ଉନ୍ନୟନମୂଳକ କାର୍ଯ୍ୟରେ ସରପଞ୍ଚଙ୍କ ଅସହଯୋଗ

୪ ଜଣ ସରପଞ୍ଚକୁ କାରଣ ଦର୍ଶାଅ ନୋଟିସ୍ ଦେଲେ ବିଡିଓ

ମାଲକାନଗିରି: ସରକାରଙ୍କ ଠାରୁ ବିଭିନ୍ନ ଯୋଜନାରେ କାମ ଆସୁଥିବା ବେଳେ ତାହା ବ୍ଲକରେ କାର୍ଯ୍ୟକାରୀ ହୋଇପାରୁନାହିଁ। ଯାହା ଫଳରେ କାମରେ ଅଗ୍ରଗତି‌ ହେବାରେ ବାଧା ଉପୁଜୁଛି। ସରକାରୀ ସ୍ତରରେ କର୍ମଚାରୀମାନ‌େ କାମ କରୁଥିବା ବେଳେ ଜନପ୍ରତିନିଧିଙ୍କ ସହଯୋଗ ମିଳିପାରୁ ନାହିଁ। ମାଲକାନଗିରି ବ୍ଲକରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଉନ୍ନୟନ ମୂଳକ କାର୍ଯ୍ୟ ବେଳେ ସରପଞ୍ଚମାନେ ଅସହଯୋଗ କରିବାରୁ ମାଲାକନଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ୪ ଜଣ ସରପଞ୍ଚଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଏହି ନୋଟିସ୍ ପାଇବାର ୩ ଦିନ ମଧ୍ୟରେ ଉତ୍ତର ରଖିବା ପାଇଁ ଚିଠି କରିଛନ୍ତି।

ମାଲକାନଗିରି ବିଡିଓ ଅଜୟ କୁମାର ପ୍ରଧାନ ଆଜି ବ୍ଲକର ୪ଟି ପଞ୍ଚାୟତ ବୀରଲକ୍ଷ୍ମଣପୁର ପଞ୍ଚାୟତର ସରପଞ୍ଚ ନୀଳକଣ୍ଠ ଝୋଲା, ଗଙ୍ଗଲା ପଞ୍ଚାୟତର ସରପଞ୍ଚ ସୁଦର୍ଶନ କୋପେ, ମାର୍କାପାଲୀ ପଞ୍ଚାୟତର ସରପଞ୍ଚ ସୁନନ୍ଦ ଗାଡେଲି, ସିନ୍ଧ୍ରିମାଳ ପଞ୍ଚାୟତର ସରପଞ୍ଚ ଘାସି ନାୟକକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ସେଥିରେ ଉଲ୍ଲେଖ କରିଛନ୍ତି ଯେ, ୨୦୨୨-୨୩ ଆର୍ଥିକ ବର୍ଷରେ ମହାତ୍ମାଗାନ୍ଧୀ ଗ୍ରାମୀ ଯୋଜନାରେ ଦିଆଯାଇଥିବା ଧାର୍ଯ୍ୟ ଶ୍ରମ ଦିବସରେ ଆଖିଦୃଶିଆ ସଫଳତା ପରିଲିଖିତ ହୋଇପାରି ନାହିଁ, ୨୦୨୩-୨୪ ଆର୍ଥିକ ବର୍ଷର ଚଳିତ ମାସ ସୁଦ୍ଧା ହେବାକୁ ଥିବା ଧାର୍ଯ୍ୟ ଶ୍ରମ ଦିବସ ମଧ୍ୟ ପୂରଣ ଠାରୁ ବହୁ ଦୂରରେ ରହିଛି, ପଞ୍ଚଦଶ ସିଏଫ୍‌ସି ଓ ପଞ୍ଚମ ଏସଏଫସି ଅନୁଦାନ ସମ୍ପାଦନ ହେବାକୁ ଥିବା କାର୍ଯ୍ୟ ସମ୍ପାଦନାରେ ଟାଳଟୁଳ ନିତୀ ଯୋଗୁଁ ପ୍ରକଳ୍ପଗୁଡିର କାର୍ଯ୍ୟ ଶେଷ ନହୋଇ ପଞ୍ଚାୟତ ଖାତାରେ ବହୁ ଟଙ୍କା ଜମା ହୋଇ ରହିଛି।

କନିଷ୍ଠ ଯନ୍ତ୍ରୀ କରୁଥିବା କାର୍ଯ୍ୟ ସମ୍ପାଦନ ବିଲରେ ଅସନ୍ତୋଷ ବ୍ୟକ୍ତ କରିବା ସହ କନିଷ୍ଠ ଯନ୍ତ୍ରୀକୁ ଅପମାନିତ କରିବା ସହ ମିଥ୍ୟା ବିଲ୍ କରିବା ପାଇଁ ତାଗିତ କରୁଛନ୍ତି, ଅମୃତ ସରୋବର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ଧାର୍ଯ୍ୟ ସମୟ ଅତିବାହିତ ହୋଇଗଲାଣି ସେଥିରେ ସହଯୋଗ ଅଭାବରୁ କାର୍ଯ୍ୟ ଶେଷ ହୋଇପାରୁନାହିଁ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କୌଣସି କାର୍ଯ୍ୟ କରିଲେ ତାହାକୁ ପ୍ରତିବାଦ କରୁଛନ୍ତି ଓ ଜନପ୍ରତିନିଧି ହିସାବରେ ଲୋକଙ୍କ ପାଇଁ ହେଉଥିବା ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରାଇପାରୁନାହାନ୍ତି, ନିଜର କର୍ତ୍ତବ୍ୟ ସଠିକ ଭାବ‌େ ସମ୍ପାଦନ କରୁଥିବା ପରିଲିଖିତ ହେଉଛି ବୋଲି ଦର୍ଶାଇଛନ୍ତି। ଏନେଇ ମାଲକନଗିରି ବ୍ଲକ ସରପଞ୍ଚ ସଂଘର ସଭାପତି ତଥା ସିନ୍ଧ୍ରିମାଳ ପଞ୍ଚାୟତ ସରପଞ୍ଚଚ ଘାସି ନାୟକ ଓ ଅନ୍ୟ ସରପଞ୍ଚମାନେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବିଡିଓ ଆକ୍ରୋଶମୂଳକ ଭାବେ ଏଭଳି ନୋଟିସ ଜାରି କରିଥିବା ସେମାନ‌େ ପ୍ରକାଶ କରିଛନ୍ତି। ସରକାରୀ ଯୋଜନା କାର୍ଯ୍ୟକ୍ଷମ ହେବାରେ ଜନପ୍ରତିନିଧି ଭାବେ ସର୍ବଦା ସହଯୋଗ କରୁଥିବା ସରପଞ୍ଚମାନ‌େ କହିଛନ୍ତି।

ସମ୍ବନ୍ଧିତ ଖବର