ସ୍ମୃତିତୀର୍ଥ ଅଳକାଶ୍ରମ

ଏକଶତ ବର୍ଷ ପୂର୍ତ୍ତି ଉପଲକ୍ଷେ - ସଂଗ୍ରାମ ମହାପାତ୍ର

ଜାନୁଆରୀ ୨୭, ୨୦୨୩ ତାରିଖରେ ଅଳକାଶ୍ରମର ଶତବାର୍ଷିକୀ ସମାରୋହ ଜଗତସିଂହପୁରଠାରେ ପାଳନ ହୋଇଛି । ସ୍ବାଧୀନତା ସଂଗ୍ରାମରେ ଅଳକାଶ୍ରମ ଥିଲା ଓଡ଼ିଶାର ସାବରମତୀ। ମହାନ ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ, ପ୍ରାଣକୃଷ୍ଣ ପ୍ରତିହାରୀ, ଭାଗିରଥି ମହାପାତ୍ର, ସରଳା ଦେବୀ, ଅନ୍ନପୂର୍ଣ୍ଣା ମହାରଣା, କବି ଉଦୟନାଥ ଷଡ଼ଙ୍ଗୀ, କବି ରାମକୃଷ୍ଣ ନନ୍ଦ ଆଦି ପ୍ରସିଦ୍ଧ ବ୍ୟକ୍ତି ମାନେ ଅଳକାଶ୍ରମର ଅନ୍ତେବାସୀ ଥିଲେ। ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀ ପାଖ ଗାଁ ତରିକୁନ୍ଦ ଠାରେ ନିଜ ଜମିରେ ଚାଷ କରିବା ସହିତ ଅଳକାଶ୍ରମରେ ଗୋପାଳନ ଇତ୍ୟାଦି କରୁଥିଲେ। ସେହି ଆଶ୍ରମରେ ସତ୍ୟବାଦୀ ବନବିଦ୍ୟାଳୟ ସଦୃଶ ଏକ ଜାତୀୟ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଛାତ୍ରଛାତ୍ରୀମାନେ ଆଶ୍ରମରେ ରହିବା ସହିତ ସ୍ବକର୍ମ ନିଜେ କରିବା ସହିତ ଆଶ୍ରମର ଏକ ହାତ ଲେଖା ପତ୍ରିକା ‘ଅଳକା’ ରେ ନିଜ ନିଜର ଲେଖା ଲେଖୁଥ‌ିଲେ। ୧୯୨୩ ମସିହାରେ ଉତ୍କଳମଣି ଗୋପବନ୍ଧୁ ଅଳକାଶ୍ରମର ଏହି ବିଦ୍ୟାଳୟକୁ ମୁଖ୍ୟ ଅତିଥି ଭାବରେ ଆସି ଅଳକାଶ୍ରମ ସହ ‘ଅଳକା’ ପତ୍ରିକାର ଭୂୟସୀ ପ୍ରଶଂସା କରିଥିଲେ।

ଏହି ଆଶ୍ରମରୁ ରମା ଦେବୀ, ମାଳତୀ ଚୌଧୁରୀ କୁଜଙ୍ଗର ଜେମାମଣିଙ୍କ ସହ ମିଶି କୁଜଙ୍ଗର କାଳିଆପାଟଠାରେ ୧୯୩୦ ମସିହା ଲବଣ ସତ୍ୟାଗ୍ରହରେ ଲୁଣ ମାରିଥିଲେ। ମାତ୍ର ଦୁଇ ବର୍ଷ ପରେ ୧୯୩୨ ମସିହାରେ ଇଂରେଜ ଶାସନର ଷଡ଼ଯନ୍ତ୍ର ଯୋଗୁ ଅଳକାଶ୍ରମକୁ ପୋତି ଦିଆଗଲା ଓ ଅଳକାଶ୍ରମ ଜମିକୁ ବାଜ୍ୟାପ୍ତ କରାଗଲା। ତାହା କିନ୍ତୁ ରମାଦେବୀ, ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀଙ୍କ ଆଦର୍ଶ, ମୂଲ୍ୟବୋଧ ଓ ନୀତିନିଷ୍ଠତାକୁ ଖଣ୍ଡ ବିଖଣ୍ଡିତ କରିବା ପାଇଁ ଲେଶ ମାତ୍ର ବି ନଥିଲା।

