ମାଆ ବନିଲେ ଗୌହର୍‌ ଖାନ୍‌; କରୋନା ସମୟରେ କରିଥିଲେ ବିବାହ

ମୁମ୍ବାଇ: ‘ବିଗ୍‌ବସ୍‌’ର ବିଜେତା ବନି ସାରିଥିବା ଗୌହର୍‌ ଖାନ୍‌ ଓ ସ୍ବାମୀ ଜୈଦ୍‌ ବାପାମାଆ ବନି ସାରିଛନ୍ତି। ଅଭିନେତ୍ରୀ ୩୯ ବର୍ଷ ବୟସରେ ଗତ ୧୦ ତାରିଖରେ ତାଙ୍କର ପ୍ରଥମ ପିଲାକୁ ଜନ୍ମ ଦେଇଛନ୍ତି। ଗୌହର୍‌ ତାଙ୍କ ପ୍ରଶଂସକଙ୍କ ସହ ଏକ ଇନ୍‌ଷ୍ଟାଗ୍ରାମ୍‌‌ ପୋଷ୍ଟ୍‌ ଜରିଆରେ ଏହି ଖବର ସେୟାର୍‌ କରିଛନ୍ତି। ଏହି ପୋଷ୍ଟ୍‌କୁ ଦେଖିବା ପରେ ପ୍ରଶଂସକମାନେ ସେଲିବ୍ରିଟି ଦମ୍ପତିଙ୍କୁ ଶୁଭେଚ୍ଛା ଦେଇ ଚାଲିଛନ୍ତି।

ଅଭିନେତ୍ରୀ ଗତକାଲି ରାତିରେ ହିଁ ପ୍ରଶଂସକମାନଙ୍କ ସହ ନିଜର ଏହି ଖୁସିକୁ ବାଣ୍ଟିଛନ୍ତି। ପୋଷ୍ଟ୍‌ରେ ‘ଆମ ପୁଅ ତରଫରୁ ଏହି ସୁନ୍ଦର ପୃଥିବୀକୁ ସଲାମ୍‌ୱାଲିକୁମ୍‌’ ବୋଲି ସେ ଲେଖିଛନ୍ତି। ତାଙ୍କର ଏହି ପୋଷ୍ଟ୍‌ରେ ସବୁଠାରୁ ପ୍ରଥମେ କିଏ କମେଣ୍ଟ୍‌ କରିଛନ୍ତି ଜାଣନ୍ତି। ଗୌହରଙ୍କ ପୋଷ୍ଟ୍‌ରେ ସବୁଠାରୁ ଆମେ ଶୁଭେଚ୍ଛା ବାର୍ତ୍ତା ଲେଖିଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା।

ଗୌହର୍‌ ଖାନ୍‌ ୨୦୨୦ ମସିହା ଡିସେମ୍ବର ୨୫ ତାରିଖରେ ବିବାହ କରିଥିଲେ। ଗୌହର ଓ ତାଙ୍କ ସ୍ବାମୀ କରୋନା ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ସମୟରେ ହିଁ ପରସ୍ପରଙ୍କୁ ଭେଟିଥିଲେ। କରୋନା ପାଇଁ ସାମଗ୍ରୀ କିଣୁଥିବା ବେଳେ ଗୌହର ଓ ଜୈଦ୍‌ ପରସ୍ପରଙ୍କୁ ଭେଟିଥିଲେ। ସେଇଠୁ ସାକ୍ଷାତ୍‌ ହୋଇ ପରେ ତାହା ପ୍ରେମରେ ପରିଣତ ହୋଇଥିଲା। ଶେଷରେ ଏହି ପ୍ରେମପକ୍ଷୀ ବିବାହ କରିବା ନିଷ୍ପତ୍ତି ନେଇଥିଲେ।

ଅବଶ୍ୟ କରୋନା କାରଣରୁ ନିରାଡ଼ମ୍ବର ବିବାହ କରିଥିବା ହେତୁ ସେମାନଙ୍କ ବିବାହ ଏତେଟା ଚର୍ଚ୍ଚାରେ ରହିନଥିଲା। ତେବେ ଗତ କିଛି ମାସ ତଳେ ସେମାନେ ବାପାମାଆ ବନିବା କଥା ଏକ ଆନିମେଟେଡ୍‌ ଭିଡିଓ ଜରିଆରେ ଜଣାଇଥିଲେ।

 

ସମ୍ବନ୍ଧିତ ଖବର