ଜାରି ରହିଛି ଆନ୍ଦୋଳନ; ତୃତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ପ୍ରସ୍ତୁତ ହେଉଛନ୍ତି ଚାଷୀ

ନୂଆଦିଲ୍ଲୀ: ତୃତୀୟ ଦିନରେ ପହଞ୍ଚିଛି ଚାଷୀମାନଙ୍କ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ। ଚାଲିଥିବା ‘ଦିଲ୍ଲୀ ଚଲୋ’ ପଦଯାତ୍ରା ମଧ୍ୟରେ କେନ୍ଦ୍ର ଓ କୃଷକ ନେତାମାନେ ତୃତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ପ୍ରସ୍ତୁତ ହେଉଛନ୍ତି। ଅନ୍ୟପକ୍ଷରେ ହଜାର ହଜାର ଚାଷୀ ସେମାନଙ୍କ ବିରୋଧ ସହ ଆଗକୁ ବଢୁଛନ୍ତି। ଆଜି ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ପୀୟୁଷ ଗୋୟଲ ଏବଂ ନିତ୍ୟାନନ୍ଦ ରାୟ ବିରୋଧୀ କୃଷକ ସଂଗଠନର ପ୍ରତିନିଧୀଙ୍କ ସହ ଆଲୋଚନା କରିବାକୁ ଯାଉଛନ୍ତି।

ଉଭୟ ପକ୍ଷର ପୂର୍ବ ବୈଠକ ସଫଳ ହୋଇନଥିଲା। ଯାହାଫଳରେ କୃଷକମାନେ ଫେବ୍ରୁଆରି ୧୩ ତାରିଖ ମଙ୍ଗଳବାର ଦିନ ନିଜର ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ। ଜାରି ରହିଥିବା କୃଷକଙ୍କ ଆନ୍ଦୋଳନ ତଥା ସମସ୍ୟାର ସମାଧାନ ପାଇଁ ରାଜନାଥ ସିଂ ଏବଂ ଅର୍ଜୁନ ମୁଣ୍ଡାଙ୍କ ସମେତ ବରିଷ୍ଠ କେନ୍ଦ୍ର ମନ୍ତ୍ରୀମାନେ ବୁଧବାର ଆଲୋଚନା କରିଥିଲେ। ଏହାର ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇନାହିଁ।

ପହରିଦିନ ଚଣ୍ଡିଗଡରେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ ଓ ଅର୍ଜୁନ ମୁଣ୍ଡାଙ୍କ ସହ ଚାଷୀ ସଂଗଠନର ବୈଠକ ବିଫଳ ହୋଇଥିଲା। ଫସଲର ଏମଏସପି ପ୍ରସଙ୍ଗରେ କୌଣସି ବୁଝାମଣା କରିବାକୁ ଚାଷୀ ସଂଗଠନ ଅଡିବସିବାରୁ ବୈଠକ ଫେଲ ମାରିଥିଲା।

ଉ‌ଲ୍ଲେଖଯୋଗ୍ୟ, ଚାଷୀ ସଂଗଠନର ପ୍ରମୁଖ ଦାବି ଗୁଡିକ ହେଉଛି ପ୍ରତ୍ୟେକ ଫସଲର ଏମଏସପି ଉପରେ ଆଇନଗତ ଗ୍ୟାରେଂଟି, ଏମଏସ୍ ସ୍ୱାମୀନାଥନ ଆୟୋଗର ସୁପାରିସକୁ କାର୍ଯ୍ୟକାରୀ କରିବା, ଚାଷୀ ଶ୍ରମିକଙ୍କୁ ଋଣ କ୍ଷମା ଏବଂ ପେନସନ୍ ବ୍ୟବସ୍ଥା, ଲଖିମପୁର ଖେରୀ ଘଟଣାର ଦୋଷୀଙ୍କୁ କଠୋର ଦଣ୍ଡାଦେଶ, ନକଲି ବିହନ, କୀଟନାଶକ ଔଷଧ କମ୍ପାନୀ ବିରୋଧରେ କଠୋର ଆଇନ୍ ଆଦି।

ସମ୍ବନ୍ଧିତ ଖବର