ସଫ୍ଟୱେର କମ୍ପାନି କିଣିବେ ବାବା ରାମଦେବ!

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ ଏଫ୍‌ଏମ୍‌ସଜି କ୍ଷେତ୍ରରେ ନିଜର ଦବ୍‌ଦବା ସ୍ଥାପନ କରିବା ପରେ ଏବେ ଅନ୍ୟାନ୍ୟ କ୍ଷେତ୍ରକୁ ଯିବାଲାଗି ପ୍ରୟାସ ଆରମ୍ଭ କରିଛନ୍ତି। ଦେବାଳିଆ ହୋଇଯାଇଥିବା ରୋଲ୍‌ଟା ଇଣ୍ଡିଆ ନାମକ ଏକ ସଫ୍ଟୱେର କମ୍ପାନିକୁ ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ କିଣିବା ଲାଗି ଆଗ୍ରହ ପ୍ରକାଶ କରିଛି। ୮୩୦ କୋଟି ଟଙ୍କାରେ ଏହାକୁ କିଣିବା ଯୋଜନା ପତଞ୍ଜଳି ରଖିଛି।

ଏକ ରିପୋର୍ଟ ଅନୁଯାୟୀ, ଋଣରେ ବୁଡ଼ି ରହିଥିବା କମ୍ପାନି ରୋଲଟା ଇଣ୍ଡିଆ ଯଦି ପତଞ୍ଜଳିର ଏହି ପ୍ରସ୍ତାବକୁ ଗ୍ରହଣ କରେ ତାହେଲେ ରାମଦେବଙ୍କ କମ୍ପାନି ଅଧୀନକୁ ଏହା ଆସିଯିବ। ତେ‌ବେ ଋଣ ପ୍ରଦାନକାରୀ ବ୍ୟାଙ୍କଗୁଡ଼ିକ ଗତ ସପ୍ତାହରେ ଆଶଦାନ ପ୍ରପର୍ଟିଜ୍‌କୁ ସର୍ବାଧିକ ମୂଲ୍ୟର ନିଲାମ ଡାକିଥିବା କମ୍ପାନି ଭାବେ ଘୋଷଣା କରି ସାରିଛନ୍ତି। କିନ୍ତୁ ପତଞ୍ଜଳି ଏନସିଏଲଟି ମୁମ୍ବାଇ ଶାଖାକୁ ତାଙ୍କର ଏହି ପ୍ରସ୍ତାବକୁ ବିଚାର କରିବାକୁ କହିଛି। ଏହାକୁ ଆଶଦାନ ପ୍ରପର୍ଟିଜ୍ ବିରୋଧ କରିଛି। ଉଭୟ ପକ୍ଷକୁ ଶୁଣିବା ପରେ ଏନସିଏଲଟି ଉକ୍ତ ନିଷ୍ପତ୍ତି ଋଣ ପ୍ରଦାନକାରୀ ସଂସ୍ଥାଙ୍କ ଉପରେ ଛାଡ଼ି ଦେଇଛି।

ସୂଚନା ଅନୁଯାୟୀ ପତଞ୍ଜଳିର ଅଫର ଉପରେ ବିଚାର କରିବା ପାଇଁ ଆଇନଗତ ଦିଗ ଉପରେ ଋଣ ପ୍ରଦାନକାରୀମାନେ ଅନୁଧ୍ୟାନ କରୁଛନ୍ତି। ବର୍ତ୍ତମାନ ‌ସେମାନଙ୍କ ସାମ୍ନାରେ ଯେଉଁ ପ୍ରସ୍ତାବ ରହିଛି ତାହା ତୁଳନାରେ ପତଞ୍ଜଳିର ଅଫର ଭଲ। ‌ରୋଲ୍ଟା ଇଣ୍ଡିଆ ଏକ ସଫ୍ଟୱେର କମ୍ପାନି ଯିଏକି ପ୍ରତିରକ୍ଷା କ୍ଷେତ୍ର ସହ ଜଡ଼ିତ ପ୍ରଯୁକ୍ତି ସେବା ଉପରେ ଧ୍ୟାନ ଦେଇଥାଏ। ଏହି କମ୍ପାନି ଉପରେ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆର ୭୧୦୦ କୋଟି ଟଙ୍କା ବାକି ଅଛି। ସେହିଭଳି ସିଟିଗ୍ରୁପ୍ ସମେତ କେତେକ ବିଦେଶୀ ବଣ୍ଡ୍‌ଧାରୀଙ୍ କର ମଧ୍ୟ ୬୯୯୯ କୋଟି ଟଙ୍କା ବାକି ରହିଛି। ତେଣୁ ଏହି କମ୍ପାନି ଉପରେ ପ୍ରାୟ ୧୪ ହଜାର କୋଟି ଟଙ୍କାର ଋଣ ବୋଝ ରହିଛି। ୨୦୨୩ ଜାନୁଆରିରେ କମ୍ପାନିର ଦେବାଳିଆ ଆବେଦନକୁ ଗ୍ରହଣ କରାଯାଇଥିଲା।

ସମ୍ବନ୍ଧିତ ଖବର