ସମ୍ବଲପୁର: ସୁବର୍ଣ୍ଣପୁର ଜିଲ୍ଲାର ସୀମାକୁ ଲାଗି ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକ୍ ଅନ୍ତର୍ଗତ ଦେଓଗାଁ ପଞ୍ଚାୟତ ଲରାସରା ନିକଟରେ ଘଞ୍ଚ ଜଙ୍ଗଲ ଭିତରେ ରହିଛି ଏକ ଆଦିବାସୀ ଗାଁ ଜପ୍ତି। ଉକ୍ତ ଗାଁର ସମସ୍ତେ ଜଙ୍ଗଲି ଆଦିବାସୀ ସଂପ୍ରଦାୟର। ସେମାନେ ଠିକ୍ରେ ଓଡ଼ିଆ ଭାଷା ବି କହି ବା ବୁଝି ପାରନ୍ତି ନାହିଁ। ଆଦିବାସୀ ସାଦ୍ରି ଭାଷାରେ କଥାବାର୍ତ୍ତା କରନ୍ତି। ସକାଳ ପାହିଲେ ପୁରୁଷ, ମହିଳା ମାନେ ରୋଜଗାର ପାଇଁ ଜଙ୍ଗଲକୁ ବାହାରି ଯାଆନ୍ତି। କିଏ ମହୁଲ ଗୋଟାଏ ତ’ କିଏ କେନ୍ଦୁପତ୍ର ତୋଳେ। ବାପା, ମା’ଙ୍କ ସହ ଛୋଟ ପିଲାମାନେ ବି ଜଙ୍ଗଲକୁ ଯାଆନ୍ତି। ପାଠପଢ଼ା ପ୍ରତି ଧ୍ୟାନ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ନିକଟସ୍ଥ ବିଦ୍ୟାଳୟରେ ନାମ ଲେଖାଇଥିଲେ ବି ପିଲାମାନେ ଠିକ୍ରେ ଅକ୍ଷର ଚିହ୍ନି ପାରନ୍ତି ନାହିଁ। ସେମାନେ ଜୀବନରେ ଶିକ୍ଷାର ଗୁରୁତ୍ବ ବୁଝି ପାରନ୍ତି ନାହିଁ। ହେଲେ ସେହି ଶିଶୁ ମାନଙ୍କୁ ଶିକ୍ଷା ସହ ଯୋଡ଼ିବା, ତାଙ୍କ ପାଠପଢ଼ାର ଭଲମନ୍ଦ ବୁଝିବାର ଭାର ଉଠାଇଛନ୍ତି ପାଖ ଗାଁର ଜଣେ ଯୁବତୀ ମମତା ବାଦି। ଜପ୍ତିରେ ମମତା ଖୋଲିଛନ୍ତି ଶିକ୍ଷାର ଚାଟଶାଳୀ। ପ୍ରାୟ ବର୍ଷେ ହେଲା ସେ ସେଠାରେ ପ୍ରତ୍ୟହ ସକାଳ ୭ଟା ୩୦ରୁ ୯ଟା ୩୦ ଯାଏ ଏହି ଆଦିବାସୀ ପୁଅଝିଅ ମାନଙ୍କୁ ପାଠ ପଢ଼ାଉଛନ୍ତି। ସେହିପରି ହାତୀ ଭୟ ନଥିବା ସମୟରେ ସେ ସଂଧ୍ୟାରେ ବି ୨ ଘଣ୍ଟା ପିଲାମାନଙ୍କୁ ପାଠ ପଢ଼ାନ୍ତି। କାରଣ ଉକ୍ତ ଅଞ୍ଚଳରେ ସଂଧ୍ୟା ୬ଟାରୁ ସକାଳ ଯାଏ ହାତୀ ଭୟ ଲାଗି ରହିଥାଏ। ଧାନ ରୁଆଠାରୁ ଆରମ୍ଭ କରି ଧାନ ଅମଳ ପର୍ଯ୍ୟନ୍ତ ହାତୀ ପଲ ମାତିଥାଆନ୍ତି। ତେଣୁ ଅନ୍ୟ ସମୟରେ ମମତା ଦିନକୁ ଦୁଇଓଳି ପିଲାଙ୍କୁ ପାଠ ପଢ଼ାନ୍ତି।
ମମତାଙ୍କ ଘର ନିକଟସ୍ଥ ଜାମଟିକ୍ରା ଗାଁରେ। ସେ ଏକ ପଛୁଆ ଗରିବ ପରିବାରରେ ଜନ୍ମ ହୋଇଥିଲେ ବି ନିଜ ଉଦ୍ୟମରେ +୨ ପାଠ ପଢ଼ିଛନ୍ତି। ପିଲାଙ୍କୁ ଶିକ୍ଷାଦାନର ଆଗ୍ରହ ଓ ସେବା ମନୋବୃତ୍ତି ତାଙ୍କୁ ସବୁ ଦିନ ଟାଣି ଆଣୁଛି ନିକଟସ୍ଥ ଜପ୍ତି ଗାଁ’କୁ। ପ୍ରଥମେ ସେ ନିଜ ଗାଁ ଜାମ୍ଟିକ୍ରାରେ ପିଲାଙ୍କୁ ପଢ଼ାଇବାକୁ ଚାହିଁଥିଲେ। କିନ୍ତୁ ନିଜ ଗାଁରେ ତାଙ୍କୁ ପିଲା ମିଳିଲେ ନାହିଁ। ଏହାପରେ ସେ ୨ କିଲୋମିଟର ଦୂର ଜପ୍ତି ଗାଁରେ ନିଜର ଚାଟଶାଳୀ ଖୋଲିଥିଲେ। ପ୍ରଥମେ ସେଠାରେ ୭ ଜଣ ପିଲାଙ୍କୁ ନେଇ ପାଠପଢ଼ା ଆରମ୍ଭ କରିଥିବାବେଳେ ଏବେ ୨୦ ଜଣ ପିଲା ତାଙ୍କଠାରୁ ଶିକ୍ଷା ଗ୍ରହଣ କରୁଛନ୍ତି। ସେ ପିଲାଙ୍କୁ ପାଠପଢା ସହିତ ଚିତ୍ରାଙ୍କନ, ନାଚ, ଗୀତ, ଖେଳ ଆଦି ମଧ୍ୟ ଶିଖାଉଛନ୍ତି। ପ୍ରତି ସପ୍ତାହ ଶେଷରେ ସାପ୍ତାହିକ ପରୀକ୍ଷା କରି ପିଲାର ବୌଦ୍ଧିକ ବିକାଶ ମାପିଥାଆନ୍ତି। ଯେଉଁ ପିଲା ପାଠରେ ଯେମିତି ତାକୁ ସେହି ପ୍ରକାରେ ଶିକ୍ଷା ଦାନ କରନ୍ତି। ଶିକ୍ଷାକୁ ସହଜ ଓ ମନୋରଞ୍ଜନ ଭରା କରିବାକୁ ଉଦ୍ୟମ କରନ୍ତି। ତାଙ୍କ ପାଠପଢ଼ା ଦେଖିବା ପରେ ବାପା, ମାଆ ମାନେ ମଧ୍ୟ ଖୁସିରେ ନିଜ ପିଲାଙ୍କୁ ତାଙ୍କ ନିକଟକୁ ପଠାଉଛନ୍ତି। ପ୍ରତିଦିନ ସେ ନିଜ ପିତା ସୁରେନ୍ଦ୍ର ବାଦୀଙ୍କ ସହ ଜଙ୍ଗଲ ରାସ୍ତାରେ ୨ କିଲୋମିଟର ଦୂର ଜପ୍ତିକୁ ଆସି ପିଲାଙ୍କ ପାଠପଢ଼ାର ଭାର ମୁଣ୍ଡାଇଛନ୍ତି।