କଶ୍ମୀର ପ୍ରସଙ୍ଗରେ ପଛକୁ ହଟିଲା ଆମେରିକା: ଭାରତ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥି ହେବାକୁ ମନାକଲା

ୱାଶିଂଟନ: ଆମେରିକା କଶ୍ମୀର ପ୍ରସଙ୍ଗରେ ପଛକୁ ହଟିଛି। ଏହା ଦ୍ବାରା ପାକିସ୍ତାନକୁ ବଡ଼ ଝଟକା ମିଳିଛି। ଆମେରିକା କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥି ହେବାକୁ ମନା କରିଛି। ଆମେରିକା ବିଦେଶ ବିଭାଗ ପ୍ରବକ୍ତା ମ୍ୟାଥ୍ୟୁ ମିଲର କହିଛନ୍ତି ଭାରତ ପାକିସ୍ତାନ ମଧ୍ୟରେ ଏହି ପ୍ରସଙ୍ଗରେ ଆଲୋଚନାକୁ ଆମେରିକା ସ୍ବାଗତ କରୁଛି।
ଏହି ପ୍ରସଙ୍ଗରେ ଆଲୋଚନାର ଗତି କ’ଣ ହେବ ତଥା ଏହାର ଅଧାର କିଭଳି ହେବ ତାହା ଉଭୟ ଦେଶ ନିଶ୍ଚିତ କରିବେ। ଏଥିରେ ଆମେରିକା ହସ୍ତକ୍ଷେପ କରିବ ନାହିଁ।

ଏହି ପ୍ରସଙ୍ଗ ଭାରତ ଏବଂ ପାକିସ୍ତାନର ବୋଲି ମିଲର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନର ନବନିର୍ବାଚିତ ପ୍ରତିପକ୍ଷ ଶାହବାଜ ସରିଫ ଦ୍ବିତୀୟ କାର୍ଯ୍ୟକାଳ ପାଇଁ ଶପଥ ଗ୍ରହଣ ଅବସରରେ ତାଙ୍କୁ ଅଭନନ୍ଦନ ଜଣାଇଥିବା ନେଇ ସାମ୍ବାଦିକଙ୍କ ପକ୍ଷରୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ସେ ଏଭଳି କହିଛନ୍ତି।

ମିଲରଙ୍କ ଏଭଳି ମନ୍ତବ୍ୟ ପାକିସ୍ତାନର ଉଦ୍ୟମକୁ ଭଣ୍ଡୁର କରିଥିବା କୁହାଯାଉଛି। ପାକିସ୍ତାନ ଲଗାତାର କଶ୍ମୀର ପ୍ରସଙ୍ଗ ନେଇ ବିଭିନ୍ନ ବୈଠକରେ ସ୍ବର ଉତ୍ତୋଳନ କରୁଥିଲା। ଏପରିକି ଜାତିସଂଘର ସୁରକ୍ଷା ପରିଷଦ ବୈଠକରେ ମଧ୍ୟ ପାକିସ୍ତାନ ବାରମ୍ବାର କଶ୍ମୀର ପ୍ରସଙ୍ଗ ଉଠାଇଥିଲା। ଆମେରିକା ଏହି ପ୍ରସଙ୍ଗରେ ମଧ୍ୟସ୍ଥି ଭୂମିକା ଗ୍ରହଣ କରୁ ବୋଲି ପାକିସ୍ତାନ ଚାହୁଁଥିଲା। ମାତ୍ର ମିଲର ମନ୍ତବ୍ୟ ଦ୍ବାରା ପାକିସ୍ତାନର ଆଶାରେ ବାଧା ସୃଷ୍ଟି ହୋଇଛି। ଭାରତ କଶ୍ମୀର ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥି ତଥା ଅନ୍ୟ କାହାର ହସ୍ତକ୍ଷେପକୁ ସ୍ବୀକାର ନ କରିବାକୁ କହି ଆସୁଥିଲା।

ସମ୍ବନ୍ଧିତ ଖବର