କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ରହିବେ କି ନାହିଁ ସେ ନିଷ୍ପତ୍ତି ନେବାକୁ ଉପରାଜ୍ୟପାଳ କିଏ? ପ୍ରଶ୍ନ କଲେ ସଞ୍ଜୟ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଆମ୍‌ ଆଦ୍‌ମୀ ପାର୍ଟିର ଅନେକ ବରିଷ୍ଠ ନେତା ଛନ୍ଦି ହୋଇପଡ଼ିଥିବା ବେଳେ ମଙ୍ଗଳବାର ବରିଷ୍ଠ ନେତା ସଂଜୟ ସିଂହଙ୍କୁ ସୁପ୍ରିମ୍‌କୋର୍ଟ ଜାମିନ ପ୍ରଦାନ କରିଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସଂଜୟଙ୍କ ଜାମିନ ଆବେଦନକୁ ବିରୋଧ ନ କରିବା ପରେ ସୁପ୍ରିମ୍‌କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ବୁଧବାର ଜେଲରୁ ବ‌ାହାରକୁ ଆସିବା ପରେ ଏବେ ଏକ ସାକ୍ଷାତକାରରେ ସେ ଆପର ସ୍ଥିତି ବିଷୟରେ ଜଣାଇଛନ୍ତି।

କେଜ୍ରିୱାଲ ଜେଲ୍ ଯିବା ପରେ ସେ ଇସ୍ତଫା ଦିଅନ୍ତୁ ବୋଲି ଦାବି ଜୋର ଧରିଛି। ଜେଲରୁ ସରକାର ଚଳାଇ ପାରିବେ ନାହିଁ ବୋଲି ଉପରାଜ୍ୟପାଳ ବିନୟୀ ସକ୍ସେନା ଦାବି କରୁଥିବା ବେଳେ ଏବେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ସଞ୍ଜୟ। ସେ କହିଛନ୍ତି ଯେ, ବିନୟୀ ସକ୍ସେନା କ’ଣ ସମ୍ବିଧାନର ସ୍ଥପତି କି? ମୁଁ ଯେତିକି ଜାଣିଛି,ବାବାସାହେବ ଭୀମରାଓ ଆମ୍ବେଦକର ହେଉଛନ୍ତି ସମ୍ବିଧାନର ସ୍ଥପତି। କେଜ୍ରିୱାଲ ଜେଲରୁ ସରକାର ଚଲାଇ ପାରିବେ କି ନାହିଁ ବା ମୁଖ୍ୟମନ୍ତ୍ରୀ ରହିବେ ନାହିଁ ସେ ପ୍ରଶ୍ନ କରିବାକୁ ସେ କିଏ? ସମ୍ବିଧାନରେ ଅଛି ଯେ, ଯେପର୍ଯ୍ୟନ୍ତ ଅଭିଯୋଗ ପ୍ରମାଣିତ ନହୋଇଛି, ସେପର୍ଯ୍ୟନ୍ତ କୌଣସି ନେତାଙ୍କୁ ଇସ୍ତଫା ଦେବାକୁ ପଡ଼ିବ ନାହିଁ। ହାଇକୋର୍ଟ ଦୁଇଥର ଆବେଦନକୁ ଖାରଜ କରିଦେଇଛନ୍ତି। ଏଥରୁ ପ୍ରମାଣ ହୋଇଛି ଯେ, କେଜ୍ରିୱାଲଙ୍କୁ ଇସ୍ତଫା ଦେବାର କୌଣସି ଆବଶ୍ୟକତା ନାହିଁ।

ସମ୍ବନ୍ଧିତ ଖବର