ସୀମା ବିବାଦ ନେଇ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଚୀନ୍‌ କହିଲା, ‘ସ୍ଥିର ସମ୍ପର୍କ’ ସାଧାରଣ ସ୍ୱାର୍ଥ ସାଧନ କରୁଛି

ନୂଆଦିଲ୍ଲୀ: ସୀମା ବିବାଦ ଯୋଗୁଁ ଦୁଇ ଦେଶ ମଧ୍ୟରେ ତିକ୍ତତା ଦେଖା ଦେଇଥିବା ବେଳେ ଉଭୟ ଦେଶର ସମ୍ପର୍କକୁ ସ୍ୱାଭାବିକ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ମନ୍ତବ୍ୟ ଉପରେ ଚୀନ୍‌ ଗୁରୁବାର ପ୍ରତିକ୍ରିୟା ପ୍ରକାଶ କରିଛି।

ଚୀନ୍‌ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ମାଓ ନିଙ୍ଗ୍‌ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ଚୀନ୍‌ ଗୁରୁତ୍ୱ ଦେଇଛି। ‘ଆମେ ବିଶ୍ୱାସ କରୁଛୁ ଯେ ସୁଦୃଢ ଏବଂ ସ୍ଥିର ଚୀନ୍‌, ଭାରତ ସମ୍ପର୍କ ଉଭୟ ପକ୍ଷର ମିଳିତ ସ୍ୱାର୍ଥ ପୂରଣ କରେ ଏବଂ ଏହି ଅଞ୍ଚଳ ଏବଂ ଏହା ବାହାରେ ଶାନ୍ତି ଏବଂ ବିକାଶ ପାଇଁ ଅନୁକୂଳ ଅଟେ।

ଉଲ୍ଲେଖଯୋଗ୍ୟ, ନ୍ୟୁଜ୍‌ ୱିକ୍‌ ପତ୍ରିକାକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀ ଚୀନ୍‌ ସହ ଭାରତର ସମ୍ପର୍କର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିବା ସହ ସୀମାରେ ଦୀର୍ଘ ଦିନ ଧରି ଲାଗି ରହିଥିବା ପରିସ୍ଥିତିକୁ ତୁରନ୍ତ ସମାଧାନ କରାଯିବା ଉଚିତ ବୋଲି କହିଥିଲେ।

କୂଟନୈତିକ ଏବଂ ସାମରିକ ସ୍ତରରେ ସକାରାତ୍ମକ ଏବଂ ଗଠନମୂଳକ ଦ୍ୱିପାକ୍ଷିକ ସମ୍ପର୍କ ମାଧ୍ୟମରେ ଭାରତ ଏବଂ ଚୀନ୍‌ ସେମାନଙ୍କ ସୀମାରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବାରେ ସକ୍ଷମ ହେବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଆଶା ବ୍ୟକ୍ତ କରିଛନ୍ତି।

୨୦୨୦ରେ ଗଲୱାନ ସଂଘର୍ଷ ପରଠାରୁ ଭାରତ ଓ ଚୀନ୍‌ ମଧ୍ୟରେ ସୀମା ସମ୍ପର୍କ ତିକ୍ତ ହୋଇଛି। ଉଭୟ ସେନାର ସୈନ୍ୟ ପ୍ରତ୍ୟାହାର ପାଇଁ ଅନେକ ପର୍ଯ୍ୟାୟ କୂଟନୈତିକ ଓ ସାମରିକ ସ୍ତରୀୟ ଆଲୋଚନା ହୋଇଛି।
ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ମାଓ କହିଛନ୍ତି ଯେ ସୀମା ପ୍ରଶ୍ନ ଭାରତ-ଚୀନ ସମ୍ପର୍କର ସମ୍ପୂର୍ଣ୍ଣ ପ୍ରତିନିଧିତ୍ୱ କରେ ନାହିଁ। ଏହାକୁ ଦ୍ୱିପାକ୍ଷିକ ସମ୍ପର୍କରେ ଉପଯୁକ୍ତ ଭାବରେ ରଖାଯିବା ଉଚିତ ଏବଂ ସଠିକ୍‌ ଭାବରେ ପରିଚାଳନା କରାଯିବା ଉଚିତ। ମାଓ ଆହୁରି ମଧ୍ୟ କହିଛନ୍ତି ଯେ ନୂଆଦିଲ୍ଲୀ ଏବଂ ବେଜିଂ କୂଟନୈତିକ ଏବଂ ସାମରିକ ଚ୍ୟାନେଲ ମାଧ୍ୟମରେ ଘନିଷ୍ଠ ଯୋଗାଯୋଗରେ ଅଛନ୍ତି।

ଆମେ ଆଶା କରୁଛୁ ଯେ ଭାରତ ଚୀନ୍‌ ସହ ସମାନ ଦିଗରେ କାର୍ଯ୍ୟ କରିବ, ରଣନୈତିକ ଏବଂ ଦୀର୍ଘମିଆଦୀ ଦୃଷ୍ଟିକୋଣରୁ ଦ୍ୱିପାକ୍ଷିକ ସମ୍ପର୍କକୁ ପରିଚାଳନା କରିବ, ପାରସ୍ପରିକ ବିଶ୍ୱାସ ବୃଦ୍ଧି କରିବ, ଆଲୋଚନା ଏବଂ ସହଯୋଗରେ ରହିବ, ମତଭେଦକୁ ଠିକ୍‌ ଭାବରେ ପରିଚାଳନା କରିବ ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ ଏବଂ ସ୍ଥିର ମାର୍ଗରେ ଆଗେଇ ନେବ।

ସମ୍ବନ୍ଧିତ ଖବର