ଗଞ୍ଜାମ ଜିଲ୍ଲାରେ ଅଛନ୍ତି ୭୩୫୮ କୃଷ୍ଣସାର ମୃଗ

ଭଞ୍ଜନଗର: ‘‘ଯହିଁ ନାହିଁ କୃଷ୍ଣସାର ତହିଁ ନାହିଁ ଧର୍ମାଚାର’’ ପ୍ରାଚୀନ ବୈଦିକ ଯୁଗରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ବିଭିନ୍ନ ବେଦ ଉପନିଷଦ, ଧର୍ମଗ୍ରନ୍ଥ ତଥା କବି ସମ୍ରାଟ ଉପ‌େନ୍ଦ୍ର ଭଞ୍ଜଙ୍କ ସାହିତ୍ୟରେ ମଧ୍ୟ କୃଷ୍ଣସାର ମୃଗ ସଂର୍ପକରେ ବର୍ଣ୍ଣନା ରହିଛି। ବନ୍ୟପ୍ରାଣୀ ସୁରକ୍ଷା ଆଇନରେ ଏହି କୃଷ୍ଣସାର ମୃଗକୁ ପ୍ରାଧାନ୍ୟ ଦିଆଯାଇ ପ୍ରଥମ ଶ୍ରେଣୀରେ ସ୍ଥାନରେ ସ୍ଥାନିତ କରାଯାଇଛି। ସାରା ବିଶ୍ବ ପ୍ରାଣୀ ମାନଙ୍କ ମଧ୍ୟରେ କୃଷ୍ଣସାର ବିରଳ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା‌ର ଦକ୍ଷିଣ ଓ ଉତ୍ତର ଘୁମୁସର ବନଖଣ୍ଡ ଏମାନଙ୍କ ପ୍ରମୁଖ ବିଚରଣ ସ୍ଥଳ ଭାବେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ବିଶେଷ କରି ଦକ୍ଷିଣ ଘୁମୁସର ବନଖଣ୍ଡରେ ଏମାନଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ଗତ ୨୦୧୮ରୁ ଗତବର୍ଷ ହୋଇଥିବା ଗଣନା ମଧ୍ୟରେ ଏହି ସଂଖ୍ୟା ପାଖାପାଖି ଦୁଇଗୁଣା ହୋଇଥିବା ସରକାରୀ ସଂଖ୍ୟାରୁ ଜଣାପଡିଛି।

ଗତବର୍ଷର କୃଷ୍ଣସାର ମୃଗ ଗଣନା ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ ୭୩୫୮ ଗୋଟି କୃଷ୍ଣସାର ମୃଗ ରହିଥିବା ଜଣାପଡ଼ିଛି। ଦକ୍ଷିଣ ଘୁମୁସର ବନଖଣ୍ଡରେ ସର୍ବାଧିକ ୪୪୮୩ ‌ଟି କୃଷ୍ଣସାର ମୃଗ ରହିଛନ୍ତି। ସେମାନଙ୍କ ମଧ୍ୟରେ ୧୨୨୦ ଟି ଅଣ୍ଡିରା, ୨୪୭୧ ଟି ମାଈ ଏବଂ ୭୯୨ ଟି ଶାବକ କୃଷ୍ଣସାର ମୃଗ ରହିଛନ୍ତି। ସେହପରି ଉତ୍ତର ଘୁମୁସର ବନଖଣ୍ଡରେ ୩୦୧ଟି କୃଷ୍ଣସାର ମଧ୍ୟରେ ୬୩ ଟି ଅଣ୍ଡିରା, ୨୦୧ଟି ମାଈ ଓ ୩୭ ଗୋଟି ଶାବକ ରହିଛନ୍ତି ଏବଂ ବ୍ରହ୍ମପୁର ବନଖଣ୍ଡରେ ୨୫୭୪ ଟି କୃଷ୍ଣସାର ମୃଗ ମଧ୍ୟରେ ୪୨୯ ଗୋଟି ଅଣ୍ଡିରା, ୧୫୨୪ ଟି ମାଈ ଏବଂ ୬୨୧ ଗୋଟି ଶାବକ କୃଷ୍ଣସାର ମୃଗ ରହିଥିବା ଗଣନାରୁ ପ୍ରକାଶ ପାଇଛି। ବର୍ତ୍ତମାନ ସେମାନଙ୍କ ସଂଖ୍ୟ ଆହୁରି ବଢିଥିବା ଜଣାପଡିଛି। ଏହି ବିରଳ କୃଷ୍ଣସାର ମୃଗର ଗତି କ୍ଷିପ୍ର ହୋଇଥିବାରୁ ସହଜରେ କୌଣସି ଜନ୍ତୁ ଶିକାର କରିପାରି ନଥାନ୍ତି। ଏହା ଘଣ୍ଟାପ୍ରତି ୫୦ ମାଇଲ ବେଗରେ ଦୌଡି ଥାଏ।

