ବୋଡ଼େନରେ ବଢୁଛି ବେଆଇନ ମଦ କାରବାର, ଉପଜିଲ୍ଲାପାଳଙ୍କୁ ଅଭିଯୋଗ କଲା ମହିଳା ସଂଘ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍‌ ବୋଡ଼େନ ଗାଁରେ ବେଆଇନ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ଏହାର ପ୍ରଭାବରେ ପାରିବାରିକ ଅଶାନ୍ତି ସହ ଗାଁରେ ଅନେକ ସମୟରେ ଶାନ୍ତିଭଙ୍ଗ ହେଉଥିବା ଗ୍ରାମର ମା’ ଠାକୁରାଣୀ ଟ୍ରଷ୍ଟ ମହିଳା ସଂଘର ସଦସ୍ୟମାନେ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।
ସେମାନଙ୍କ ଅଭିଯୋଗ ଅନୁଯାୟୀ, ଗାଁରେ ୫ଟି ମଦକୋଠି ଚାଲିଛି। ପଞ୍ଚାୟତ କାର୍ଯ୍ୟାଳୟ ସାମନା ଓ ଗାଁର ବିଭିନ୍ନ ଜନଗହଳି ସ୍ଥାନରେ ଏହି କୋଠିସବୁ ରହିଛି।

ମଦୁଆମାନେ ସେଠାରେ ଅଶ୍ରାବ୍ୟ ଭାଷାରେ କଥାବାର୍ତ୍ତା କରୁଥିବାରୁ ସେଠାକୁ ମ଼ହିଳାମାନେ ଯିବା ସମ୍ଭବ ହେଉନାହିଁ। ନଳକୂଅକୁ ମଧ୍ୟ ପାଣି ଆଣିବାକୁ ଯିବା ମହିଳାଙ୍କ ପକ୍ଷେ ସମ୍ଭବ ହେଉ ନାହିଁ। ପ୍ରତିଦିନ ପରିବାରରେ ଅଶାନ୍ତି ଲାଗିରହୁଛି। ଘରର ଛୋଟ ଛୁଆମାନଙ୍କ ଉପରେ ଏହାର କୁପ୍ରଭାବ ପଡୁଛି। କୋଠି ବନ୍ଦ କରିବାକୁ ବାରମ୍ବାର କହିବା ପରେ ମଧ୍ୟ ବେପାରୀମାନେ ମାନୁ ନାହାନ୍ତି। ଓଲଟା ଧମକ ଦେଇ ଭୟଭୀତ କରୁଛନ୍ତି ବୋଲି ସଂଗଠନ ଅଭିଯୋଗ କରିଛି। ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ବେଆଇନ ମଦକୋଠି ଉଚ୍ଛେଦ କରିବାକୁ ସଂଗଠନର ବାସୁକୀ ମହାନନ୍ଦ, ପଦ୍ମା ବେମାଲ, ବିମଳା ସାଗର, ଡାଲିମ୍ୱ ମହାନନ୍ଦ, ପ୍ରବୀଣା ଖମାରୀ, ଲଥ ସୁନାନୀ, ହୀରା ଦୁର୍ଗା, ତାରା ନିଆଲ ପ୍ରମୁଖ ଦାବି କରିଛନ୍ତି। ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସବ୍‌ରେଜିଷ୍ଟ୍ରାର ଅଜିତ ଶବର ଅଭିଯୋଗପତ୍ର ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର