ନିର୍ବାଚନରେ ବିଜେପି ବିଜୟୀ ହେବା ପରେ ଖୁସି ମନାଉଥିବା ବ୍ୟକ୍ତିଙ୍କୁ ହତ୍ୟା କଲେ ପଡ଼ୋଶୀ!

ଗୋରଖପୁର: ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ନିକଟ ନିର୍ବାଚନରେ ବିଜେପି ଜିତିବା ପରେ ବିଜୟ ପ୍ରଚାର କରୁଥିବା ଜଣେ ୨୫ ବର୍ଷୀୟ ଯୁବକଙ୍କୁ ପଡ଼ୋଶୀ ବାଡ଼େଇ ବାଡ଼େଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ହେଉଛି ଉତ୍ତରପ୍ରଦେଶର କୁଶିନଗର ଜିଲ୍ଲାର। ପୁଲିସ୍‌ ଏହି ଘଟଣାର ତଦନ୍ତ କରି ଏବେ ସୁଦ୍ଧା ୨ ଜଣଙ୍କୁ ଗିରଫ କରିସାରିଛି।

ଜାଣିବାକୁ ମିଳିଛି ଯେ ମୃତ ଯୁବକ ଜଣକ ହେଉଛନ୍ତି ବାବର ଅଲ୍ଲୀ। ସେ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ପାଇଁ ପ୍ରଚାର କରୁଥିବା ବେଳେ ନିର୍ବାଚନରେ ବିଜେପି ଜିତିବା ପରେ ପ୍ରଚାର କରି ବିଜୟ ଉତ୍ସବ ମନାଉଥିଲେ। ଏହାକୁ ହାରି ଯାଇଥିବା ଦଳର କିଛି ପଡ଼ୋଶୀ ସହ୍ୟ ନକରିପାରି ମାର୍ଚ ୨୦ ତାରିଖରେ ତାଙ୍କୁ ଆକ୍ରମଣ କରିଥିଲେ। ତା’ପରେ ବାବରଙ୍କ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ ନେଇ ତାଙ୍କର ଚିକିତ୍ସା କରାଉଥିଲେ। ଲକ୍ଷ୍ନୌରେ ଚିକିତ୍ସିତ ଅବସ୍ଥାରେ ବାବରଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତଶରୀର ରବିବାର ଦିନ ନିଜ ଘରେ ପହଞ୍ଚିଛି। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ନକରିବା ପର୍ଯ୍ୟନ୍ତ ବାବରଙ୍କ ଅନ୍ତିମ ସତ୍କାର ନକରିବାକୁ ତାଙ୍କ ଘର ଲୋକ ଯିଦି ଧରି ବସିଥିଲେ।

ତେବେ ସ୍ଥାନୀୟ ବିଧାୟକ ପିଏନ୍‌ ପଟ୍ଟନାୟକ ଏବଂ ଅନ୍ୟ କିଛି ଅଧିକାରୀ ବାବରଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ବହୁ ବୁଝାସୁଝା ପରେ ପରିବାର ଲୋକ ଅନ୍ତିମ ସତ୍କାର ପାଇଁ ରାଜି ହୋଇଥିବା ଜାଣିବାକୁ ମିଳିଛି।

 

ସମ୍ବନ୍ଧିତ ଖବର