ଉତ୍ତରକାଶୀ ମନ୍ଦିରରେ ପ୍ରବେଶ କରିଥିବା ଦଳିତ ଯୁବକଙ୍କୁ ବାନ୍ଧି ଜଳନ୍ତା ବାଡ଼ିରେ ଚେଙ୍କ

ଡେରାଡୁନ୍‌: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲା ଅନ୍ତର୍ଗତ ମୋରି ଅଞ୍ଚଳର ସାଲ୍‌ରା ଗ୍ରାମରେ ଥିବା ଏକ ମନ୍ଦିରକୁ ପ୍ରାର୍ଥନା କରିବା ପାଇଁ ଆସିଥିବା ଜଣେ ଦଳିତ ଯୁବକଙ୍କୁ ଦଳେ ଲୋକ ବାନ୍ଧି ପକାଇ ଜଳନ୍ତା ବାଡ଼ିରେ ରାତି ସାରା ଚେଙ୍କ ଦିଆଯାଇଥିବା ଗୁରୁବାର ଦିନ ପୁଲିସ କହିଛି।

ପୁଲିସ କହିବା ଅନୁସାରେ, ଜାନୁଆରି ୯ ତାରିଖ ଦିନ ବୈନୋଲ୍‌ ଗ୍ରାମର ୨୨ ବର୍ଷିୟ ଆୟୁଷ ଦିଅଁ ଦର୍ଶନ କରିବା ଲାଗି ମନ୍ଦିରକୁ ଯାଇଥିବା ବେଳେ ଘଟଣାଟି ଘଟିଥିଲା।

ପୀଡ଼ିତ ଥାନାରେ କରିଥିବା ଅଭିଯୋଗ ଅନୁସାରେ, ଉଚ୍ଚବର୍ଣ୍ଣର କେତେକ ବ୍ୟକ୍ତି ମନ୍ଦିରରେ ତାଙ୍କୁ ଆକ୍ରମଣ କରିବା ସହିତ ବାନ୍ଧି ପକାଇ ରାତି ସାରା ଜଳନ୍ତା ବାଡ଼ିରେ ନିଆଁ ଚେଙ୍କ ଦେଇଥିଲେ।

Image Courtesy of Vartha Bharathi

ଜାନୁଆରି ୧୦ ତାରିଖ ଦିନ ଆୟୁଷଙ୍କୁ ତୁରନ୍ତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଉନ୍ନତ ଚିକିତ୍ସା ନିମନ୍ତେ ସେଠାରୁ ତାଙ୍କୁ ଉଚ୍ଚତର ସ୍ବାସ୍ଥ୍ୟ କେନ୍ଦ୍ରକୁ ରେଫର୍‌ କରାଯାଇଥିଲା ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

ଜଣେ ଦଳିତ ହୋଇ ମଧ୍ୟ ସେ ମନ୍ଦିରରେ ପ୍ରବେଶ କରିଥିବାରୁ ଆକ୍ରମଣକାରୀମାନେ ରାଗିଥିଲେ ବୋଲି ଅଭିଯୋଗରେ ଆୟୁଷ ଉଲ୍ଲେଖ କରିଛନ୍ତି।

ଆୟୁଷଙ୍କ ଅଭିଯୋଗକୁ ଭିତ୍ତି କରି ଏସ୍‌.ସି./ଏସ୍‌.ଟି. ଆଇନ ଅନୁଯାୟୀ ଘଟଣାରେ ସମ୍ପୃକ୍ତ ଥିବା ୫ଜଣ ଗ୍ରାମବାସୀଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା କଥା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଅର୍ପଣ ଯଦୁବଂଶୀ କହିଛନ୍ତି।

ସର୍କଲ୍‌ ଅଫିସର୍‌ (ଅପରେସନ୍‌) ପ୍ରଶାନ୍ତ କୁମାରଙ୍କୁ ଏହି ଘଟଣାର ତଦନ୍ତ ଭାର ଦିଆଯାଇଛି ବୋଲି ଯଦୁବଂଶୀ କହିଛନ୍ତି।

ସମ୍ବନ୍ଧିତ ଖବର