ଭାରତକୁ ନିଶ୍ଚିତ ମିଳିବ ସୁରକ୍ଷା ପରିଷଦ ସଦସ୍ୟତା, ଚଳିତ ବର୍ଷ କରିବାକୁ ହେବ ଅଧିକ ପରିଶ୍ରମ: ଜୟଶଙ୍କର

ରାଜକୋଟ: ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସଦସ୍ୟତା ନେଇ ବିଦେଶମନ୍ତ୍ରୀ ଏସ.ଜୟଶଙ୍କର ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ସୁରକ୍ଷା ପରିଷଦରେ ଭାରତକୁ ନିଶ୍ଚିତ ଭାବେ ସ୍ଥାୟୀ ସଦସ୍ୟତା ମିଳିବ। କାରଣ ପୃଥିବୀର ବିଭିନ୍ନ ରାଷ୍ଟ୍ରଙ୍କ ମଧ୍ୟରେ ଏହି ଭାବନା ରହିଛି। ସେଥିପାଇଁ ଭାରତକୁ ଚଳିତ ବର୍ଷ ଅଧକ ପରିଶ୍ରମ କରିବାକୁ ପଡ଼ିବ। ଗୁଜୁରାଟର ରାଜକୋଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମଙ୍ଗଳବାର ଜୟଶଙ୍କର ଏହା କହିଛନ୍ତି।
ଜାତସଂଘର ଗଠନ ପ୍ରାୟ ୮୦ ବର୍ଷ ତଳେ ହୋଇଥିଲା। ୫ ଦେଶ ଚୀନ୍, ଫ୍ରାନ୍ସ , ରୁଷିଆ, ବ୍ରିଟେନ ଏବଂ ଆମେରିକା ଏହାର ସ୍ଥାୟୀ ସଦସ୍ୟ ହେବାକୁ ଇଛା ପ୍ରକଟ କରିଥିଲେ। ସେତେବେଳେ ପୃଥିବୀରେ ପ୍ରାୟ ୫୦ ସ୍ବତନ୍ତ୍ର ଦେଶ ଥିଲା। ଏବେ ସମୟ ସହିତ ସ୍ବତନ୍ତ୍ର ଦେଶଙ୍କ ସଂଖ୍ୟା ୧୯୩ରେ ପହଞ୍ଚିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ମଧ୍ୟ ସୁରକ୍ଷା ପରିଷଦରେ ୫ ଦେଶର ନିୟନ୍ତ୍ରଣ ରହିଛି। ସମୟ ଆସିଛି ଜାତିସଂଘର ସୁରକ୍ଷା ପରିଷଦରେ ପରିବର୍ତ୍ତନ ଆସିବା ଜରୁରୀ ହୋଇପଡ଼ିଛି। ଏହା ସମୟର ଆହ୍ବାନ ଏହାକୁ ଆଧାର କରି ଉପଯୁକ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଜୟଶଙ୍କର କହିଛନ୍ତି।

ଭାରତ,ଜାପାନ, ଜର୍ମାନୀ, ଇଜିପ୍ଟ ମିଳିତ ଭାବେ ଜାତିସଂଘ ସମ୍ମୁଖରେ ଏକ ପ୍ରସ୍ତାବ ଉପସ୍ଥାପନା କରିଛନ୍ତି। ଆଶା ରହିଛି ପ୍ରସ୍ତାବ ଆଗକୁ ବଢ଼ିବ ଏବଂ ଏହା ଉପରେ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ। ସମ୍ପ୍ରତି ସୁରକ୍ଷା ପରିଷଦ ଦୁର୍ବଳ ହେବାରେ ଲାଗିଛି। ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧରେ ସୁରକ୍ଷା ପରିଷଦର ଭୂମିକା ନଗନ୍ୟ ରହିଥିବା ଜୟଶଙ୍କର କହିଛନ୍ତି।

ସମ୍ବନ୍ଧିତ ଖବର