୨୦୨୧ ମସିହା ରବିବାର ବିଳମ୍ବିତ ଅପରାହ୍ନ ଏକାକୀ ମୁଁ ଏକ ପରିତ୍ୟକ୍ତ ଜାଗାରେ ପହଞ୍ଚିଲି। ମୁଁ ଥାଏ ଜଗତସିଂହପୁରର ଜିଲ୍ଲାପାଳ। ଅନାବନା ବୁଦା, ଅରମା, ପାଚେରୀ ପରିବେଷ୍ଟିତ ଛୋଟ ଜାଗା ଭିତରେ ୨୦୦୮ ମସିହାର କେବଳ ଏକ ଫଳକ। ଅଳକାଶ୍ରମର ପ୍ରତିଷ୍ଠା ପାଇଁ ୧୩ ବର୍ଷ ପୂର୍ବେ ପାଷାଣ ଖୋଦିତ ପ୍ରତିଶ୍ରୁତି। ପିଲାଦିନେ ମୋ ବାପା ଯେ କି ଜଣେ ଶିକ୍ଷକ ଥିଲେ ଆମ ମାଟିର ଗୌରବ ଗାଥାରେ ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ନବକୃଷ୍ଣ ଚୌଧୁରୀଙ୍କ କଥା ଅନେକ ସମୟରେ ଉଦାହରଣ ଛଳରେ କହୁଥିଲେ। କାହିଁକି କେଜାଣି ସେଦିନ ଅପରାହ୍ନରେ ପରିତ୍ୟକ୍ତ ଅରମା, ବୁଦା, ଅନାବନା ଗୁଳ୍ମ ଜାଗା ମଧ୍ୟରେ ଛିଡ଼ା ହୋଇଥିବା ବେଳେ ମୋ ଆଖିରୁ ଅଜାଣତରେ ବାହାରି ଆସିଥିଲା ଦୁଇ ଧାର ଅଶ୍ରୁ। ହିମାଳୟସମ ବ୍ୟକ୍ତିତ୍ୱଙ୍କ ଦ୍ବାରା ସୃଷ୍ଟ ଅଳକାଶ୍ରମ ଅଥଚ ଆମେ ଉତ୍ତର ପୁରୁଷ ହୋଇ କରୁଛୁ କଣ? ନୀତି, ଆଦର୍ଶ, ତ୍ୟାଗ, ବଳିଦାନର ମୂଲ୍ୟବୋଧ ପ୍ରତୀକ ସେଇ ଆଶ୍ରମ। ସ୍ବାଧୀନତା ସଂଗ୍ରାମ ସହ ଗାନ୍ଧୀବାଦକୁ ଛତ୍ରେ ଛତ୍ରେ ଶିକ୍ଷା ଦେଇଥିବା ତୀର୍ଥ ଆଜି ଅନାଥ ଓ ସ୍ମୃତିରିକ୍ତ। ଫେରିବା ବାଟରେ ନିଷ୍ପତ୍ତି ନେଲି ନିଶ୍ଚୟ ଏହି ଅଳକାଶ୍ରମର ଏକ ଭବ୍ୟ ସ୍ମାରକ ଗୃହ ପାଇଁ ସକଳ ପ୍ରୟାସ କରିବି। ଦିନେ ଏକ ବୈଠକରେ ଜଗତସିଂହପୁରର ମହେନ୍ଦ୍ର ଆଚାର୍ଯ୍ୟ, ବିନାୟକ ପଟ୍ଟନାୟକ, ଗୌରାଙ୍ଗ ହୋତା ପ୍ରମୁଖ ଉପସ୍ଥିତ ଥା’ନ୍ତି। ଜିଲ୍ଲାପାଳ ଭାବରେ ମୋ ଅଧ୍ୟକ୍ଷତାରେ ବୈଠକ ହେଉଥାଏ। ବିନାୟକବାବୁଙ୍କୁ ଅନୁରୋଧ କଲି ଉକ୍ତ ଜାଗାକୁ ଜଗତସିଂହପୁର ପୌରପାଳିକାକୁ ସ୍ବଇଚ୍ଛାରେ ଦାନ କରିବା ପାଇଁ। ସେ ତୁରନ୍ତ ରାଜି ହୋଇଗଲେ। ମୁଁ ଜିଲ୍ଲାପାଳ ଭାବରେ ଜଗତସିଂହପୁର ପୌରପାଳିକା ପ୍ରଶାସକ ମଧ୍ୟ ଥାଏ। ଉପନିବନ୍ଧକଙ୍କୁ କହି ତାର ରେଜିଷ୍ଟ୍ରେସନ ବ୍ୟବସ୍ଥା କରାଇଲି। ନଗରପାଳିକା ଆଇନ ଅନୁଯାୟୀ ପ୍ରଶାସକଙ୍କ କ୍ଷମତା ଥାଏ ନଗରପାଳିକା ଅର୍ଥରେ ଐତିହ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ଗୃହ ନିର୍ମାଣ କରାଇପାରିବେ। ତୁରନ୍ତ ଗୋଟିଏ ଫାଇଲ ମାଗି ଅଳକାଶ୍ରମକୁ ସ୍ମାରକଗୃହ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଦୁଇ ଦିନ ମଧ୍ୟରେ ତାର ଏଷ୍ଟିମେଟକୁ ଅନୁମୋଦନ କଲି। ତତ୍କାଳୀନ ବିଧାୟକ ଓ ବର୍ତ୍ତମାନ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ସାଂସଦ ରାଜଶ୍ରୀ ମଲ୍ଲିକ, ବିନାୟକ ବାବୁ, ନଗରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଏହାର ନିର୍ମାଣର ଭିତ୍ତିପ୍ରସ୍ତର ଦିଆଗଲା ।

