ଘଟଗାଁରେ ଘୋଷଯାତ୍ରା

ଘଟଗାଁ : ଘଟଗାଁରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଆନନ୍ଦଉଲ୍ଲାସ ମଧ୍ୟରେ ଶେଷ ହୋଇଛି। ଘଟଗାଁ ଗ୍ରାମ ଉନ୍ନୟନ କମିଟି ଦ୍ବାରା ଆୟୋଜିତ ଏହି ଯାତ୍ରାରେ ପ୍ରାୟ ୨୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କଙ୍କୁ ଷୋଡ଼ଶ ଉପଚାର ଓ ପୂଜାର୍ଚ୍ଚନା କରିଥିଲେ ପୂଜକ ଦିଲୀପ କୁମାର ପ୍ରହରାଜ ଓ ତାଙ୍କ ସହଯୋଗୀ। ମଙ୍ଗଳ ଆଳତୀ, ଗୋପାଳ ଭୋଗ ସହ ସମସ୍ତ ପାରମ୍ପରିକ ରୀତିନୀତି ସମ୍ପନ୍ନ କରାଯାଇଥିଲା। ପହଣ୍ଡି କାର୍ଯ୍ୟ ବିଳମ୍ବିତ ହୋଇ ୫ଟାବେଳେ ଆରମ୍ଭ ହୋଇଥିଲା। ଘଟଗାଁ ବ୍ରାହ୍ମଣ ସମାଜର ପ୍ରାୟ ୪୦ରୁ ଊର୍ଦ୍ଧ୍ବ ବ୍ରାହ୍ମଣ ପହଣ୍ଡି କରି ଶ୍ରୀଜିଉମାନଙ୍କୁ ରଥାରୂଢ଼ କରିଥିଲେ। ଘଟଗାଁ ଶ୍ରୀଜଗନ୍ନାଥ ମନ୍ଦିରରୁ ବରିଷ୍ଠ ପୁରୋହିତ ଦିଲୀପ କୁମାର ପ୍ରହରାଜ ଆଜି ଛେରାପହଁରା କରିଥିଲେ। ଗ୍ରାମ୍ୟ କମିଟିର ବରିଷ୍ଠ ସଦସ୍ୟ କେଶବ ମହାନ୍ତି ରଥର ସାରଥି ହୋଇଥିଲେ। ରଥ ଟଣା କାର୍ଯ୍ୟ ୫ଟା ୩୦ରୁ ଆରମ୍ଭ ହୋଇ ବଜାର ଦେଇ ଯାତ୍ରା କରିଥିଲେ। ବାଟରେ ଗଳଗଣ୍ଡି ପୂଜା କରାଯାଇଥିଲା। ସନ୍ଧ୍ୟ‌ା ୭ଟା ୩୦ ମିନିଟରେ ରଥ ପହଞ୍ଚିବା ପରେ ମା’ ତାରିଣୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବାଜା, ଘଣ୍ଟଘଣ୍ଟା ବଜାଇ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ମାଉସୀମା ମନ୍ଦିରକୁ ପାଛୋଟି ନେଇଥିଲେ।
ମନ୍ଦିର ପରିଚାଳନା କମିଟିର ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, ନିର୍ମଳ କୁମାର ମହାନ୍ତି, ଦୟାନିଧି ମହାନ୍ତ ଓ ଆନନ୍ଦ ଚନ୍ଦ୍ର ସିଂହଙ୍କ ସମେତ ସମସ୍ତ ମନ୍ଦିର କର୍ମଚାରୀ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳାର ସହ ରଥ ଟଣା କାର୍ଯ୍ୟ ‌ଶେଷ ହୋଇଥିଲା। ବିଶ୍ବକର୍ମା ଶ୍ରୀପତୀ ସାମଲ ରଥ କାର୍ଯ୍ୟ କରିଥିଲାବେଳେ ପ୍ରଭୁଙ୍କ ଟାହିଆ ସାଜସଜ୍ଜା ପ୍ରସ୍ତୁତି କରିଥିଲେ ଯୁବଶିଳ୍ପୀ ଆଲୋକ ଦେହୁରୀ। ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ରୋହିତ କୁମାର ବେହେରା, ହେମନ୍ତ କୁମାର ରଣା, ସଂଜୟ କୁମାର ମିଶ୍ର, ଦିଲୀପ କୁମାର ମିଶ୍ର, ପ୍ରଫୁଲ୍ଲ ରାଉତ ଧାରା ବିବରଣୀ ପ୍ରଦାନ କରିଥିଲେ। ଏ ଅବସରରେ ସନ୍ଧ୍ୟାରେ ମାନସୀ ପାତ୍ର ଓ ତାଙ୍କ ସହଯୋଗୀମାନେ ପାଲାମଣ୍ଡପରେ ଶ୍ରୀଜଗନ୍ନାଥଙ୍କ ଉପରେ ଭଜନ ପରିବେଷଣ କରିଥିଲେ। ରଥଯାତ୍ରାରେ ଘଟଗାଁ ଥାନା ଅଧିକାରୀ ବନ୍ଦନା ପାତ୍ରଙ୍କ ସହ ସମସ୍ତ ପୁଲିସ କର୍ମଚାରୀ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ଘଟଗାଁ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ମଙ୍ଗୁଳୁ ଚରଣ ନାଏକ, ସଂପାଦକ ଧରଣୀଧର ଖୁଣ୍ଟିଆ, ଦିଲୀପ କୁମାର ନାଏକ, ମନୋଜ ନାଏକ, ଗଙ୍ଗରାଜ ଦେହୁରୀ, ଗଣେଶ୍ବର ରାଉତ, ଜଗଦାନନ୍ଦ ଶାହା, ଗୁରୁଚରଣ ନାଏକ, ଗୋଲବାସ ଦେହୁରୀ , ରଂଜନ କୁମାର ସିଂହ, ବିଭୂତି ଭୂଷଣ ଦେହୁରୀ, ହିମାଂଶୁ ଦେହୁରୀ, ପ୍ରଦୀପ କୁମାର ଶାହାଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ପରିଚାଳନା କରିଥିଲେ। ବାହୁଡ଼ାଯାତ୍ରା ଦିନ ମହିଳାମାନଙ୍କୁ ରଥ ଟାଣିବାକୁ ସୁଯୋଗ ଦିଆଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର