କାନ୍‌ସ‌ରେ ଏଥର ଚମକିବେ ଭାରତୀୟ ନାୟିକା ଓ ନିର୍ଦ୍ଦେଶକ

କାନ୍‌ସ ଚଳଚ୍ଚିତ୍ର ମହୋତ୍ସବ ବିଶ୍ବ ସିନେମାର ସବୁଠାରୁ ସମ୍ମାନଜନକ ଉତ୍ସବ ରୂପେ ପରିଗଣିତ। ପ୍ରତି ବର୍ଷ ଏଥିରେ ଭାରତର ଅନେକ ସେଲିବ୍ରିଟି ଯୋଗ ଦିଅନ୍ତି। ଗତ ବର୍ଷ କାନ୍‌ସ ମହୋତ୍ସବରେ ଭାରତ ‘କଣ୍ଟ୍ରି ଅଫ୍ ଅନର୍’ ହୋଇଥିଲା ଏବଂ ଦୀପିକା ପାଦୁକୋନ ସେଥିରେ ଜୁରି ସଦସ୍ୟା ଭାବେ ଯୋଗ ଦେଇଥିଲେ। ଏ ବର୍ଷ ମଧ୍ୟ କେତେ ଜଣ ବଲିଉଡ୍‌ ସେଲିବ୍ରିଟି କାନ୍‌ସ‌ ଚଳଚ୍ଚିତ୍ର ମହୋତ୍ସବର ରେଡ୍‌ କାର୍ପେଟ୍‌ରେ ସଭିଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ସେ ମଧ୍ୟରୁ ଦୁଇ ଜଣ ଅଭିନେତ୍ରୀ ପ୍ରଥମ ଥର ପାଇଁ ଉକ୍ତ ଉତ୍ସବରେ ପଦାର୍ପଣ କରିବେ। ସେମାନେ ହେଉଛନ୍ତି ଅନୁଷ୍କା ଶର୍ମା ଓ ମାନୁଷୀ ଛିଲ୍ଲର। ଅନୁଷ୍କା କାନ୍‌ସ ଚଳଚ୍ଚିତ୍ର ମହୋତ୍ସବର ଏକ ବିଶେଷ କାର୍ଯ୍ୟକ୍ରମରେ ସାମିଲ ହେବେ ଯେଉଁଥିରେ ଅଭିନେତ୍ରୀମାନଙ୍କୁ ସମ୍ମାନିତ କରାଯିବ। ସେହିପରି ପୂର୍ବତନ ମିସ୍‌  ୱାର୍ଲଡ୍‌ ମାନୁଷୀ କାନ୍‌ସ‌ରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି, ଯଦିଓ ସେ ନିଜେ ଏ ଖବରକୁ ସୁନିଶ୍ଚିତ କରିନାହାନ୍ତି। ସେହିପରି ସାମାଜିକ ଗଣମାଧ୍ୟମରେ ବେଶ୍‌ ଲୋକପ୍ରିୟ ଇନ୍‌ଫ୍ଲୁଏନ୍‌ସର୍ ଡଲି ସିଂହ ମଧ୍ୟ କାନ୍‌ସ‌ରେ ପ୍ରଥମ ଥର ଯୋଗ ଦେବେ।

ଅଭିନେତ୍ରୀ ଅଦିତି ରାଓ ହୈଦରୀ ପୂର୍ବ ବର୍ଷ ପରି ଏ ବର୍ଷ ମଧ୍ୟ କାନ୍‌ସ‌ରେ ଦେଖାଦେବେ। ନିର୍ଦେଶକ ଅନୁରାଗ କଶ୍ୟପଙ୍କ ‘କେନେଡି’ ଚଳଚ୍ଚିତ୍ର କାନ୍‌ସ‌ରେ ପ୍ରଦର୍ଶିତ ହେବା ଲାଗି ମନୋନୀତ ହୋଇଛି; ତେଣୁ ସେ ଏଥିରେ ଯୋଗ ଦେବାର ଯୋଜନା ରହିଛି। କାନ୍‌ସ‌ ଚଳଚ୍ଚିତ୍ର ଉତ୍ସବର ନିୟମିତ ଅତିଥି ହୋଇଆସିଥିବା ଐଶ୍ବର୍ଯ୍ୟା ରାୟ ବଚ୍ଚନ ଏ ବର୍ଷ ମଧ୍ୟ କାନ୍‌ସ‌ର ରେଡ୍‌ କାର୍ପେଟ୍‌ରେ ଚାଲିବେ ବୋଲି ଜଣାପଡ଼ିଛି। ଐଶ୍ବର୍ଯ୍ୟା ପ୍ରଥମ ଭାରତୀୟ ଭାବେ କାନ୍‌ସ‌ ମହୋତ୍ସବର ଜୁରି ସଦସ୍ୟ ହୋଇଥିଲେ। ୭୬ତମ କାନ୍‌ସ‌ ଚଳଚ୍ଚିତ୍ର ମହୋତ୍ସବ ୧୬ ତାରିଖରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର