ରାଇରଙ୍ଗପୁର ସହରର ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟୟ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରପରିଷଦ ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟୀ କେନ୍ଦ୍ର । ବାମନଘାଟୀ ଉପଖଣ୍ଡର ମୁଖ୍ୟାଳୟ ରାଇରଙ୍ଗପୁର ସହର ଚାରିପାଖରେ ୩ଟି ବଡ ଓ ଆଉ କିଛି ଛୋଟ ଲୁହାଖଣି ରହିଛି । ସକାଳୁ ରାତି ପର୍ଯ୍ୟନ୍ତ ସହରଟି ଯାନବାହନ ଚଳାଚଳରେ ଚଳଚଂଚଳ ହୋଇ ଉଠିଥାଏ । ବିଶେଷ କରି ସକାଳ ୯ଟାରୁ ୧୧ଟା ଯାଏଁ ଏବଂ ଅପରାହ୍ନ ୩ଟାରୁ ୬ ଟା ଯାଏଁ ସହରର ରାସ୍ତାଘାଟ ଜାମ୍ ହୋଇଯାଇଥାଏ । ପୁଣି ରାତି ୯ଟା ପରେ କେନ୍ଦୁଝର ଜିଲ୍ଲାରୁ ପଡୋଶୀ ଝାଡଖଣ୍ଡ ରାଜ୍ୟକୁ ହଜାର ହଜାର ଆଇରନ୍ ବୋଝେଇ ଟ୍ରକ୍ ଲୁହା ପଥର ନେଇ ଯିବା ଆସିବା କରିଥାନ୍ତି । ଯାହାଫଳରେ ପଥଚାରୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି । ହଜାର ହଜାର ଯାନବାହନ ସହର ମଧ୍ୟଦେଇ ଯାତାୟତ କରିବାରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରିଥାଏ । ବିଶେଷ କରି ବସ୍ ଓ ଭାରିଯାନ ପାଇଁ ସମସ୍ୟା ବଢିଥାଏ । ସହରରେ ପାର୍କିଂ ସମସ୍ୟା ବି ଅସମ୍ଭାଳ । ଫଳରେ ବିଭିନ୍ନ ସମସୟରେ ଦୁର୍ଘଟଣା ଘଟିଥାଏ । ଲୁହାପଥର ବୋଝେଇ ଟ୍ରକ୍ ଦୂର୍ଘଟଣାରେ ବହୁ ଜୀବନ ଗଲାଣି । ତେଣୁ ରାଇରଙ୍ଗପୁର ସହର ପାଇଁ ବାଇପାସ୍ ନିର୍ମାଣ କରିବାକୁ ବିଭିନ୍ନ ମହଲରେ ଦାବି ହେଉଥିଲା । ପରବର୍ତ୍ତୀ ସମୟରେ ବାଇପାସ୍ ନିର୍ମାଣ ପାଇଁ ବାଟ ମଧ୍ୟ ଫିଟିଲା । ଉକ୍ତ ବାଇପାସ୍ ରାଂଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ପୁରୁଣାପାଣିଠାରୁ ଆରମ୍ଭ ହୋଇ ଭାଲୁବସାରେ ଶେଷ ହେବ ।

ତେବେ ଘୋଷଣା ହେବାର ବର୍ଷେ ହେବାକୁ ବସିଲାଣି ଇଂଚେ ବି କାର୍ଯ୍ୟ ଆରମ୍ଭ ହୋଇନାହିଁ । ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବାରୁ ବାଇପାସ୍ ନିର୍ମାଣ କାର୍ଯ୍ୟ ଅଟକି ରହିଥିବା ସୂଚନା ମିଳିଛି । ତେବେ ରାଇରଙ୍ଗପୁର ସହରର ମୂଖ୍ୟ ଛକ ହେଉଛି ସହରର ୨୨୦ ନଂ ଜାତୀୟ ରାଜପଥର ଗଲେଇ ଛକ ଓ ଦୁର୍ଗା ମଣ୍ଡପ ଛକ (ବିଜୁ ପଟ୍ଟନାୟକ ଛକ) । ଉକ୍ତ ଦୁଇ ଛକରେ ସବୁ ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ୩୦/୪୦ ଟି ଚାରିଚକିଆ ଯାନ ବେଆଇନ୍ ଭାବରେ ପାର୍କିଂ କରାଯାଇଥାଏ । ଯାହା ଫଳରେ ରାସ୍ତା ଅଣଓସାରିଆ ହୋଇ ଯାଇଥାଏ । ଉକ୍ତ ଅଣଓସାରିଆ ରାସ୍ତାରେ ପୂର୍ବ ଦିଗରୁ ବାରିପଦା ପଟୁ,ଉତ୍ତର ଦିଗରେ ଝାଡଖଣ୍ଡ ଟାଟା ନଗର ଓ ଦକ୍ଷିଣ ଦିଗରୁ କେନ୍ଦୁଝର ପଟୁ ହଜାର ହଜାର ଦୁଇଚକିଆ, ଚାରିଚକିଆ ସମେତ ବହୁ ଭାରିଯାନ ଯିବା ଆସିବା କରିବା ସମୟରେ ରାସ୍ତା ଜାମ୍ ରହୁଛି । ଉଭୟ ଛକରେ ଟାଉନ ଥାନା ପକ୍ଷରୁ ଦୁଇ ଦୁଇ ଜଣ ଲେଖାଁଏ ହୋମଗାର୍ଡ ନିୟୋଜିତ କରାଯାଇଥିଲେ ମଧ୍ୟ ହୋମଗାର୍ଡ ମାନଙ୍କୁ କୌଣସି ଚାଳକ କିମ୍ବା ବେଆଇନ୍ ଭାବେ ପାର୍କିଂ କରୁଥିବା ଚାଳକ କିମ୍ବା ଗାଡି ମାଲିକମାନେ ଖାତିର କରୁନଥିବା ଦେଖିବାକୁ ମିଳୁଛି । ଯାହାଫଳରେ ଉକ୍ତ ସ୍ଥାନରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟିଥାଏ ।

ଦୁର୍ଘଟଣା ଘଟିଲେ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ୍ ହୋଇଥାଏ । ତେବେ ପ୍ରତ୍ୟେକ ଦିନ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିଲେ ମଧ୍ୟ ସ୍ଥାନୀୟ ପୁଲିସ୍ ପ୍ରଶାସନ କିମ୍ବା ପୌର ପ୍ରଶାସନ ପକ୍ଷରୁ କାହିଁକି କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ବୁଦ୍ଧିଜିବୀ ମହଲରେ ପ୍ରଶ୍ନ ଉଠୁଛି । ବେଆଇନ୍ ଭାବେ ଘଣ୍ଟା ଘଣ୍ଟା ଧରି ନୋ ପାର୍କିଂ ଜୋନରେ ପାର୍କିଂ କରାଯାଇଥିଲେ ମଧ୍ୟ ପୁଲିସ୍ କିମ୍ବା ପରିବହନ ବିଭାଗ ପକ୍ଷରୁ ଚାଲାଣ ମଧ୍ୟ କଟାଯାଉନାହିଁ । ଯାହାଫଳରେ ଚାଳକମାନେ କାହାକୁ ଭୟ ନକରି ଯାନ ପାର୍କିଂ କରୁଛନ୍ତି । ସୂଚନାଯୋଗ୍ୟ ଯେ ଆଜି ଏକ ଭାରିଯାନ ଓ କାର୍ ମଧ୍ୟରେ ଦୁର୍ଘଟଣା ଘଟିବା ପରେ ଦୀର୍ଘ ସମୟ ଧରି ରାସ୍ତା ଜାମ୍ ହେବାରୁ ପଥଚାରୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ତେବେ ଯଥାଶୀଘ୍ର ଦୁଇଟି ଛକରେ ପୁଲିସ ପ୍ରଶାସନ ପକ୍ଷରୁ ଅଧିକ କର୍ମଚାରୀ ନିୟୋଜିତ କରି ସମସ୍ୟାର ସମାଧାନ କରାଯାଉ ବୋଲି ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର