ଜଳମଗ୍ନ ସହରରେ ଫସି ରହିଥିବା ପରିବାରକୁ ଉଦ୍ଧାର କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ୍‌ ମାନ୍‌

ଚଣ୍ଡୀଗଡ଼: ହୋସିଆର୍‌ପୁର ନିକଟରେ ଥିବା ବନ୍ୟାପ୍ଳାବିତ ଆବାସିକ ଅଞ୍ଚଳରେ ଗୋଟାଏ ବାସଭବନର ଛାତ ଉପରେ ଫସି ରହିଥିବା ପରିବାରର ସଦସ୍ୟମାନଙ୍କୁ ଗୁରବାର ଦିନ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ୍‌ ମାନ୍‌ ଉଦ୍ଧାର କରିଥିବା ‘ଏନ୍‌ଡିଟିଭି’ ରିପୋର୍ଟ କରିଛି।

ମୁଖ୍ୟମନ୍ତ୍ରୀ ମାନ ବନ୍ୟା ପରିସ୍ଥିତି ସର୍ବେକ୍ଷଣ କରୁଥିବା ବେଳେ ଗୋଟାଏ ଅଧା-ବୁଡ଼ା ବାସଭବନର ଛାତ ଉପରେ ଉକ୍ତ ପରିବାରର ସଦସ୍ୟମାନେ ବସିଥିବା ଦେଖିଥିଲେ।

ସରକାରୀ ଅଧିକାରୀମାନେ କହିଛନ୍ତି, ରବର ବୋଟ୍‌ରେ ବସି ବନ୍ୟାଞ୍ଚଳ ସର୍ବେକ୍ଷଣ କରୁଥିବା ମୁଖ୍ୟମନ୍ତ୍ରୀ ମାନ୍‌ ସେଆଡ଼କୁ ବୋଟ୍‌ ନେଇଯିବାକୁ ଉଦ୍ଧାରକାରୀମାନ‌ଙ୍କୁ ନିର୍ଦେଶ ଦେଲେ। ତା’ପରେ ଛାତ ଉପରୁ ସେ ପରିବାରର ସଦସ୍ୟମାନଙ୍କୁ ଓହ୍ଲାଇ ଆଣି ନିଜେ ବସିଥିବା ବୋଟ୍‌ରେ ବସାଇଲେ।

Image Courtesy of The Tribune India

ପଞ୍ଜାବର ବନ୍ୟା ପରିସ୍ଥିତି ସଂକ୍ରାନ୍ତରେ ‘ଏକ୍ସ’କରି (ଟୁଇଟ୍‌) ମାନ୍‌ ଲେଖିଛନ୍ତି: ପଞ୍ଜାବକୁ ପୁଣି ବନ୍ୟା ଆସିଛି। ହୋସିଆର୍‌ପୁରର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥାନୀୟ ବାସିନ୍ଦାଙ୍କ ସହିତ କଥାବାର୍ତ୍ତା କଲି। ଅସୁବିଧା ସମୟ ପଡ଼ିଥିଲେ ବି ଆମେ ସମସ୍ତଙ୍କୁ ସାହାଯ୍ୟ କରିବା। ସରକାର ଜନସାଧାରଣଙ୍କ କ୍ଷୟକ୍ଷତି ଭରଣା କରିବେ।

ପଞ୍ଜାବର ହୋସିଆର୍‌ପୁର, ଗୁରୁଦାସପୁର ଓ ରୂପନଗର ଆଦି ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ନିମନ୍ତେ ‘ନ୍ୟାସ୍‌ନାଲ୍‌ ଡିଜାଷ୍ଟର୍‌ ରେସ୍‌ପନ୍‌ସ୍‌ ଫୋର୍ସ’, ସେନା ଓ ସୀମା ସୁରକ୍ଷା ବଳଙ୍କୁ ନିୟୋଜିତ କରାଯାଇଛି। ଭାକ୍ରା ଓ ପୋଙ୍ଗ୍‌ ଜଳଭଣ୍ଡାକୁ ପ୍ରବେଶ କରିଥିବା ମାତ୍ରାଧିକ ଜଳ ନିଷ୍କାସନ କରାଯିବାରୁ ଉପରୋକ୍ତ ୩ ଜିଲ୍ଲାର ବହୁଳାଂଶ ଜଳମଗ୍ନ ହୋଇଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର