ଖୁବ୍‌ ଶୀଘ୍ର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ଗାଡ଼ିରେ ଲାଗିବ ନମ୍ବର ପ୍ଲେଟ

ନୂଆଦିଲ୍ଲୀ: ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟପାଳ ଓ ଉପରାଜ୍ୟପାଳ ସମେତ ସମସ୍ତ ଭିଭିଆଇପିଙ୍କ ଗାଡ଼ିରେ ଖୁବ୍‌ଶୀଘ୍ର ନମ୍ବର ପ୍ଲେଟ ଲାଗିବ । ଏନେଇ ସଡ଼କ ପରିବହନ ଏବଂ ଜାତୀୟରାଜମାର୍ଗ ମନ୍ତ୍ରାଳୟ ଦିଲ୍ଲୀ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି।

ମୁଖ୍ୟବିଚାରପତି ଗୀତା ମିତଲ ଓ ବିଚାରପତି ସି ହରିଶଙ୍କରଙ୍କ ଖଣ୍ଡପୀଠରେ ଭିଭିଆଇପିଙ୍କ ଗାଡ଼ିକୁ ପଞ୍ଜିକରଣ କରିବା ପାଇଁ କୁହାଯାଇଛି। ଜାନୁଆରି ୨ ତାରିଖରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କ ଅଧିକାରୀ ତଥା ସଚ୍ଚିବାଳୟଙ୍କୁ ଏ ସମ୍ପର୍କରେ ପତ୍ର ଲେଖି ସୂଚିତ କରାଯାଇଥିଲା କି ସେମାନେ ତାଙ୍କ ବାହାନର ପଞ୍ଜିକରଣ କରି, ପଞ୍ଜିକରଣ ଚିହ୍ନକୁ ଗାଡ଼ିରେ ପ୍ରଦର୍ଶିତ କରିବେ।

କେନ୍ଦ୍ରସରକାରଙ୍କ ଆଇନଜୀବୀ ରାଜେଶ ଗୋଗନା କୋର୍ଟଙ୍କୁ କହିଥିଲେ, ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଏହି ପତ୍ରର ଉତ୍ତର ଆସି ସାରିଛି। ଉପରାଷ୍ଟ୍ରପତି କାର୍ଯ୍ୟାଳୟ ମୁତାବକ, ଉପରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ବ୍ୟବହାର କରୁଥିବା ବାହାନ ସହିତ ସଚ୍ଚିବାଳୟରେ ଥିବା ସମସ୍ତ ବାହାନରେ ପଞ୍ଜିକରଣ ନମ୍ବର ପ୍ରଦର୍ଶିତ ହୋଇଛି।

ବିଦେଶମନ୍ତ୍ରାଳୟ ସୂଚିତ କରିଛନ୍ତି, ତାଙ୍କ ପାଖରେ ୧୪ଟି ଗାଡ଼ି ରହିଛି। ଯାହା ବିଦେଶରୁ ଆସିଥିବା ଭିଭିଆଇପିଙ୍କ ପାଇଁ ବ୍ୟବହାର କରାଯାଇଥାଏ। ଏହି ସମସ୍ତ ବାହାନର ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ଏକ ଏନ୍‌ଜିଓ ହାଇକୋର୍ଟରେ ଯାଚିକା ଦାଖଲ କରି କହିଥିଲା କି, ଭିଆଇପି ଗାଡ଼ିରେ ନମ୍ବର ପ୍ଲେଟ ସ୍ଥାନରେ ଭାରତ ସରକାରଙ୍କ ଚିହ୍ନ ପ୍ରଦର୍ଶିତ ହୋଇଥାଏ। ଏଭଳି ଗାଡ଼ିଗୁଡ଼ିକ ସହଜରେ ଆତଙ୍କବାଦୀଙ୍କ ଶିକାର ହୋଇଯାଇଥାଏ। ଏଥିସହିତ ଏହା ବି କୁହାଯାଇଥିଲା ଯଦି ନମ୍ବର ପ୍ଲେଟ ବିହୀନ ଗାଡ଼ି ଦୁର୍ଘଟଣା ହୁଏ ତେବେ ଏହାର ଅସଲ ମାଲିକ କିଏ ତାହା ଜାଣିବା ପାଇଁ ଅସୁବିଧା ହୋଇପାରେ। ଏଭଳି ପରିସ୍ଥିତିରେ ଗାଡ଼ିର ନମ୍ବର ହେବା ନିହାତି ଆବଶ୍ୟକ। ଏନ୍‌ଜିଓ ଦିଲ୍ଲୀ ସରକାର, ଦିଲ୍ଲୀ ପୁଲିସଙ୍କୁ ମଟରବାହନ ନିୟମ ଅନୁଯାୟୀ ପଞ୍ଜିକୃତ ହୋଇ ନଥିବା କାରକୁ ଜବତ କରିବାକୁ କହିଛି।

 

ସମ୍ବନ୍ଧିତ ଖବର