ବର୍ଡର-ଗାଭାସ୍କର ଟ୍ରଫି ଟେ‌ଷ୍ଟ୍‌: ଜାଦେଜାଙ୍କୁ ୫ ୱିକେଟ୍‌, ଅଶ୍ବିନଙ୍କୁ ୩

ନାଗପୁର: ନାଗପୁରର ବିଦର୍ଭ କ୍ରିକେଟ୍‌ ସଂଘ ଷ୍ଟାଡିୟମ୍‌ରେ ଗୁରୁବାରଠୁ ଆରମ୍ଭ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫି ଟେ‌ଷ୍ଟ୍‌ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ର ପ୍ରଥମ ଦିବସରେ ୧୧ ୱିକେଟ୍‌ ଝଡ଼ିଛି। ରବୀନ୍ଦ୍ର ଜାଦେଜା ଓ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ଙ୍କ ସ୍ପିନ୍‌ ଜାଲରେ ଛନ୍ଦି ହୋଇ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଭ୍ରମଣକାରୀ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୧୭୭ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା ବେଳେ ଘରୋଇ ଭାରତ ଅଧିନାୟକ ରୋହିତ ଶର୍ମାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଗୋଟିଏ ୱିକେଟ୍‌ ବିନିମୟରେ ୭୭ ରନ୍‌ କରିଛି। ଫଳରେ ହାତରେ ୯ ୱିକେଟ୍‌ ଥାଇ ଭାରତ ୧୦୦ ରନ୍‌ ପଛରେ ରହିଛି। ଭାରତର ଏକମାତ୍ର ୱିକେଟ୍‌ ଭାବେ କେଏଲ୍‌ ରାହୁଲ ଆଉଟ୍‌ ହୋଇଛନ୍ତି। ରୋହିତଙ୍କ ସହ ନାଇଟ୍‌ ୱାଚ୍‌ମ୍ୟାଚ୍‌ ଭାବେ ଆସିଥିବା ରବିଚନ୍ଦ୍ରନ୍‌ ଅଶ୍ବିନ କ୍ରିଜ୍‌ରେ ରହିଛନ୍ତି।
ଟସ୍‌ ଜିତି ପ୍ୟାଟ୍‌ କମିନ୍ସ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଭାରତର ଦୁଇ ଦ୍ରୁତ ବୋଲର ମହମ୍ମଦ ସାମି ଓ ମହମ୍ମଦ ସିରାଜ ଦଳୀୟ ସ୍କୋର ୨ ରନ୍‌ ବେଳକୁ ଅଷ୍ଟ୍ରେଲିଆର ଦୁଇ ଓପ୍‌ନରଙ୍କୁ ପାଭିଲିୟନ ଫେରାଇ ଦେଇଥିଲେ। ସିରାଜ ତାଙ୍କ ପ୍ରଥମ ଓଭରର ପ୍ରଥମ ବଲ୍‌ରେ ଉସ୍‌ମାନ ଖୱାଜା ଏବଂ ସାମି ତାଙ୍କ ଦ୍ବିତୀୟ ଓଭରର ପ୍ରଥମ ବଲ୍‌ରେ ଡେଭିଡ୍‌ ୱାର୍ଣ୍ଣରଙ୍କୁ ଶିକାର କରିନେଇଥିଲେ। ଉଭୟ ୱାର୍ଣ୍ଣର ଓ ଖୱାଜା ୧ ରନ୍‌ ଲେଖାଏଁ କରିଥିଲେ। ଏହାପରେ ମାର୍ନସ ଲବୁସାନ ଏବଂ ଷ୍ଟିଭ୍‌ ସ୍ମିଥ୍‌ ତୃତୀୟ ୱିକେଟ୍‌ରେ ୮୨ ରନ୍‌ ଯୋଡ଼ି ସ୍ଥିତି ସୁଧାରିବାର ପ୍ରୟାସ କରିଥିଲେ।

ପ୍ରଥମ ଦିନ ୧୧ ୱିକେଟ୍‌ ଝଡ଼ିଲା
ଅଷ୍ଟ୍ରେଲିଆ ପ୍ରଥମ ପାଳି ୧୭୭
ରୋହିତଙ୍କ ଅର୍ଦ୍ଧଶତକ: ଭାରତ ୭୭/୧

