ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ଏବଂ ହାଇକୋର୍ଟମାନଙ୍କରେ ବିଚାରପତିମାନଙ୍କୁ କାର୍ଯ୍ୟ ଆବଣ୍ଟନ କରିବା ସହ  ଖଣ୍ଡପୀଠ ଗଠନ ନିମନ୍ତେ ମାର୍ଗଦର୍ଶିକା ନିର୍ଦ୍ଧାରଣ କରିବା ପାଇଁ ବୁଧବାର ଦିନ ସର୍ବୋଚ୍ଚ ନ୍ୟାୟାଳୟ ମନା କରି ଦେଇଛନ୍ତି।

Advertisment

ଭାରତର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ତିନି ବିଚାରପତିବିଶିଷ୍ଟ ଖଣ୍ଡପୀଠ ଏ ସଂପର୍କିତ ଏକ ପିଟିସନ୍‌ଟିକୁ ଖାରଜ କରି ଦେଇ କହିଛନ୍ତି ଯେ ଖଣ୍ଡପୀଠ ଗଠନ କରିବା ସହ  କାର୍ଯ୍ୟ ଆବଣ୍ଟନ କରିବା କ୍ଷମତା ସମ୍ବିଧାନ ଭାରତର ପ୍ରଧାନ ବିଚାରପତିଙ୍କ ଉପରେ ନ୍ୟସ୍ତ କରିଛି। ତେଣୁ ଏ ନେଇ କୌଣସି ମାର୍ଗଦର୍ଶିକା ନିର୍ଦ୍ଧାରଣ କରିବା ଅନାବଶ୍ୟକ।

ଶୀର୍ଷ କୋର୍ଟର ବ୍ୟାପାରରେ ସମ୍ବିଧାନ ଭାରତର ପ୍ରଧାନ ବିଚାରପତିଙ୍କୁ ଜଣେ କର୍ଣ୍ଣଧାରର ଭୂମିକା ଦେଇଛି। ଭାରତର ପ୍ରଧାନ ବିଚାରପତି ଅନୁଷ୍ଠାନର ମୁଖ୍ୟ ଅଟନ୍ତି।  ସର୍ବୋଚ୍ଚ ନ୍ୟାୟାଳୟର ପ୍ରଶାସନିକ ଏବଂ ନ୍ୟାୟିକ କାର୍ଯ୍ୟଧାରା ଅନାୟାସରେ ଚଳାଇବା ଭାର ତାଙ୍କୁ ଦିଆଯାଇଛି।

ଗତ ସପ୍ତାହରେ ଲକ୍ଷ୍ନୌର ଜନୈକ  ଓକିଲ ଅଶୋକ ପାଣ୍ଡେ ଫାଇଲ୍‌ କରିଥିବା ପିଟିସନ୍‌ ଉପରେ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି।

publive-image

ପାଣ୍ଡେ ତାଙ୍କ ପିଟିସନ୍‌ରେ  ଜଣାଇଥିଲେ କି, ଶୀର୍ଷ ଅଦାଲତ ଦ୍ୱାରା ଗଠିତ ସାମ୍ବିଧାନିକ ଖଣ୍ଡପୀଠ ୫ ଜଣ ସବୁଠୁ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠନ କରାଯିବା ଉଚିତ।

ପିଆଇଏଲ୍‌, ଟ୍ୟାକ୍ସ୍‍, କ୍ରିମିନାଲ୍‌, ଲ୍ୟାଣ୍ଡ୍‌ ଆଣ୍ଡ୍‌ ସର୍ଭିସ୍‌ ଆଦି ମାମଲା ବିଚାର କରିବା ପାଇଁ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିବାକୁ ସେ ଅାବେଦନ କରିଥିଲେ।
ଗତ ସପ୍ତାହରେ ଭାରତର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ପାଣ୍ଡେଙ୍କ ଆବେଦନର ଶୁଣାଣି କରି କହିଥିଲେ କି, ତାଙ୍କ ଆବେଦନର ସମୁଚ୍ଚିତ ରାୟ ଶୁଣାଯିବ।

ଆହ୍ଲାବାଦ ହାଇକୋର୍ଟରେ ମଧ୍ୟ ପାଣ୍ଡେ ଏ ଭଳି ଆଉ ଏକ ମାମଲା ଦାଏର କରିଛନ୍ତି।