କ ୪୫୦ତମ ଶିକାର ବନିଥିଲେ। ଏହାପରେ ପ୍ୟାଟ୍ କମିନ୍ସ ଏବଂ ସ୍କଟ୍ ବୋଲାଣ୍ଡ୍ଙ୍କୁ ଆଉଟ୍ କରି ଅଶ୍ବିନ ତାଙ୍କ ମୋଟ ୱିକେଟ୍ ସଂଖ୍ୟାକୁ ୪୫୨ରେ ପହଞ୍ଚାଇଛନ୍ତି। ଏଥି ସହିତ ଅଶ୍ବିନ ମଧ୍ୟ ୪୫୦ ୱିକେଟ୍ ମାଇଲଖୁଣ୍ଟରେ ପହଞ୍ଚିବାରେ କୁମ୍ବଲେଙ୍କ ପରେ ଦ୍ବିତୀୟ ଭାରତୀୟ ବୋଲର ହୋଇଛନ୍ତି। ଏହି ଦୁଇ ଜଣଙ୍କ ବ୍ୟତୀତ କେବଳ ସିଂହଳୀ ସ୍ପିନର ମୁଥେୟା ମୁରଲିଧରନ୍ ଦ୍ରୁତତମ ୪୫୦ ୱିକେଟ୍ରେ ଶୀର୍ଷରେ ରହିଛନ୍ତି। ସେ ୮୦ ଟେଷ୍ଟ୍ରେ ଏହି କୃତିତ୍ବ ଅର୍ଜନ କରିଥିଲେ। ତେବେ ସର୍ବାଧିକ ଟେଷ୍ଟ୍ ୱିକେଟ୍ ଦଖଲ ତାଲିକାରେ ଅଶ୍ବିନ ମୋଟ ଉପରେ ବିଶ୍ବର ନବମ ବୋଲର ହୋଇଛନ୍ତି। ସେ କୁମ୍ବଲେ (୬୧୯)ଙ୍କ ପଛକୁ ଦ୍ବିତୀୟ ଭାରତୀୟ ବୋଲର ହୋଇଛନ୍ତି। ଟେଷ୍ଟ୍ରେ ୪୫୨ ବାଦ୍ ଅଶ୍ବିନ ଦିନିକିଆ ଆନ୍ତର୍ଜାତିକରେ ୧୫୧ (୧୧୩ ମ୍ୟାଚ୍) ଏବଂ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ୭୨ (୬୫ ମ୍ୟାଚ୍) ୱିକେଟ୍ ନିଜ ନାମରେ ରଖିଛନ୍ତି।