ଉଭୟ ମିଳିତ ଭା‌‌ବେ ୩୩.୪ ଓଭର ଖେଳି ଭାରତକୁ ୱିକେଟ୍‌ ଦେଇନଥିଲେ। ହେଲେ ୩୬ତମ ଓଭରରୁ ହିଁ ଭ୍ରମଣକାରୀ ଦଳ ପୁଣି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ବିଶେଷକରି କିଛି ମାସ ଧରି ଦୂରେଇ ରହିଥିବା ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜା ପ୍ରତ୍ୟାବର୍ତ୍ତନରେ ଚମକ ଛାଡ଼ିଥିଲା ବେଳେ ରବିଚନ୍ଦ୍ରନ୍‌ ଅଶ୍ବିନ ତାଙ୍କୁ ଚମତ୍କାର ସହଯୋଗ କରିଥିଲେ। ଉଭୟେ ମିଳିତ ଭାବେ ଶେଷ ୮ ୱିକେଟ୍‌ ବାଣ୍ଟିନେବାରୁ ଅଷ୍ଟ୍ରେଲିଆ ୨୮ ଓଭରରେ ୯୩ ରନ୍‌ ଯୋଡ଼ି ଅଲ୍‌ଆଉଟ୍‌ ହୋଇଯାଇଥିଲା। ତେବେ ମଧ୍ୟକ୍ରମରେ ପିଟର ହ୍ୟାଣ୍ଡ୍‌ସ୍କମ୍ବ ଓ ଆଲେକ୍ସ କାରି ଷଷ୍ଠ ୱିକେଟ୍‌ରେ ୫୩ ରନ୍ ଯୋଡ଼ିବାରୁ ଦଳ ୧୫୦ ଅତିକ୍ରମ କରିଯାଇଥିଲା। ଜାଦେଜା ୩୬ତମ ଓଭରର ଶେଷ ଦୁଇ ବଲ୍‌ରେ ଲବୁସାନ ଓ ରେନ୍‌ସଙ୍କୁ ଆଉଟ୍‌ କରିଥିଲା ବେଳେ ପରେ ପରେ ଷ୍ଟିଭ୍‌ ସ୍ମିଥ୍‌, ପିଟର ହ୍ୟାଣ୍ଡ୍‌ସ୍କମ୍ବ୍‌ ଓ ଟଡ୍‌ ମର୍ଫିଙ୍କୁ ଶିକାର କରି ୫ ୱିକେଟ୍‌ ସଫଳତା ହାତେଇଥିଲେ। ଅଶ୍ବିନ ଆଲେକ୍ସ କାରି, ଅଧିନାୟକ ପ୍ୟାଟ୍‌ କମିନ୍ସ ଓ ସ୍କଟ୍‌ ବୋଲାଣ୍ଡଙ୍କୁ ଆଉଟ୍‌ କରି ଅଷ୍ଟ୍ରେଲିଆ ପାଳିରେ ପୂର୍ଣ୍ଣଛେଦ ଟାଣିଥିଲେ। ଏହି ଅବସରରେ ଅଶ୍ବିନ ମଧ୍ୟ ଟେଷ୍ଟ୍‌ କ୍ରିକେଟ୍‌ରେ ୪୫୦ ୱିକେଟ୍‌ ପୂରଣ କରିନେଇଥିଲେ।

