ଗହମ ପରେ ଅଟା ରପ୍ତାନି ଉପରେ ବି କଟକଣା ଲଗାଇଲା ଭାରତ

ନୂଆଦିଲ୍ଲୀ : ଗତ ମେ ମାସରେ ଗହମ ରପ୍ତାନି ବନ୍ଦ କରିବା ପରେ ଅଟା, ମଇଦା, ସୁଜି ଓ ତତସଂପର୍କିତ ଅନ୍ୟ ସାମଗ୍ରୀର ରପ୍ତାନି ଉପରେ ବି କଟକଣା ଲଗାଇଛି ଭାରତ । ଜୁଲାଇ ୬ରେ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଏହି ନିର୍ଦ୍ଦେଶ ଦିଆଯାଇଛି । ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ ଗହମ ଅଟା ଓ ତତସଂପର୍କିତ ଅନ୍ୟାନ୍ୟ ସାମଗ୍ରୀ ରପ୍ତାନି ପୂର୍ବରୁ ବାଣିଜ୍ୟ ମନ୍ତ୍ରାଳୟର ଅନୁମତି ଆବଶ୍ୟକ ହେବ । ଜୁଲାଇ ୧୨ରୁ ଏହି ନୂଆ କଟକଣା ଲାଗୁ ହେବ ।

ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ଯେଉଁ କନସାଇନମେଣ୍ଟ ପାଇଁ ଜାହାଜରେ ଲୋଡିଂ ଆରମ୍ଭ ହୋଇଯାଇଛି କିମ୍ବା ୧୨ ତାରିଖ ମଧ୍ୟରେ ହେବାକୁ ଅଛି ସେଗୁଡ଼ିକର ରପ୍ତାନିକୁ ଅନୁମତି ମିଳିବ । ଦେଶରେ ଏସବୁ ସାମଗ୍ରୀର ଉପଲବ୍ଧତା ବୃଦ୍ଧି କରିବା ଓ ଦର ନିୟନ୍ତ୍ରଣ ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଭାରତ ସରକାର  ଗତ ମେ ୧୪ରେ ଗହମ ରପ୍ତାନି ଉପରେ କଟକଣା ଲଗାଇଥିଲେ । ଦେଶରେ ଗହମର ଦରବୃଦ୍ଧିକୁ ରୋକିବାକୁ ଓ ଉପଲବ୍ଧତା ନିଶ୍ଚିତ କରିବାକୁ ସରକାର ଏହି ପଦକ୍ଷେପ ନେଇଥିଲେ । ଗତ ଫେବ୍ରୁଆରିରେ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ବିଶ୍ବ ବଜାରକୁ ଗହମର ଯୋଗାଣ ବାଧାପ୍ରାପ୍ତ ହୋଇଛି । ଏହା ଫଳରେ ବିଶ୍ବରେ ଗହମର ମୂଲ୍ୟ ବୃଦ୍ଧି ପାଇଛି । ଏ ପରିପ୍ରେକ୍ଷୀରେ ଭାରତର ରପ୍ତାନି କଟକଣାକୁ ଅନ୍ତର୍ଜାତୀୟ ସ୍ତରରେ ସମାଲୋଚନା କରାଯାଉଛି ।

ସମ୍ବନ୍ଧିତ ଖବର