‘ୟୁଏନ୍‌ଏସ୍‌ସି’ ବୈଠକରେ ୟୁକ୍ରେନ୍‌ ସଙ୍କଟ: ଜୈବାସ୍ତ୍ର ନିଷିଦ୍ଧ ଚୁକ୍ତି ମାନିବା ପାଇଁ ସଦସ୍ୟ ରାଷ୍ଟ୍ରସମୂହଙ୍କୁ ଭାରତର ଆହ୍ବାନ

ନ୍ୟୁୟର୍କ: ୟୁକ୍ରେନ୍‌ରେ ‘ବାୟୋଲୋଜିକାଲ୍‌ ଲାବ୍ରଟରିଜ୍‌’ ଅଛି ବୋଲି ଯାହା କୁହାଯାଉଛି ସେ ସଂକ୍ରାନ୍ତରେ ଆଲୋଚନା କରିବା ଲାଗି ରୁଷ୍‌ ଡାକିଥିବା ‘ଜାତିସଂଘ ନିରାପତ୍ତା ପରିଷଦ୍‌’ ବୈଠକରେ ଜାତିସଂଘ ପାଇଁ ଭାରତର ସ୍ଥାୟୀ ପ୍ରତିନିଧି ଥିବା ରାଷ୍ଟ୍ରଦୂତ ଟି. ଏସ୍‌. ତିରୁମୂର୍ତ୍ତି ‘ଜୈବିକ ଓ ବିଷାକ୍ତ ଅସ୍ତ୍ରଶସ୍ତ୍ର ଚୁକ୍ତି’ ଉପରେ ଗୁରୁତ୍ବାରୋପ କରିଛନ୍ତି।

ଶୁକ୍ରବାର ଦିନ ଅନୁଷ୍ଠିତ ଉକ୍ତ ବୈଠକରେ ଟି. ଏସ୍‌. ତିରୁମୂର୍ତ୍ତି କହିଲେ, ଗଣ ସଂହାରକାରୀ ସବୁ ବର୍ଗର ଅସ୍ତ୍ରଶସ୍ତ୍ରକୁ ନିଷିଦ୍ଧ କରୁଥିବା ପ୍ରମୁଖ ବୈଶ୍ବିକ ତଥା ନିର‌ପେକ୍ଷ ନିରସ୍ତ୍ରୀକରଣ ରାଜିନାମା ‘ଜୈବିକ ଓ ବିଷାକ୍ତ ଅସ୍ତ୍ରଶସ୍ତ୍ର ଚୁକ୍ତି’ରେ ଭାରତ ଗୁରୁତ୍ବ ଦିଏ। ‘ଜୈବିକ ଓ ବିଷାକ୍ତ ଅସ୍ତ୍ରଶସ୍ତ୍ର ଚୁକ୍ତି’ ସମ୍ପୂର୍ଣ୍ଣ ଏବଂ ଫଳପ୍ରଦଭାବେ ଲାଗୁ ହେଉଛି ବୋଲି ସଦସ୍ୟ ରାଷ୍ଟ୍ରସମୂହ ସୁନିଶ୍ଚିତ ହେବା ଉଚିତ।

ସେ ଆହୁରି ମଧ୍ୟ କହିଛନ୍ତି, ଆମର ବିଶ୍ବାସ, ଆଲୋଚନା ଏବଂ ସହଯୋଗଦ୍ବାରା ସମ୍ପୃକ୍ତ ଦେଶମାନେ ‘ଜୈବିକ ଓ ବିଷାକ୍ତ ଅସ୍ତ୍ରଶସ୍ତ୍ର ଚୁକ୍ତି’ ବ୍ୟବସ୍ଥା ଅନୁସାରେ ସବୁ କିଛି ପାଳନ କରିବା ଉଚିତ।

Image Courtesy of The Economic Times

ସୂଚନାଯୋଗ୍ୟ, ୟୁକ୍ରେନ୍‌ରେ ‘ସାମରିକ ଜୈବିକ କାର୍ଯ୍ୟକଳାପ’ ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ପାଣ୍ଠି ଯୋଗାଉଛି ବୋଲି ରୁଷ୍‌ ଅଭିଯୋଗ କରିବା ପରେ ଜାତିସଂଘ ନିରାପତ୍ତା ପରିଷଦ୍‌ ବୈଠକ ଡକାଯାଇଥିଲା।

ଏହା ବ୍ୟତିରେକେ, ଉକ୍ତ ବୈଠକରେ ଭାରତ ୟୁକ୍ରେନ୍‌ରେ ମାନବୀୟ ପରିସ୍ଥିତି ସଂକ୍ରାନ୍ତରେ ଉଦ୍‌ବେଗ ପ୍ରକାଶ କରିଥିଲା। ରାଷ୍ଟ୍ରଦୂତ ଟି. ଏସ୍‌. ତିରୁମୂର୍ତ୍ତି କହିଲେ, ଆମର ଏକାନ୍ତ ବିଶ୍ବାସ ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ପ୍ରତ୍ୟକ୍ଷ ଆଲୋଚନା ଶତ୍ରୁତାର ଅନ୍ତ ଘଟାଇବ। କୂଟନୀତ ଓ ଆଲୋଚନା ଛଡ଼ା ବିକଳ୍ପ ଉପାୟ ନାହିଁ।

ଶେଷରେ, ଜାତିସଂଘ ଚାର୍ଟର୍‌ ଓ ଆନ୍ତର୍ଜାତିକ ଆଇନର ନୀତିନିୟମ ପାଳନ କରିବା ସହ ରାଷ୍ଟ୍ରମାନଙ୍କର ସାର୍ବଭୌମତ୍ବ ଓ ଅଖଣ୍ଡତା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ପାଇଁ ଭାରତ ସଦସ୍ୟ ରାଷ୍ଟ୍ରସମୂହଙ୍କୁ ଆହ୍ବାନ ଦେଇଥିଲା।

ସମ୍ବନ୍ଧିତ ଖବର