ଜବାବରେ ଅଧିନାୟକ ରୋହିତ ଶର୍ମାଙ୍କ ଦ୍ରୁତ ରନ୍‌ ସଂଗ୍ରହ ବଳରେ ଭାରତ ଭଲ ଆରମ୍ଭ କରିଥିଲା। ଗୋଟିଏ ପଟେ ରୋହିତ ରନ୍‌ ଗତିକୁ ବଢ଼ାଇ ଚାଲିଥିଲା ବେ‌ଳେ ଅନ୍ୟପଟେ କେଏଲ୍‌ ରାହୁଲ ରନ୍‌ ପାଇଁ ସଂଘର୍ଷ କରିଥିଲେ। ସେ ୨୦ ବଲ୍‌ ଖେଳିବା ପରେ ପ୍ରଥମ ରନ୍‌ କରିଥିଲା ବେଳେ ୭୧ ବଲ୍‌ରୁ ୨୦ ରନ୍‌ କରି ପଦାର୍ପଣକାରୀ ବୋଲର ଟଡ୍‌ ମର୍ଫିଙ୍କ ଶିକାର ହୋଇଥିଲେ। ତେବେ ରାହୁଲ ଆଉଟ୍‌ ହେବା ପୂର୍ବରୁ ରୋହିତଙ୍କ ସହ ପ୍ରଥମ ୱିକେଟ୍‌ରେ ୭୬ ରନ୍ ଯୋଡ଼ି ଦଳକୁ ଭଲ ସ୍ଥିତି ଦେଇଥିଲେ। ରୋହିତ ୬୯ ବଲ୍‌ରୁ ୯ ଚୌକା ଓ ୧ ଛକା ସହାୟତାରେ ୫୬ ରନ୍‌ କରି ଅପରାଜିତ ରହିଛନ୍ତି।

ସୂର୍ଯ୍ୟ ଓ ଭରତଙ୍କ ପଦାର୍ପଣ

ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ବିସ୍ଫୋରକ ବ୍ୟାଟର୍‌ ଭାବେ ପରିଗଣିତ ଏବଂ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାର ଶ୍ରେଷ୍ଠ ବ୍ୟାଟର୍‌ ସୂର୍ଯ୍ୟକୁମାର ଯାଦବ ଏବଂ ୱିକେଟ୍‌ରକ୍ଷକ କେଏସ୍‌ ଭାରତ ଗୁରୁବାରଠୁ ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳା ଜରିଆରେ ଭାରତ ପାଇଁ ଟେଷ୍ଟ୍‌ ପଦାର୍ପଣ କରିଛନ୍ତି। ପଦାର୍ପଣରେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ନିର୍ଭରଯୋଗ୍ୟ ମାର୍ନସ ଲବୁସାନ୍‌ଙ୍କୁ ରବୀନ୍ଦ୍ର ଜାଦେଜାଙ୍କ ବଲ୍‌ରେ ଅତ୍ୟନ୍ତ କ୍ଷୀପ୍ରତାର ସହ ଷ୍ଟମ୍ପିଂ କରିଥିଲେ ଭରତ। ଏବେ ସୂର୍ଯ୍ୟକୁମାରଙ୍କୁ ପଦାର୍ପଣରେ କିପରି ବ୍ୟାଟିଂ କରୁଛନ୍ତି ଦେଖିବାକୁ ପଡ଼ିବ। ଗୁରୁବାର ମ୍ୟାଚ୍‌ ଆରମ୍ଭ ପୂର୍ବରୁ ସୂର୍ଯ୍ୟକୁମାରଙ୍କୁ ପୂର୍ବତନ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଭାରତୀୟ କ୍ୟାପ୍‌ ପିନ୍ଧାଇଥିଲା ବେ‌ଳେ ଭାରତକୁ ‌ଚେତେଶ୍ବର ପୂଜାରା ଭାରତୀୟ କ୍ୟାପ୍‌ ପ୍ରଦାନ କରିଥିଲେ। ଏହି ଦୁଇ ଜଣଙ୍କୁ ଭାରତୀୟ କ୍ୟାପ୍‌ ପ୍ରଦାନ କରିବା ପୂର୍ବରୁ ବିସିସିଆଇ ମଧ୍ୟ ଉଭୟ ସୂର୍ଯ୍ୟ ଓ ଭରତଙ୍କ ପରିବାରକୁ ପଡ଼ିଆ ଭିତରକୁ ଆସି କ୍ୟାପ୍‌ ପ୍ରଦାନ ଉତ୍ସବକୁ ଦେଖିବା ପାଇଁ ଆମନ୍ତ୍ରଣ କରିଥିଲା। ଉଭୟ ପଦାର୍ପଣକାରୀଙ୍କ ପରିବାର ସଦସ୍ୟଙ୍କ ସହ ଏହି ଅବସରରେ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ କରମର୍ଦନ କରିବା ସହ ଅଭିନନ୍ଦନ ଜଣାଇଥିଲେ।

ସମ୍ବନ୍ଧିତ ଖବର