୨୦୦ କୋଟିର ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ସମନ କଲେ ଦିଲ୍ଲୀ ଅଦାଲତ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ୨୦୦ କୋଟିର ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଦର୍ଶାଇ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟକୁ ଅନୁଧ୍ୟାନ କଲାପରେ ଏହାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ଅଦାଲତ। ଏଥିସହ ଆସନ୍ତା ସେପ୍ଟେଟର ୨୬ରେ ଏହି ମାମଲାରେ ଅଦାଲତରେ ହାଜର ହେବାକୁ ତାଙ୍କ ଉପରେ ସମନ ଜାରି କରିଛନ୍ତି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ୨୧୫ କୋଟି ଟଙ୍କା ଦାଦାବଟି ଆଦାୟ ମାମଲାରେ ଅଭିଯୁକ୍ତ ଭାବରେ ନାମିତ କରିଛି। ଏବଂ ଚଳିତ ମାସ ପ୍ରାରମ୍ଭରେ ଇଡି ବଲିଉଡ ଅଭିନେତ୍ରୀଙ୍କ ବିରୋଧରେ ଅଦାଲତରେ ଚାର୍ଜସିଟ୍‌ ମଧ୍ୟ ଦାଖଲ କରିଥିଲା।

ସୂତ୍ରରୁ ପ୍ରକାଶ ଯେ ଇଡି ଜ୍ୟାକଲିନଙ୍କୁ ଦାଦାବଟି ଦ୍ୱାରା ଆଦାୟ କରାଯାଇଥିବା ଟଙ୍କାର ହିତାଧିକାରୀ ବୋଲି ଜାଣିବାକୁ ପାଇଥିଲା। ତଦନ୍ତକାଳରେ ଇଡି ଜାଣିବାକୁ ପାଇଥିଲା ଯେ ଠକ ସୁକେଶ ଚନ୍ଦ୍ରଶେଖର ଜଣେ ଦାଦାବଟି ଆଦାୟକାରୀ ଥିଲା। ପ୍ରମୁଖ ସାକ୍ଷୀ ଏବଂ ଅଭିଯୁକ୍ତଙ୍କ ବିବୃତ୍ତିରୁ ଜଣାପଡଥିଲା ଯେ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଭିଡିଓ କଲ୍‌ କରି ସୁକେଶଙ୍କ ସହ କ୍ରମାଗତ ଭାବେ ଯୋଗାଯୋଗରେ ଥିଲେ। ସୁକେଶ ମଧ୍ୟ ଶ୍ରୀଲଙ୍କାରେ ଜନ୍ମିତ ଅଭିନେତ୍ରୀ ଜ୍ୟାକଲିନ୍‌ଙ୍କୁ ଉପହାର ଦେଇଥିବା ସ୍ୱୀକାର କରିଛି।

ଏହା ପୂର୍ବରୁ ଇଡି ଜାଣିବାକୁ ପାଇଥିଲା ଯେ ସୁକେଶ ଚନ୍ଦ୍ରଶେଖର ପଠାଇଥିବା ଉପହାରର ମୂଲ୍ୟ ୧୦ କୋଟି ଟଙ୍କା। ମନି ଲଣ୍ଡରିଂ ନିବାରଣ ଆଇନ ଅନୁଯାୟୀ ଇଡି ଏପର୍ଯ୍ୟନ୍ତ ଜ୍ୟାକଲିନ୍‌ଙ୍କ ୭ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସମ୍ପତ୍ତିକୁ ସଂଲଗ୍ନ କରିଛି। ଅନେକ ରାଜ୍ୟ ପୁଲିସ ଏବଂ ତିନିଟି କେନ୍ଦ୍ରୀୟ ଏଜେନ୍‌ସି- ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ଆୟକର ବିଭାଗ ଦ୍ୱାରା ୩୨ରୁ ଅଧିକ ଅପରାଧିକ ମାମଲାରେ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ସଂପୃକ୍ତ ଥିବା ନେଇ ଅନୁସନ୍ଧାନ କରାଯାଉଛି।

ସମ୍ବନ୍ଧିତ ଖବର