ଏହି କାରଣ ପାଇଁ ବଦଳିଲା ରାଜସ୍ଥାନ ବିଧାନସଭା ନିର୍ବାଚନର ତାରିଖ

ଜୟପୁର: ବଦଳିଲା ରାଜସ୍ଥାନ ବିଧାନସଭା ନିର୍ବାଚନର ତାରିଖ। ନିର୍ବାଚନ ଆୟୋଗ ଆଜି ରାଜସ୍ଥାନ ବିଧାନସଭା ନିର୍ବାଚନର ତାରିଖ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ନଭେମ୍ବର ୨୩ରେ ମତଦାନ ହେବ ବୋଲି ସ୍ଥିର କରାଯାଇଥିଲା। ବର୍ତ୍ତମାନ ଏହି ତାରିଖକୁ ପରିବର୍ତ୍ତନ କରାଯାଇଛି। ନିର୍ବାଚନ ଆୟୋଗ ଏବେ ନଭେମ୍ବର ୨୫ରେ ମତଦାନ କରିବାକୁ ଘୋଷଣା କରିଛନ୍ତି।

କୁହାଯାଉଛି ଯେ, ତାରିଖ ପରିବର୍ତ୍ତନ କରିବାକୁ ବିଭିନ୍ନ ସଂଗଠନମାନେ ଦାବି କରିଥିଲେ। କାରଣ ନଭେମ୍ବର ୨୩ରେ ଦେବ ଉଠାନି ଏକାଦଶୀ ଥିବାରୁ ସେଦିନ ବହୁ ସଂଖ୍ୟକ ବିବାହ ହେବାର ଆଶଙ୍କା ରହିଛି। ଏହାକୁ ଧ୍ୟାନରେ ରଖି ତାରିଖ ପରିବର୍ତ୍ତନ କରାଯାଇଛି।

ସୂଚନା ମୁତାବକ, ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଏବଂ ମିଜୋରାମ ସହିତ ରାଜସ୍ଥାନର ନିର୍ବାଚନ ତାରିଖ ସୋମବାର ନିର୍ବାଚନ ଆୟୋଗ ଘୋଷଣା କରିଥିଲେ। ନଭେମ୍ବର ୭ରୁ ନଭେମ୍ବର ୩୦ମଧ୍ୟରେ ପାଞ୍ଚଟି ରାଜ୍ୟରେ ମତଦାନ ଅନୁଷ୍ଠିତ ହେବ ଓ ଭୋଟ୍ ଗଣନା ଡିସେମ୍ବର ୩ରେ ହେବ ବୋଲି ସ୍ଥିର କରାଯାଇଥିଲା। ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ରାଜସ୍ଥାନର ଅନେକ ସାମାଜିକ ତଥା ଧାର୍ମିକ ସଂଗଠନ ନଭେମ୍ବର ୨୩କୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ। ନଭେମ୍ବର ୨୩ରେ ଅନେକ ବିବାହ ଅଛି, ତେଣୁ ସେମାନେ ଭୋଟ୍ ଦେବାରେ ଅସୁବିଧାର ସମ୍ମୁଖୀନ ହେବେ ବୋଲି କହିଥିଲେ। ଏହା ପରେ ସମସ୍ୟା ବୁଝିପାରି ନିର୍ବାଚନ ଆୟୋଗ ତାରିଖ ବଦଳାଇବାକୁ ନିଷ୍ପତ୍ତି ନେଲେ।

ସମ୍ବନ୍ଧିତ ଖବର