ମିରଟ ଲୋକସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଲା ସପା, ଏବେ ଅରୁଣ ଗୋବିଲଙ୍କ ବିପକ୍ଷରେ ଲଢ଼ିବେ ଅତୁଲ ପ୍ରଧାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ବିଭିନ୍ନ ଦଳ ଏବେ ପ୍ରାର୍ଥୀ ଘୋଷଣା କାମ ଆରମ୍ଭ କରିଥିବା ବେ‌ଳେ ସମସ୍ତଙ୍କ ନଜର ଏବେ ୟୁପିର ମିରଟ ସିଟ୍ ଉପରେ ରହିଛି। ଏଠାରୁ ବିଜେପିର ପ୍ରାର୍ଥୀ ଅରୁଣ ଗୋବିଲଙ୍କୁ କଡ୍ଡା ଟକ୍କର  ଦେବା ପାଇଁ ସମାଜବାଦୀ ପାର୍ଟି ନିଜର ପ୍ରାର୍ଥୀ ବଦଳାଇଛି। ସମାଜବାଦୀ ପାର୍ଟି ଏବେ ସରଧନାରୁ ବିଧାୟକ ଥିବା ଅତୁଲ ପ୍ରଧାନ (୪୧ବର୍ଷ)ଙ୍କୁ ମିରଟ ଆସନ ପାଇଁ ପ୍ରାର୍ଥୀ କରିଛି।

ପୂର୍ବରୁ ଭାନୁ ପ୍ରତାପଙ୍କୁ ସମାଜବାଦୀ ପାର୍ଟି ମିରଟ ଆସନ ପାଇଁ ପ୍ରାର୍ଥୀ କରିଥିଲା। ବର୍ତ୍ତମାନ ପ୍ରାର୍ଥୀ ବଦଳାଇ ଅତୁଲ ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଛି। ସେ ବିରୋଧୀ ଦଳର ମହାଗଠବନ୍ଧନ ଇଣ୍ଡିଆ ବ୍ଲକର ବ୍ୟାନରରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହା ସହ ମିରଟ ଲୋକସଭା ଆସନ ପାଇଁ ବିଜେପିରୁ ଅରୁଣ ଗୋବିଲ ଏବଂ ବିଏସପିରୁ ଦେବବ୍ରତ ତ୍ୟାଗି ପ୍ରାର୍ଥୀ ହୋଇଛନ୍ତି।

ଏଥର ବିଜେପିର ବିଜୟ ରଥକୁ ରୋକିବା ପାଇଁ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମହାଗଠବନ୍ଧନ କରିଛନ୍ତି। ବିଜେପି ଏବଂ ଇଣ୍ଡିଆ ବ୍ଲକର ପ୍ରାର୍ଥୀଙ୍କ ନାମ ସାମ୍ନାକୁ ଆସିବା ପରେ ଆଲୋଚନା ତୀବ୍ର ହୋଇଛି। ସମାଜବାଦୀ ପାର୍ଟି ପ୍ରାର୍ଥୀ ଅତୁଲ ପ୍ରଧାନଙ୍କୁ କଂଗ୍ରେସରୁ ସମର୍ଥନ ମିଳୁଥିବାବେଳେ ବିଜେପି ପ୍ରାର୍ଥୀ ଅରୁଣ ଗୋବିଲଙ୍କୁ ରାଷ୍ଟ୍ରିୟ ଲୋକ ଦଳ, ଅପନା ଦଳ, ସୁହେଲଦେବ ଭାରତୀୟ ସମାଜ ପାର୍ଟି ଏବଂ ନିଶାଦ ପାର୍ଟିରୁ ସମର୍ଥନ ମିଳିବ।

ତେବେ ରାମାୟଣ ଧାବରାହିକରେ ରାମ ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ ଅରୁଣ। ତାଙ୍କର ଏହି ଲୋକପ୍ରିୟତା ତାଙ୍କୁ ନିର୍ବାଚନ ଜିତାଇବ ବୋଲି ବିଜେପି ଆଶା ରଖିଛି।

 

ସମ୍ବନ୍ଧିତ ଖବର