ଖାରଜ ହେଲା ବିଆର୍‌ଏସ୍‌ ନେତ୍ରୀ କେ କବିତାଙ୍କ ଅନ୍ତରୀଣ ଜାମିନ୍ ଆବେଦନ

ନୂଆଦିଲ୍ଲୀ: ଖାରଜ ହେଲା ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ନେତ୍ରୀ କେ କବିତାଙ୍କ ଅନ୍ତରୀଣ ଜାମିନ୍ ଆବେଦନ। ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଆଜି ତାଙ୍କ ଆବେଦନ ଖାରଜ କରିଥିବା ଜଣାପଡ଼ିଛି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ତିହାର ଜେଲରେ ବନ୍ଦୀ ଥିବା କବିତ‌ା ଅନ୍ତରୀଣ ଜାମିନ୍ ପାଇଁ ଆବେଦନ କରିଥିଲେ। ହେଲେ ତାଙ୍କ ଆବେଦନକୁ କୋର୍ଟ ଗ୍ରହଣ କରିନଥିବା ସାମ୍ନାକୁ ଆସିଛି। ଗତ ମାସରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ବିଆରଏସ ନେତ୍ରୀ କବିତାଙ୍କୁ ଗିରଫ କରାଯାଇଥିଲା। ଗତ ଏପ୍ରିଲ ୨ରେ କୋର୍ଟ ତାଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ। ଏବେ ସେ ଏପ୍ରିଲ ୧୫ପର୍ଯ୍ୟନ୍ତ ଜେଲରେ ରହିବେ।

ମିଳିଥିବା ସୂଚନା ମୁତାବକ, ପୁଅର ପରୀକ୍ଷା ଥିବା ଦର୍ଶାଇ କବିତା ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ କୋର୍ଟରେ ଆବେଦନ କରିଥିଲେ।ବିଆରଏସ ନେତ୍ରୀଙ୍କ ଆବେଦନ ଉପରେ ଶୁଣାଣି ବେଳେ ତାଙ୍କ ଓକିଲ କହିଥିଲେ ଯେ, କେ. କବିତାଙ୍କ ପୁଅଙ୍କର ପରୀକ୍ଷା ଏପ୍ରିଲ ମାସରେ ଆରମ୍ଭ ହେବାକୁ ଯାଉଛି। ତାଙ୍କର ୧୬ବର୍ଷର ପୁଅ ପରୀକ୍ଷା ସମୟରେ ମା’ର ସମର୍ଥନ ଆବଶ୍ୟକ କରେ। ଭାଇ କିମ୍ବା ବାପା, ମା’ଙ୍କ ଅନୁପସ୍ଥିତିକୁ ପୂରଣ କରିପାରିବେ ନାହିଁ। ଏପରି ପରିସ୍ଥିତିରେ ତାଙ୍କୁ ଅନ୍ତରୀଣ ଜାମିନ ଦିଆଯାଉ।

ଏହା ଶୁଣି ଶୁଣାଣି ସମୟରେ ଇଡି ପକ୍ଷରୁ ହାଜର ହୋଇଥିବା ଓକିଲ ଜୋହେବ ହୁସେନ୍ କହିଥିଲେ ଯେ, ଏହି ମାମଲାରେ କବିତା ମୁଖ୍ୟ ଅଭିଯୁକ୍ତ। ସେ ତାଙ୍କ ବିରୋଧରେ ମୋବାଇଲ୍ ଫୋନରେ ଥିବା ପ୍ରମାଣକୁ ନଷ୍ଟ କରିଦେଇଛନ୍ତି। ଇଡି ଏବେ ପ୍ରମାଣ ଖୋଜିବାକୁ ଚେଷ୍ଟା କରୁଛି। ଏବେ ଜାମିନ୍ ଦେଲେ ତଦନ୍ତରେ ବାଧା ସୃଷ୍ଟି ହେବ। କବିତାଙ୍କ ପୁଅଙ୍କର ୧୨ଟି ପରୀକ୍ଷା ମଧ୍ୟରୁ ୭ଟି ଶେଷ ହୋଇଛି। ସେ ଏକୁଟିଆ ନାହାନ୍ତି। କାରଣ ତାଙ୍କ ବାପା ଏବଂ ବଡ ଭାଇ ମଧ୍ୟ ତାଙ୍କ ସହିତ ଅଛନ୍ତି।

ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ତାଙ୍କ ଆବେଦନ ଖାରଜ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର