କିଙ୍ଗ ଚାର୍ଲ୍ସ ବିନା ପାସପୋର୍ଟରେ କରିପାରିବେ ଯାତ୍ରା, ବିନା ଡ୍ରାଇଭିଂ ଲାଇସେନ୍ସରେ ଚଳାଇପାରିବେ ଗାଡ଼ି

ନୂଆଦିଲ୍ଲୀ: ବ୍ରିଟେନର ମହାରାଣୀ ଏଲିଜାବେଥ୍ (ଦ୍ବିତୀୟ)ଙ୍କର ମୃତ୍ୟୁ ପରେ ତାଙ୍କ ବଡ଼ପୁଅ ପ୍ରିନ୍ସ ଚାର୍ଲ୍ସଙ୍କୁ ନୂତନ ରାଜା ଘୋଷଣା କରାଯାଇଛି । ବ୍ରିଟେନର ନୂତନ ରାଜା ଏପରି ସ୍ୱତନ୍ତ୍ର ରାଜକୀୟ ସୁବିଧା ସୁଯୋଗ ପାଇବେ ଯାହା ଦୁନିଆରେ ଆଉ କେହି ବି ହେଲେ ପାଇନାହାନ୍ତି । ଯେପରିକି ବ୍ରିଟେନର ରାଜା ବିନା ପାସପୋର୍ଟରେ ଯାତ୍ରା କରିବା ସହ ବିନା ଲାଇସେନ୍ସରେ ମଧ୍ୟ ଡ୍ରାଇଭ୍ କରିପାରିବେ । ଆହୁରି ଅନେକ ସ୍ୱତନ୍ତ୍ର ସୁବିଧା ମଧ୍ୟ ବ୍ରିଟେନର ରାଜାଙ୍କ ପାଇଁ ଉପଲବ୍ଧ ରହିଛି ।

ବିଶେଷ କଥା ହେଉଛି, କିଙ୍ଗ ଚାର୍ଲ୍ସ ଇଂଲଣ୍ଡର ସମସ୍ତ ମ୍ୟୁଟ ରାଜ-ହଂସର ମାଲିକ ହେବେ ଏବଂ ସେ ବର୍ଷକୁ ଦୁଇଥର ବ୍ରିଟେନର ରାଜାଙ୍କ ଜନ୍ମଦିନ ପାଳନ କରିବାର ପରମ୍ପରା ମଧ୍ୟ ଆରମ୍ଭ କରିପାରିବେ । କିଙ୍ଗ ଚାର୍ଲ୍ସ ତୃତୀୟ ବିନା ପାସପୋର୍ଟରେ ଦୁନିଆର ଯେ କୌଣସି ସ୍ଥାନକୁ ଯାତ୍ରା କରିପାରିବେ । ଅନ୍ୟ ରାଜ ପରିବାରର ସଦସ୍ୟଙ୍କ ପରି ବ୍ରିଟେନର ରାଜାଙ୍କୁ ମଧ୍ୟ ପାସପୋର୍ଟର ଆବଶ୍ୟକତା ପଡ଼ିବା ନାହିଁ, କାରଣ ରାଜାଙ୍କ ନାମରେ ହିଁ ପାସପୋର୍ଟ ଦିଆଯାଉଥିବାରୁ ବ୍ରିଟେନର ଏହି ଏକମାତ୍ର ବ୍ୟକ୍ତି ଯିଏ ବିନା ଲାଇସେନ୍ସରେ ଗାଡ଼ି ଚଳାଇ ପାରିବେ ।

ମହାରାଣୀ ଏଲିଜାବେଥ୍ (ଦ୍ବିତୀୟ)ଙ୍କର ଦୁଇଟି ଜନ୍ମଦିନ ପାଳନ କରାଯାଉଥିଲା । ପ୍ରଥମଟି ଥିଲା ତାଙ୍କର ପ୍ରକୃତ ଜନ୍ମଦିନ, ଯାହା ଏପ୍ରିଲ୍ ୨୧ରେ ପାଳନ କରାଯାଇଥିଲା, ଦ୍ୱିତୀୟଟି ହେଉଛି ଏକ ସରକାରୀ ସାର୍ବଜନୀନ କାର୍ଯ୍ୟକ୍ରମ, ଯାହା ଜୁନ୍ ଦ୍ୱିତୀୟ ମଙ୍ଗଳବାରରେ ପାଳନ ହେଉଥିଲା । ଚାର୍ଲ୍ସଙ୍କ ଜନ୍ମଦିନ ନଭେମ୍ବର ୧୪ ଶୀତ ଆରମ୍ଭରୁ ପଡ଼ୁଥିବାରୁ, ସେ ଗରମ ପାଗରେ ତାଙ୍କର “ସରକାରୀ ଜନ୍ମଦିନ” ପାଳନ କରିବେ ।

ସାର୍ବଜନୀନ ଉତ୍ସବ ପାଳନ କରିବାର ପରମ୍ପରା ୨୫୦ ବର୍ଷ ପୁରୁଣା ଏବଂ ଏଥିରେ ସାମରିକ ପରେଡରେ ୧୪୦୦ରୁ ଅଧିକ ସୈନିକ, ୨୦୦ ଘୋଡ଼ା ଓ ୪୦୦ ସଙ୍ଗୀତଜ୍ଞ ରହିଛନ୍ତି । ବ୍ରିଟିଶ ଶାସକମାନେ ଭୋଟ୍ ଦିଅନ୍ତି ନାହିଁ ଏବଂ ନିର୍ବାଚନରେ ମଧ୍ୟ ଠିଆ ହୋଇପାରିବେ ନାହିଁ । ଦେଶର ସର୍ବୋଚ୍ଚ ଅଧିକାରୀ ହୋଇଥିବାରୁ ତାଙ୍କୁ ରାଜନୈତିକ ପ୍ରସଙ୍ଗରେ ଚୁପ ରହିବାକୁ ପଡ଼ିଥାଏ । ସେ ସଂସଦ ଅଧିବେଶନର ଆନୁଷ୍ଠାନିକ ଉଦଘାଟନୀ ଉତ୍ସବରେ ଯୋଗ ଦେଇ ସଂସଦର ଆଇନକୁ ଅନୁମୋଦନ କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ସହ ସାପ୍ତାହିକ ବୈଠକ ମଧ୍ୟ କରିଥାନ୍ତି ।

ସମ୍ବନ୍ଧିତ ଖବର