ଏମାନଙ୍କ ବୟସ ପାଖାପାଖି ୧୧ରୁ ୧୨ ବର୍ଷ ପର୍ୟ୍ୟନ୍ତ ରହିଥାଏ। ଏମାନେ ଲମ୍ବରେ ୨୦ରୁ ୨୨ ଫୁଟ ଡିଆଁ ମାରୁଥିବା ବେଳେ ଉଚ୍ଚରେ ୬ ଫୁଟ ପର୍ଯ୍ୟନ୍ତ ‌ଦୌଡିଥାନ୍ତି। ଦକ୍ଷିଣ ଘୁମୁସର ବନଖଣ୍ଡର ଆସିକା, ବୁଗୁଡା ଓ ପୋଲସରା ବନାଞ୍ଚଳରେ ଅଧିକାଂଶ ସ୍ଥାନରେ ଏହି ମୃଗ ଦେଖିବାକୁ ମିଳୁଛି। ଏହି ବନଖଣ୍ଡରେ ୨୦୧୫ ମସିହାରେ ୨୬୧୮ ଟି କୃଷ୍ଣସାର ମୃଗ ରହିଥିବା ବେଳେ ୨୦୧୮ ମସିହାରେ ତାହା ୨୮୦୯ରେ ପହଞ୍ଚିଥିଲା। କ୍ରମଶଃ ମୃଗ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ୨୦୨୦ ମସିହା ଗଣନା ଅନୁଯାୟୀ ଏମାନଙ୍କ ସଂଖ୍ୟା ପାଖାପାଖି ଦୁଇ ଗୁଣା ହୋଇ ୪୧୧୪ ରେ ମୃଗ ସଂଖ୍ୟା ପହଞ୍ଚିଥିବା ବ‌େଳେ ଗତବର୍ଷ ଗଣନାରେ ଏହା ୪୪୮୩ ଟି ମୃଗ ରହିଥିବା ଜଣାପଡିଛି। ସେହିଭଳି ଉତ୍ତର ଘୁମୁସର ବନଖଣ୍ଡର କେବଳ ଜଗନ୍ନାଥ ପ୍ରସାଦ ବନାଞ୍ଚଳରେ ଏହି କୃଷ୍ଣସାର ମୃଗ ଦେଖିବାକୁ ମିଳୁଥିବା ବ‌େଳେ ୨୦୧୮ ଗଣନାରେ ମୋଟ ୨୩୮ଟି ରହିଥିବା ବେଳେ ୨୦୨୦ ମସିହାରେ ୨୮୬ ଟି ଏବଂ ଗତବର୍ଷ ଗଣନାରେ ୩୦୧ଟି କୃଷ୍ଣସାର ମୃଗ ରହିଥିବା ଜଣାପଡିଛି।

Sambad

ସେହିପରି ବ୍ରହ୍ମପୁର ବନଖଣ୍ଡରେ ୨୦୨୦ ମସିହାରେ ୨୪୭୫ ଟି ରହିଥିବା ବେଳେ ତାହା ବର୍ତ୍ତମାନ ୨୫୭୪ରେ ପହଞ୍ଚିଥିବା ଜଣାପଡିଛି। ଖାଦ୍ୟ ପାଇଁ ଅନେକ ସମୟରେ ବିଭିନ୍ନ କ୍ଷେତରେ ପଶି ନଷ୍ଟ କରୁଥିବା ବେଳେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ବ‌େଳେ ରାସ୍ତାରେ ଦୁର୍ଘଟଣାର ଶୀକାର ହେଉଛନ୍ତି। ବନ ବିଭାଗକୁ ସହାୟତାର ହାତ ବଢାଇ ସ୍ଥାନିୟ ଲୋକମାନେ ଏମାନଙ୍କୁ ସୁରକ୍ଷା ‌ଦେଉଥିବାରୁ ଶୀକାର ଭୟ ନଥିବା ଏକ ପ୍ରକାର ସନ୍ତୋଷ ଜନକ ବିଷୟ ହୋଇଛି। ସଂଖ୍ୟା ବୃଦ୍ଧି କାରଣରୁ ଏମାନଙ୍କ ସୁରକ୍ଷ ଚିନ୍ତା ମଧ୍ୟ ବହୁଗୁଣା ବୃଦ୍ଧି ପାଇଛି।

ସଡ଼କ ଦୁର୍ଘଟଣାରେ ଏମାନଙ୍କ ମୃତ୍ୟୁ ସଂଖ୍ୟା ଅଧିକ ରହିଥିବାରୁ ଏହାକୁ ରୋକିବା ଦିଗରେ ବନ ବିଭାଗ ତତ୍ପରତା ପ୍ରକାଶ ପାଇଛି। ଏମାନଙ୍କ ଅବାଧ ଓ ନିର୍ଭୟ ବିଚରଣ ପାଇଁ ବନ ବିଭାଗ ପକ୍ଷରୁ ଖାଦ୍ୟ ପାଇଁ ଚାଷ କରାଯିବା ସହିତ ତାର ଜାଲି ଦିଆଯାଉଛି। ଏଥିସହ ମୃଗମାନେ ସୁରକ୍ଷିତ ଭାବେ ଖାଦ୍ୟ ଗ୍ରହଣ କରିବେ ସେଥିପାଇ ପଦକ୍ଷେପ ନିଆଯାଉଛି। ଏଥିସହ ସେମାନଙ୍କ ପାଇଁ ବିଚରଣ କୁରଥିବା ସ୍ଥାନରେ କୁଣ୍ଡ ତିଆରି କରି ପାନିୟ ଜଳର ବ୍ୟବସ୍ଥା କରାଯାଉଛି। ଏଥିସହ ସୁରକ୍ଷା ପାଇଁ ସ୍ବତନ୍ତ୍ର ଜଗୁଆଳି ରହିବା ସହ ଲୋକଙ୍କୁ ସୁରକ୍ଷା ମଧ୍ୟ କରାଯାଉଛି। ଦକ୍ଷିଣ ଘୁମୁସର ବନଖଣ୍ଡର ଆସିକା ବନାଞ୍ଚଳରେ ‌ଭେଟନଇ ଠାରେ ଏହି ମୃଗ ଖାଇବା ପାଇଁ ମାଣ୍ଡିଆ ଓ ଡାଲି ଜାତୀୟ ଫସଲ ଚାଷ କରାଯାଇଥିବା ଡିଏଫ୍‌ଓ ଦିଲ୍ଲୀପ କୁମାର ରାଉତ ପ୍ରକାଶ କରିଛନ୍ତି। ମୃଗମାନେ ଖାଇବା ପରେ ସେମାନଙ୍କ ଦାନ୍ତରେ କ୍ଷତକୁ ଭରଣା କରିବା ସହ ସେମାନଙ୍କ ପେଟ ରୋଗ ଦୂରୀ କରଣ ଏବଂ ସୁସ୍ଥ ସବଳ ରଖିବା ପାଇଁ ମାଟିରେ ରକ୍‌ ସଲ୍ଟ୍‌ ମିଶ୍ରଣ କରାଯାଇ ଖାଉଥିବା ସ୍ଥାନ ନିକଟରେ ମାଟି ହାଣି ‘ସଲଟ ଲିକ୍’ ପ୍ରସ୍ତୁତ କରାଯାଉଛି। ଏଥିସହ ଉତ୍ତର ଘୁମୁସର ବନଖଣ୍ଡର ଜଗନ୍ନାଥପ୍ରସାଦ ବନାଞ୍ଚଳରେ ମଧ୍ୟ ପାଣିକୁଣ୍ଡ ନିର୍ମାଣ କରାଯିବା ସହ ଜଗୁଆଳ ରଖିବା ବ୍ୟବସ୍ଥା କରାଯାଇଥିବା ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ପ୍ରକାଶ କରିଛନ୍ତି। କୃଷ୍ଣସାର ମୃଗ ଶିକାର ହେଉନଥିବା ବିଷୟ ବନ ବିଭାଗକୁ ଆଶ୍ବସ୍ତି ପ୍ରଦାନ କରିଛି।

ସମ୍ବନ୍ଧିତ ଖବର