ସୀମାରେ ସଂଗଠନ ଦୁର୍ବଳ ହେଉଛି, ୨୩ ମାଓବାଦୀ ମୁଖ୍ୟସ୍ରୋତରେ ହେଲେ ସାମିଲ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦାନ୍ତେୱାଡା ପୁଲିସ ନିକଟରେ ଆଜି ୨୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ ସରକାରଙ୍କ ‘ଘରକୁ ଫେରିଆସ‘ ଅଭିଯାନରେ ପ୍ରଭାବିତ ହୋଇ ଏହି ନକ୍ସଲମାନେ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ହିଂସା ଛାଡି ଲୋକତନ୍ତ୍ର ଓ ସମ୍ବିଧାନ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ସମସ୍ତ ଆତ୍ମସମର୍ପଣ କରିଥିବା ମାଓବାଦୀ ଭେରମଗଡ ଏରିଆ କମିଟିର ବୋଲି ଜଣାପଡିଛି। ଏହି ମାଓବାଦୀମାନେ ରାସ୍ତା ଖୋଳିବା, ପ୍ରଜାକୋର୍ଟରେ ଲୋକଙ୍କୁ ଯୋଗାଡ କରିବା, ବୋମା ଖଞ୍ଜିବା, ପୋଷ୍ଟର ଏବଂ ବ୍ୟାନର ମାରିବା ଭଳି କାମ କରୁଥିଲେ। ନକ୍ସଲମାନଙ୍କୁ କିପରି ମୁଖ୍ୟସ୍ରୋତରେ ପୁଣି ସାମିଲ କରାଯିବ ସେନେଇ ପୁଲିସ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କରାଯିବା ସହ ସେମାନଙ୍କ ସଂପର୍କରେ ରହିଥିଲା।

ସରକାରଙ୍କ ଆତ୍ମନିର୍ଭରଶୀଳ ନୀତିରେ ମଧ୍ୟ ଏମାନେ ପ୍ରଭାବିତ ହୋଇଛନ୍ତି। ମାଓ ସଂଗଠନରେ ହିଂସା ଏବଂ କୌଣସି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ କାମ କରାଯାଉନଥିବାରୁ ଏମାନେ ସଂଗଠନ ଛାଡିଥିବା କହିଥିଲେ। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପୁଲିସ ଉପ ମହାନିରୀକ୍ଷକ କମଳ ଲୋଚନ କଶ୍ୟପ,ଏସପି ଗୌରବ ରାୟ,ସିଆରପିଏଫ କମାଣ୍ଡାଣ୍ଟ ବିକାଶ କାଠରିଆ ପ୍ରମୁଖ ଉପସ୍ଥିତ ଥିଲେ। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ସୋନୁ ମାଡବୀ,ପାରୋ ମାଡବୀ,ମାସୋ ମୁଚାକି,ବୋଦେ କୁଞ୍ଜାମ,ରାଜମନ ଲେକାମ,ଜଗ୍ଗୁ କାରାମ,କୁମାରୀ ମଞ୍ଜୁ,ସୋମାରୁ ମାଡକାମ,ମନକୁ ଇଚ୍ଛାମ,ଦିଲୀପ ବଟ୍ଟି,କୁମାରୀ ଶୁସିଲା,ପାର୍ବତୀ ବାରସା,ରାଜେଶ କୁଞ୍ଜାମ,ମାସା ମାଣ୍ଡବୀ,ମନିରାମ ଅତରା,ସୀତାରାମ ଇଛାମ,ସନ୍ନୁ ଅତରା,ଦସରୀ ତେଲାମ,ମନୋଜ ବାରସା,ଲକ୍ଷ୍ମଣ ଅୟମ,ରାଜକୁମାର ଅୟମ ଏବଂ ସୀତାରାମ ଅୟମ। ଏମାନଙ୍କୁ ପୁଲିସ ପ୍ରଶାସନ ତରଫରୁ ୨୫ ହଜାର ଲେଖାଏଁ ନଗଦ ରାଶି ପ୍ରଦାନ ସହ ଆତ୍ମନିର୍ଭରଶୀଳ ତାଲିମ ପ୍ରଦାନ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର