ଚିଟକାମାଲ ଡବଲ ମର୍ଡର ମାମଲା: ଜେଲ୍‌ ଗଲେ ଆଉ ଦୁଇ ଅଭିଯୁକ୍ତ

ପାଟଣାଗଡ଼: ପାଟଣାଗଡ଼ ବ୍ଲକ୍‌ ଲରମ୍ଭା ଥାନା ଚିଟକାମାଲ ଗ‌ାଁରେ ୨୦୧୯ ମସିହାରେ ଘଟିଥିବା ଡବଲମର୍ଡର ମାମଲାରେ ସୋମବାର ଆଉ ଦୁଇଜଣ ଜେଲ୍‌ ଯାଇଛନ୍ତି। ସେଦୁହେଁ ହେଲେ ଶନିବାରୁ ପୋଢ଼ ଓ ଯାଦବ ପୋଢ଼। ଏହି ମାମଲାର ୪ ଜଣ ଅଭିଯୁକ୍ତ ପୂର୍ବରୁ ଜେଲ୍‌ରେ ଥିବା ଜଣାପଡ଼ିଛି।

ପୁଲିସର ସୂଚନା ଅନୁସାରେ, ୨୦୧୯ ମସିହାରେ ଲରମ୍ଭା ଥାନା ଚିଟକାମାଲ ଗାଁରେ ରହୁଥିବା ଦମ୍ପତିଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ପିଟିପିଟି ହତ୍ୟା କରାଯାଇଥିଲା। ଏହି ମାମଲା‌ରେ ପୁଲିସ ୧୫ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ନାମରେ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଥିଲା। ଏହି ୬ ଜଣଙ୍କ ମଧ୍ୟରୁ କିଛିଦିନ ପୂର୍ବରୁ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଗତ ୧୮ ତାରିଖ ଦିନ ବୁଧୁ ଘିଭେଲା ଓ ପାଲେ ପୋଢ଼ଙ୍କୁ ମଧ୍ୟ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ଅନ୍ୟ ଦୁଇ ଅଭିଯୁକ୍ତ ଶନିବାରୁ ଓ ଯାଦବ ଫେରାରଥିଲେ। ଉଭୟେ ଗ‌ାଁକୁ ଆସିଥିବା ଖବର ପାଇ ଥାନାଧିକାରୀ ସୁଶାନ୍ତ ପଧାନ ରବିବାର ରାତିରେ ଚିଟକାମାଲ ଗାଁରୁ ଉଭୟଙ୍କୁ ଗିରଫ କରିଥିଲେ। ସୋମବାର ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍‌ ହାଜତକୁ ପଠାଯାଇଥିବା ପାଟଣାଗଡ଼ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା କହିଛନ୍ତି।

ସମ୍ବନ୍ଧିତ ଖବର