ଦିଲ୍ଲୀରେ ଅବସ୍ଥାପିତ ଦେବେନ୍ଦ୍ର ରାଉତ ଆସି ଆମ ସହ ଯୋଗ ଦେଲେ। ତାଙ୍କ ସହ ଯାଇ ମାନ୍ୟବର ରାଜ୍ୟପାଳଙ୍କୁ ବ୍ୟକ୍ତିଗତ ଭାବରେ ମୁଁ ଅନୁରୋଧ କରିଥିଲି। ସେ ଅଳକାଶ୍ରମ ନାମରେ ପ୍ରକାଶିତ ଡାକଟିକଟର ଶୁଭ ଉନ୍ମୋଚନ କରିବା ସହ ଅଳକାଶ୍ରମର ପୁନଃପ୍ରତିଷ୍ଠା ପାଇଁ ନିଜ ଶୁଭେଚ୍ଛା ଜଣାଇଥିଲେ। ଶତବାର୍ଷିକୀ ସମାରୋହ ପାଇଁ ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ବ, ସ୍ବାଧୀନତା ସଂଗ୍ରାମୀଙ୍କ ବଂଶଧର, ବୁଦ୍ଧିଜୀବୀ ଯୋଗ ଦେଇ ବର୍ଷ ତମାମ ପରିଶ୍ରମ କରିଥିଲେ। ଅଳକାଶ୍ରମ ନାମରେ ଏକ ରଥଯାତ୍ରା ଜିଲ୍ଲାରେ ପରିକ୍ରମା କରାଗଲା। ସବୁ ଆଡେ ଏହାକୁ ସ୍ବାଗତ କରାଗଲା। ଶତବାର୍ଷିକୀ କମିଟିର ଅଧ୍ୟକ୍ଷ ଭାବେ ମୁଁ ସମସ୍ତଙ୍କୁ ଅନୁରୋଧ କଲି ଯେ ଆମେ ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ନବକୃଷ୍ଣ ଚୌଧୁରୀଙ୍କ ଆଦର୍ଶ ନୀତିନିୟମ ଓ ମୂଲ୍ୟବୋଧକୁ ଆଧାର କରି ଏହି କାର୍ଯ୍ୟକ୍ରମକୁ ପାଳନ କରିବା। କୌଣସି କର୍ପୋରେଟ ପାଖରୁ ଅର୍ଥ ଆଦାୟ କରାଯିବ ନାହିଁ। ଆମେ ନିଜ ସାଧ୍ୟମତେ ଅର୍ଥ ପ୍ରଦାନ କରି ସମାରୋହ ପାଳନ କରିବା। ତିନି ଦିନ ବ୍ୟାପିୀ କାର୍ଯ୍ୟକ୍ରମକୁ ପାଞ୍ଚ ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରଖିବାର ନିଷ୍ପତ୍ତି ନିଆଗଲା। ମୋର ଏକ ମାସର ଦରମା ଦେଢ଼ ଲକ୍ଷ ଟଙ୍କା ପ୍ରଦାନ କଲି। ମୋର ବ୍ୟକ୍ତିଗତ ଅନୁରୋଧ ଫଳରେ ମାନ୍ୟବର ସଂସ୍କୃତି ବିଭାଗ ମନ୍ତ୍ରୀ ଦୁଇ ଲକ୍ଷ ଟଙ୍କାର ଅନୁମୋଦନ କଲେ।

ଶତବାର୍ଷିକୀ ସମାରୋହ ପାଳନ ଅବସରରେ ନବକୃଷ୍ଣ ଚୌଧୁରୀଙ୍କ ତ୍ୟାଗ ଓ ଆଦର୍ଶ କଥା କହିଲା ବେଳେ ପୁଅ ଆଖିରେ ଅଶ୍ରୁ ଜକେଇ ଆସିଲା। ଏହା ତ ମାଟି ପ୍ରତି ମହତ୍ତ୍ବବୋଧ, ଆଦର୍ଶ ପ୍ରତି ଯୁବ ବର୍ଗର ଭାବବିହ୍ବଳତା।

ଯେଉଁ ଜାଗା ଦଶନ୍ଧି ଦଶନ୍ଧି ବ୍ୟାପୀ ଅବହେଳିତ ଓ ପରିତ୍ୟକ୍ତ ଥିଲା, ଆଜି ସେହି ଜ‌ାଗାରେ ଅଳକାଶ୍ରମର ସ୍ମାରକଗୃହ ପ୍ରତିଷ୍ଠା ହୋଇଛି। ପ୍ରିୟ ରାମଧୁନ ଗୁଞ୍ଜରି ଉଠିଛି। ଏହା ତ ମହାନ ବରପୁତ୍ରଙ୍କ ପ୍ରତି ଉତ୍ତରପିଢ଼ିଙ୍କ ଦାୟିତ୍ୱବୋଧ। ଭବିଷ୍ୟତରେ ସେଠାରେ ଗୋଟେ ପାଠାଗାର କରିବାର ଯୋଜନା ଅଛି। ଅଳକାଶ୍ରମ ସ୍ମାରକ ଗୃହ ରାସ୍ତାରେ ଗୋଟିଏ ପ୍ରମୋଦ ଉଦ୍ୟାନ ମଧ୍ୟ ଜିଲ୍ଲାପାଳ ଥିଲାବେଳେ ସ୍ଥାପନ କରାଇଥିଲି। ଆଜି ସେ ସ୍ଥାନ ହସି ଉଠୁଛି।

ଉତ୍କଳମଣି ଗୋପବନ୍ଧୁ ଦିନେ ଅଭିମନ୍ତ୍ରିତ କରିଥିଲେ ନିଜ ଜନ୍ମଭୂମି ପ୍ରତି ତାଙ୍କ ଲେଖନୀରେ:
ପୁଣ୍ୟ ଜନ୍ମମାଟି ପୁଣ୍ୟ ଦେବାଳୟ,
ଉଦ୍ଧରିବା ପାଇଁ କଲେ ତନୁକ୍ଷୟ,
ମାନବ ଜୀବନ ହୁଅଇ ସଫଳ,
ଏ ମହାଦୀକ୍ଷା କି ବୁଝିବ ଉତ୍କଳ ?

ପୂର୍ବତନ ଜିଲ୍ଲାପାଳ
ମୋ: ୯୪୩୭୦୮୪୩୨୯

ସମ୍ବନ୍ଧିତ ଖବର