ସାତକୋଶିଆ ଓ ତେଲକୋଇରେ ପକ୍ଷୀଗଣନା ଶେଷ

ହରଭଙ୍ଗା/ତେଲକୋଇ: ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ତ ଅନ୍ତର୍ଗତ ସାତକୋଶିଆ ଅଭୟାରଣ୍ୟ ମହାନଦୀ ଗଣ୍ତର ଚକ୍ରଗଡ଼ଠାରୁ ବେଲପୁଞ୍ଜି ମଠ ପର୍ଯ୍ୟନ୍ତ ନଦୀର ଉଭୟ ପାର୍ଶ୍ବରେ ଚାଲିଥିବା ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି। ପକ୍ଷୀଗଣନା କାର୍ଯ୍ୟରେ ତିନୋଟି ବନଖଣ୍ତ ଅଧୀନରେ ୧୪ଟି ଟିମ୍‌ ଦ୍ବାରା କାଠଡଙ୍ଗା ସାହାଯ୍ୟରେ ମହାନଦୀ ଓ ଅଭୟାରଣ୍ୟ ମଧ୍ୟରେ ଥିବା ଜଳଚର ପକ୍ଷୀଙ୍କ ଗଣନା କାର୍ଯ୍ୟ ଚାଲିଥିଲା। ଗଣନା କାର୍ଯ୍ୟରେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ତ ଅଧୀନରେ ୫ଟି ଟିମ୍‌, ନୟାଗଡ଼ ବନ୍ୟପ୍ରାଣୀ ବନଖଣ୍ତ ଅଧୀନରେ ୭ଟି ଟିମ୍ ଏବଂ ଆଠମଲ୍ଲିକ ବନଖଣ୍ତ ଅଧୀନରେ ୨ଟି ଟିମ୍‌ରେ ସମୁଦାୟ ୫୬ ଜଣ କର୍ମଚାରୀ ସାମିଲ ଥିଲେ। କୁଶଙ୍ଗ ରେଞ୍ଜ ପକ୍ଷରୁ ମହାନଦୀର ମାରଡ଼ାଠାରୁ କୁତୁରୀ, ମାରଡ଼ାଠାରୁ ଶୀତଳପାଣି, ଶୀତଳପାଣିଠାରୁ ହରଭଙ୍ଗା, ହରଭଙ୍ଗାଠାରୁ ଅଏଡ଼ା, ପଦ୍ମତୋଳା ଏବଂ ଭାବପୁର ଭଳି ଦୁଇଟି ପୋଖରୀରେ ଜଳଚର ପକ୍ଷୀଙ୍କ ବାଏନାକୁଲର ସାହାଯ୍ୟରେ ଗଣନା ଚାଲିଥିଲା।

ସେହିପରି ଛାମୁଣ୍ତିଆ ରେଞ୍ଜର ମହାନଦୀର କୁତୁରୀଠାରୁ ବଡ଼ମୂଳ ଏବଂ ବଡ଼ମୂଳଠାରୁ ଛାମୁଣ୍ତିଆ ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଚାଲିଥିଲା। ୬ଟି ଡିଭିଜନର ଗଣନା ରେକର୍ଡ ହସ୍ତାନ୍ତର ପରେ ନୂଆ ପ୍ରଜାତିର ପକ୍ଷୀ ଏବଂ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ଜଣାପଡ଼ିବ ବୋଲି ରେଞ୍ଜ ଅଫିସର ସଂସାର ବର୍ଗୀୟା ସୂଚନା ଦେଇଛନ୍ତି। ସେହିପରି କେନ୍ଦୁଝର ବନଖଣ୍ଡ ଅଧୀନ ତେଲକୋଇ ରେଞ୍ଜରେ ପକ୍ଷୀ ଗଣନା ବି ହୋଇଛି । ୨୦ଜଣ ବନ କର୍ମଚାରୀ ପକ୍ଷୀ ଗଣନାରେ ନିୟୋଜିତ ହୋଇଥିଲେ। ଦଣ୍ଡାଦର, ଖଜୁରିଆ, ଖୁଣ୍ଟାପଡ଼ା, କାକୁଡ଼ିଅମ୍ବା ଓ ସଲେଇକେନା ଆଦି ସ୍ଥାନରେ ଗଣନା କରାଯାଇଥିଲା। ତେଲକୋଇରେ ୮ଟି ପ୍ରଜାତିର ୮୦୨ଟି ପକ୍ଷୀ ରହିଥିବା ରେଞ୍ଜର ଶିବାଜୀ ମୋହନ ରାଓ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର