ଜୁଡିସିଆଲ୍‌ ଏକାଡେମି ଛକ ନୂଆ ରୂପ ପାଇବା ନେଇ ଦ୍ବନ୍ଦ୍ବ

ଶିଳାନ୍ୟାସର ୩ ମାସ ପରେ ବି ଆରମ୍ଭ ହେଲାନି କାମ

କଟକ: ପୌର ନିଗମ ପକ୍ଷରୁ ବେଲ୍‌ଭ୍ୟୁ ଛକର ଚିତ୍ର ବଦଳାଇବା ପାଇଁ ଯୋଜନା ପ୍ରସ୍ତୁତ ହେଲା। ପ୍ରକଳ୍ପ ପାଇଁ ୮କୋଟି ୮୬ ଲକ୍ଷ ୪୮ ହଜାର ଟଙ୍କାର ବଜେଟ୍‌ କରାଯାଇ ନିଗମ ତରଫରୁ ଗତ ଫେବ୍ରୁଆରି ୪ ତାରିଖରେ ଶିଳାନ୍ୟାସ କରାଗଲା। ଓଡ଼ିଶା ରାଜ୍ୟ ପୁଲିସ ହାଉସିଂ ‌ୱେଲ୍‌ଫେୟାର୍‌ କର୍ପୋରେସନ୍‌କୁ ଏହାର ନିର୍ମାଣ ଦାୟିତ୍ବ ଦିଆଗଲା। ମାତ୍ର ଇତିମଧ୍ୟରେ ୩ ମାସରୁ ଅଧିକ ଦିନ ବିତିଯାଇଥିଲେ ବି ଏହାର ନିର୍ମାଣ କାମ ଏଯାବତ୍‌ ଆରମ୍ଭ ହେଲା ନାହିଁ। ପ୍ରକଳ୍ପ ପାଇଁ ୨ ବର୍ଷ ସମୟ ଧାର୍ଯ୍ୟ କରାଗଲା। ମାତ୍ର କାମ ଆରମ୍ଭରେ ବିଳମ୍ବ ହେଉଥିବାରୁ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ଶେଷ ହେବାକୁ ନେଇ ପ୍ରଶ୍ନ ଉଠିଛି। ସହରର ଜୁଡିସିଆଲ୍‌ ଏକାଡେମି ଗୋଲେଇ ଛକର ସୌନ୍ଦର୍ଯ୍ୟୀକରଣ ପାଇଁ ପୌର ନିଗମ ପକ୍ଷରୁ ଗତବ‌ର୍ଷ ନଭେମ୍ବର୍‌ରେ ଯୋଜନା କରାଗଲା। ଜୁଡିସିଆଲ ଏକାଡେମି ଗୋଲେଇ ଛକରେ ବହୁମୁଖୀ ମନୋରଂଜନ ପାର୍କର ବିକାଶ, ଫୁଡ୍‌ କୋର୍ଟ ନିର୍ମାଣ, ପାର୍କିଂ ସ୍ଥାନ ନିର୍ମାଣ ସହ ଛକର ସୌନ୍ଦର୍ଯ୍ୟୀକରଣ କରିବାକୁ ନିଗମ ତରଫରୁ ସ୍ଥିର ହୋଇଥିଲା। ଗୋଲେଇ ଛକ ମଝିରେ ଥିବା ଖୋଲା ସ୍ଥାନରେ ଏକ ବିରାଟ ଫାଉଣ୍ଟେନ୍‌ କରାଯିବା ସହ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ରଖିବାର ଯୋଜନା କରାଯାଇଥିଲା।

ଏହାସହ ଏହାକୁ ବିଭିନ୍ନ ରଂଗରେ ଆଲୋକୀକରଣ କରାଯିବା ସହ ଗୋଲେଇ ଛକରୁ ସିଡିଏକୁ ଯିବା ରାସ୍ତାର ବାମପାର୍ଶ୍ବ ତଥା କାଠଯୋଡ଼ି ନଦୀକୂଳରେ ଥିବା ଖୋଲାସ୍ଥାନକୁ ମଧ୍ୟ ନୂଆ ରୂପ ମିଳିବ ବୋଲି ଘୋଷଣା ହୋଇଥିଲା। ଏଠାରେ ବାସ୍କେଟ୍ ବଲ୍‌ ଗ୍ରାଉଣ୍ଡ, ଯୋଗ ପାର୍କ, ଛୋଟପିଲାଙ୍କ ପାଇଁ ପାର୍କ, ଓପନ୍‌ ଜିମ୍‌, ହେବି ଜିମ୍‌ ପଏଣ୍ଟ, ଜଗିଂଗ୍‌ ଟ୍ରାକ୍‌, ଫାଷ୍ଟ ଫୁଡ୍‌ ଭେଣ୍ଡିଂ ଜୋନ୍, ଫୁଡ୍‌ ଟ୍ରକ୍‌ ପାଇଁ ସ୍ଥାନ, ଗାଡି ପାର୍କିଂ ସ୍ଥାନ, ଡବଲ୍‌ ଲାଇନ୍‌ ସାଇକେଲିଂ ଟ୍ରାକ୍‌, ସିକ୍ୟୁରିଟ୍‌ ପୋଷ୍ଟ, ଶୌଚାଳୟ ଆଦି ନିର୍ମାଣ ହେବକୁ ସ୍ଥିର ହୋଇଥିଲା। ଏଥିପାଇଁ ନିଗମ ପକ୍ଷରୁ କାଠଯୋଡ଼ି କୂଳ ଅଞ୍ଚଳକୁ ସମତଳ କରିଦିଆଯାଇଛି। ପ୍ରକଳ୍ପ ପାଇଁ ୮କୋଟି ୮୬ ଲକ୍ଷ ୪୮ ହଜାର ଟଙ୍କାର ବ୍ୟୟ ଅଟକଳ କରାଯାଇ ଗତ ଫେବ୍ରୁଆରି ୪ ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା। ୨ବର୍ଷ ମଧ୍ୟରେ ପ୍ରକଳ୍ପ ଶେଷ କରିବା ଲକ୍ଷ୍ୟରେ ଏହି କାମ ଓଡ଼ିଶା ରାଜ୍ୟ ପୁଲିସ ହାଉସିଂ ‌ୱେଲ୍‌ଫେୟାର୍‌ କର୍ପୋରେସନ୍‌କୁ ପ୍ରଦାନ କରାଯାଇଛି। ମାତ୍ର ଶିଳାନ୍ୟାସର ୩ ମାସ ବିତିଯାଇଥିଲେ ବି ଏଯାବତ୍‌ କାମ ଆରମ୍ଭ ହୋଇ ନାହିଁ ବୋଲି ସ୍ଥାନୀୟ କର୍ପୋରେଟର ଆରତୀ ସାହୁ କହିଛନ୍ତି। ଏପରି ସ୍ଥଳେ ନିର୍ଧାରିତ ସମୟରେ ପ୍ରକଳ୍ପ ଶେଷ ହେବାକୁ ନେଇ ଦ୍ବନ୍ଦ୍ବ ଦେଖାଯାଇଛି। ଅପରପକ୍ଷରେ, ଓପିଏଚ୍‌ଡବ୍ଲୁସିକୁ ଜୁଡିସିଆଲ୍‌ ଏକାଡେମି ଗୋଲେଇ ଛକର ସୌନ୍ଦର୍ଯ୍ୟୀକରଣ କାମ ଦିଆଯାଇଛି। ଖୁବ ଶୀଘ୍ର ଏକ ବୈଠକ ଡକାଯାଇ କାମର ଅଗ୍ରଗତି ଉପରେ ସମୀକ୍ଷା କରାଯିବ ବୋଲି ସିଟି ଇଂଜିନିୟର୍‌ ଅତନୁ କୁମାର ସାମନ୍ତ କହିଛନ୍ତି।

ସମ୍ବନ୍ଧିତ ଖବର